ନୂଆଦିଲ୍ଲୀ: କାରଗିଲ ବିଜୟ ଦିବସକୁ 20 ବର୍ଷ ପୁରଣ ହେବାକୁ ଯାଉଛି । ଏହି ଅବସରରେ ଶହୀଦ ବୀର ଯବାନଙ୍କୁ ସ୍ମରଣ କରୁଛି ପୁରା ଦେଶ । ତେବେ ଶହୀଦଙ୍କ ସ୍ମୃତିରେ ଭାରତୀୟ ବାୟୁସେନାର ମିଡିଆ ୱିଂଗ ଏଡିଜିପିଆଇ ଏକ ଭିଡିଓ ଜାରି କରିଛି । ଏହି ଭିଡିଓର ନାମ 'କାରଗିଲ ଟ୍ରିବ୍ୟୁଟ ସଙ୍ଗ' ରଖାଯାଇଛି । ତେବେ ଏହି ଭିଡିଓରେ ଅନେକ ବଲିଉଡ କଳାକାରଙ୍କୁ ଦେଖିବାକୁ ମିଳିଛି ।
5 ମିନିଟ 54 ସେକେଣ୍ଡର ଏହି ଭିଡିଓରେ କାରଗିଲ ଶହୀଦ ତଥା ପରମବୀର ଚକ୍ରରେ ସମ୍ମାନିତ ହୋଇଥିବା କ୍ୟାପଟେନ ବିକ୍ରମ ବତ୍ତ୍ରାଙ୍କ ଝଲକ ଦେଖିବାକୁ ମିଳିଛି । ଏଥିରେ ତିନି ସେନାର ପ୍ରମୁଖ, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ମୋଦି ଏବଂ ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ଦେଖିବାକୁ ମିଳିଛି ।
ଏହା ବ୍ୟତିତ ବିଗ ବି ଅମିତାଭ ବଚ୍ଚନ, କଙ୍ଗନା ରଣାଓତ, ଅନୁପମ ଖେର, ଜରୀନ ଖାନ, ସୁନୀଲ ସେଠୀ, ବିକ୍କି କୌଶଲ, କିର୍ତ୍ତି ସେନନ, ଫାତିମା ସନା ଶେଖ, ସଲମାନ ଖାନ, ସୋନୁ ସୁଦ ଏବଂ ଅର୍ଜୁନ ରାମପାଲ ଭଳି ପ୍ରମୁଖ କଳାକାର ଏହି ଭିଡିଓରେ ନଜର ଆସିଛନ୍ତି ।
ସୂଚନା ଯୋଗ୍ୟ ଯେ, 20 ବର୍ଷ ପୂର୍ବେ 1999 ମସିହା ଜୁଲାଇ 26 ତାରିଖ ଦିନ ଭାରତୀୟ ବାୟୁସେନା ଏଲଓସି ସହ ଲାଗିରହିଥିବା କାରଗିଲ ପାହାଡକୁ କବଜା କରିଥିବା ଆତଙ୍କବାଦୀ ଏବଂ ସେମାନଙ୍କ ଶିବିରରେ ପ୍ରବେଶ କରିଥିବା ପାକିସ୍ତାନୀ ସୈନିକଙ୍କୁ ନିହତ କରିଥିଲେ । ପାକିସ୍ତାନ ବିରୁଦ୍ଧରେ ହୋଇଥିବା ଏହି କାରଗିଲ ଯୁଦ୍ଧରେ 500 ରୁ ଉର୍ଦ୍ଧ୍ବ ଭାରତୀୟ ସେନା ଶହୀଦ ହୋଇଥିଲେ ।