ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଅରୁଣ ମିଶ୍ର ବାର୍ ଆସୋସିଏସନର ବିଦାୟ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ। ଜଷ୍ଟିସ ମିଶ୍ର ସେପ୍ଟେମ୍ବର 2ରେ ଅବସର ନେଉଛନ୍ତି। ତେଣୁ ବାର୍ ଆସୋସିଏସନ ପକ୍ଷରୁ ତାଙ୍କୁ ବିଦାୟ ଦେବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ହେଲେ କୋରୋନା ମହାମାରୀ ସମୟରେ ଏହି ବିଦାୟ କାର୍ଯ୍ୟକ୍ରମରେ ଭାଗ ନେବାକୁ ତାଙ୍କ ବିବେକ ଅନୁମତି ଦେଉନାହିଁ ବୋଲି ସେ କହିଛନ୍ତି। ଏଥିସହ ସେ ବାର୍ ଆସୋସିଏସନର ନିମନ୍ତ୍ରଣ ପାଇଁ କୃତଜ୍ଞତା ଜଣାଇଛନ୍ତି ।
ସେ ଏକ ବିବୃତ୍ତି ଜାରି କରି କହିଛନ୍ତି, ମୁଁ ବାର୍ ଆସୋସିଏସନକୁ ନ୍ୟାୟପାଳିକାର ମା ଭାବରେ ଦେଖେ ଏବଂ ଏହାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଆନନ୍ଦର ବିଷୟ । କିନ୍ତୁ କୋଭିଡ -19 ମହାମାରୀର ଗମ୍ଭୀରତାକୁ ଦୃଷ୍ଟିରେ ରଖି ମୋର ବିବେକ ମୋତେ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଅନୁମତି ଦେଉନାହିଁ। ଏଥିପାଇଁ ମୋତେ କ୍ଷମା କରନ୍ତୁ । ତେବେ ସ୍ଥିତି ସ୍ୱାଭାବିକ ହେବା ମାତ୍ରେ ସେ ନିଶ୍ଚିତ ଭାବରେ ଯାଇ ନିଜର ସମ୍ମାନ ଗ୍ରହଣ କରିବେ ବୋଲି ଜଷ୍ଟିସ୍ ମିଶ୍ର କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଜଷ୍ଟିସ ଅରୁଣ ମିଶ୍ର ସୁପ୍ରିମକୋର୍ଟର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିର ଏକ ଅଂଶ ଥିଲେ । ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ ଅବମାନନା ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠର ଅଂଶ ମଧ୍ୟ ଥିଲେ ଜଷ୍ଟିସ ଅରୁଣ ମିଶ୍ର । ଏହାପୂର୍ବରୁ ସେ କୋଲକାତା ହାଇକୋର୍ଟର ପ୍ରଧାନ ବିଚାରପତି ମଧ୍ୟ ରହିଛନ୍ତି। 1978 ରୁ 1999 ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ୱାଲିଅର୍ ବେଞ୍ଚରେ ଅଭ୍ୟାସ କରିବା ପରେ ଅରୁଣ ମିଶ୍ର ବିଚାରପତି ହୋଇଥିଲେ।