ଲକ୍ଷ୍ନୌ: ମହିଳାମାନଙ୍କୁ ଅସଦାଚରଣ କରିବାକୁ ଉଦ୍ୟମ କଲେ ଏଣିକି ଉକ୍ତ ବ୍ୟକ୍ତି ଖାଇବ 440 ଭୋଲ୍ଟର ଝଟ୍କା । ଦେଶରେ ମହିଳା ଦୁଷ୍କର୍ମ ଘଟଣା ଦିନକୁ ଦିନ ବଢିଚାଲିଥିବାରୁ ଏଭଳି ଏକ ଯନ୍ତ୍ରକୁ ଉଦ୍ଭାବନ କରିଛନ୍ତି କାନପୁରର କଲେଜ ଛାତ୍ରୀ ପୂଜା ପଟେଲ ଏବଂ ଏହି ଯନ୍ତ୍ରଟି ସୁଲଭ ମୂଲ୍ୟରେ ଦେଶର ସମସ୍ତ ମହିଳାଙ୍କ ନିକଟରେ ପହଞ୍ଚାଇବାକୁ ସେ ଲକ୍ଷ୍ୟ ରଖିଛନ୍ତି ।
କାନପୁରର ବିକାଶ ନଗରରେ ରହୁଥିବା କଲେଜ ଛାତ୍ରୀ ପୂଜା ପଟେଲ ଦେଶରେ ପ୍ରାୟ ପ୍ରତିଦିନ ଘଟୁଥିବା ଦୁଷ୍କର୍ମ ଘଟଣା ଶୁଣି ଅତିଷ୍ଠ ହୋଇପଡିଥିଲେ । ଏଣୁ ସେ ଏକ କି-ଚେନ୍ ଉଦ୍ଭାବନ କରିଛନ୍ତି , ଯାହାକି ଅସଦାଚରଣ କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତିକୁ ବଟମ୍ ଚିପିବା ମାତ୍ରେ 440 ଭୋଲ୍ଟର ବିଦ୍ୟୁତ ଆଘାତ ଦେବ । ମହିଳାଙ୍କ ସୁରକ୍ଷା ପାଇଁ ଉଦ୍ଭାବନ କରିଥିବା ଏହି ଦୁର୍ଲଭ ଯନ୍ତ୍ରର ନାମ ପୂଜା ' ଇମରଜେନ୍ସି ସକ୍ କି ଚେନ୍ ଫର୍ ୱେମନ୍ସ ସେଫ୍ଟି' ବା ମହିଳାମାନଙ୍କ ସୁରକ୍ଷା ଲାଗି ଜରୁରୀକାଳୀନ ଆଘାତ କି-ଚେନ୍ ରଖିଛନ୍ତି । ଏହି ଯନ୍ତ୍ରଟି 300 ଟଙ୍କାରେ ବଜାରରେ ଉପଲବ୍ଧ ହେବ ।
"ଏହି ଉପକରଣ ବା ଯନ୍ତ୍ରଟି ବ୍ୟାଟେରୀ ଦ୍ବାରା ଚାର୍ଜ ହୋଇଥାଏ । ଏଥିରେ ଥିବା ସୁଇଚ୍ ଚିପିବା ମାତ୍ରେ 220ରୁ 440 ଭୋଲ୍ଟ ମଧ୍ୟରେ ବିଦ୍ୟୁତ ଆଘାତ ବାହାରିଥାଏ । ତେବେ ଦେଶରେ ପ୍ରତିଦିନ ମହିଳାଙ୍କୁ ଦୁଷ୍କର୍ମ ଘଟଣା ରିପୋର୍ଟ ଦେଖିବା ପରେ ମହିଳାମାନଙ୍କ ସୁରକ୍ଷା ପାଇଁ ମୁଁ କିଛି କରିବା ପାଇଁ ଭାବି ଏହି ଯନ୍ତ୍ରଟିକୁ ଡିଜାଇନ୍ କରିଥିଲି । ଏହି ବିଦ୍ୟୁତ ଝଟ୍କା ଖାଇବା ପରେ ଅପରାଧୀ କିଛି ସମୟ ପାଇଁ ଚେତାଶୂନ୍ୟ ହୋଇପଡିବ ଏବଂ ଏହି ସମୟ ମଧ୍ୟରେ ମହିଳା ଜଣକ ଖସି ପଳାଇବାରେ ସକ୍ଷମ ହୋଇପାରିବ " ବୋଲି ପୂଜା କହିଛନ୍ତି ।
ତେବେ ପୂଜାଙ୍କ 12ବର୍ଷୀୟ ସାନ ଭାଇ ଶିବା ଏହି ପ୍ରୋଜେକ୍ଟରର ବୈଷୟିକ ଦିଗ ଏବଂ ଡିଭାଇସକୁ ଏକ କମ୍ପାକ୍ଟ ଲୁକ୍ ଦେବାରେ ସାହାଯ୍ୟ କରିଥିବା ସୂଚନା ମିଳିଛି । ପୂଜା ଟିଙ୍କର ଇଣ୍ଡିଆ ଅଭିଯାନରେ ଜଡିତ ଥିବାରୁ ଏହାର ପ୍ରତିଷ୍ଠାତା କୌସ୍ତୁଭ ଓମାର ଯନ୍ତ୍ରଟିର ନାମ ପୂଜାଙ୍କ ନାମ ଅନୁସାରେ ରଖିବେ ବୋଲି ସ୍ଥିର କରିଛନ୍ତି । ବୈଷୟିକ ଅନୁଷ୍ଠାନ ଓ ଉତ୍ତରପ୍ରଦେଶ ରାଜ୍ୟ ସରକାରଙ୍କ ମିଳିତ ଆନୁକୁଲ୍ୟରେ ଏହି ଯନ୍ତ୍ରର ବଜାର ପ୍ରବେଶ କରାଯିବା ବୋଲି କୌସ୍ତୁଭ ଓମାର କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ