ନୂଆଦିଲ୍ଲୀ: ଶ୍ରୀଲଙ୍କାର ଆତ୍ମଘାତୀ ଆକ୍ରମଣ ପରେ ସମଗ୍ର ବିଶ୍ବରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ପଡୋଶୀ ଦେଶ ଭାରତ ଉପରେ ଏହାର ପ୍ରଭାବ କିଛିଟା ଅଧିକ ଦେଖାଦେଇଛି । ଶ୍ରୀଲଙ୍କା ପରେ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଫଳରେ ଦକ୍ଷିଣ ଭାରତର 6 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପଡ୍ଡୁଚେରୀରେ ହାଇଆଲର୍ଟ ଜାରି କରିଛନ୍ତି କର୍ଣ୍ଣାଟକ ଡିଜି-ଆଇଜିପି । ସେହି ରାଜ୍ୟ ଗୁଡିକ ହେଲା କେରଳ, ତାମିଲନାଡୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୋଆ ।
କର୍ଣ୍ଣାଟକ ଡିଜିପି ଏହି ରାଜ୍ୟ ଗୁଡିକର ପୋଲିସ ଅଧିକାରୀଙ୍କୁ ଏକ ପତ୍ର ଲେଖିଛନ୍ତି, ଯେଉଁଥିରେ ଆତଙ୍କବାଦୀ ଆକ୍ରମଣର ସମ୍ଭାବନା ଦର୍ଶାଯାଇଛି । କେରଳ, ତାମିଲନାଡୁ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୋଆ ଏବଂ ପଡ୍ଡୁଚେରୀରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ସ୍ବାମୀ ସୁନ୍ଦର ମୂର୍ତ୍ତୀ ନାମକ ଜଣେ ଲୋରୀ ଡ୍ରାଇଭର ଫୋନକଲ ଯୋଗେ ଦାବି କରିଥିବା ଏହି ପତ୍ରରେ ଉଲ୍ଲେଖ କରାଯାଇଛି ।
ତେବେ ଟ୍ରେନ ଗୁଡିକୁ ଟାର୍ଗେଟ କରି ଆତଙ୍କବାଦୀ ଆକ୍ରମଣ କରିପାରନ୍ତି ବୋଲି ଏହି ପତ୍ରରେ କୁହାଯାଇଛି । ତାମିଲନାଡୁର ରାମନାଥପୁରମରେ 19 ଜଣ ଆତଙ୍କବାଦୀ ସକ୍ରୀୟ ଥିବା ମଧ୍ୟ ଡ୍ରାଇଭର ଜଣକ ଦାବି କରିଛନ୍ତି । ତେବେ ଏନେଇ କର୍ଣ୍ଣାଟକ ସରକାର ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ବେଙ୍ଗାଲୁରୁ ପୋଲିସ ଆକ୍ରମଣର ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ଧରିବାର ପ୍ରୟାସ କରୁଛି ।