ହାଇଦ୍ରାବାଦ: ଭାରତର ସମ୍ବିଧାନ ଆମ ନାଗରିକଙ୍କୁ ପ୍ରଦାନ କରିଥିବା ମୌଳିକ ଅଧିକାର ଭିତରେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଉଛି ବଞ୍ଚିବାର ଅଧିକାର। ହେଲେ ପରିତାପର ବିଷୟ ଏହା ଯେ, ଆମ ମହାନଗରୀରେ ଏହି ଅଧିକାରକୁ ଖୋଲାଖୋଲି ଦମନ କରାଯାଉଛି।
ଯଦିଓ ଏହି ମହାନଗରୀ ସଭ୍ୟ ସମାଜର ପେଣ୍ଠସ୍ଥଳ ଭାବେ ନିଜକୁ ପରିଚୟ ଦେଉଛନ୍ତି, ହେଲେ ଏଠାରେ ଜୀବନଧାରଣ ଅତି ବିପଜ୍ଜନକ ହୋଇପଡ଼ିଛି। ବିଶେଷକରି ଏହି ସହରରେ ଯୋଗାଯୋଗର ପ୍ରମୁଖ ମାଧ୍ୟମ ପାଲଟିଥିବା ରାଜପଥ ଅସୁରକ୍ଷିତ ତଥା ବିପର୍ଯ୍ୟୟ ହେବା ଏବଂ ଏଠାକାର ସାଧାରଣ ଯୋଗାଯୋଗ ବ୍ୟବସ୍ଥା ବିପଜ୍ଜନଜ ବୋଲି ପ୍ରମାଣିତ ହେବା ପରେ ଏହି ବିଷୟ କର୍ଣ୍ଣାଟକ ହାଇକୋର୍ଟଙ୍କୁ ମଧ୍ୟ ଆନ୍ଦୋଳିତ କରିଛି।
ଦିନକୁ ଦିନ ବଢ଼ୁଥିବା ଦୁର୍ଘଟଣା ଏବଂ ଖରାପ ରାସ୍ତା ଯୋଗୁଁ ପଥଚାରୀ ଭୋଗୁଥିବା ସଙ୍କଟ ପାଇଁ କୋର୍ଟ ମହାନଗରପାଳିକାକୁ ଦାୟୀ କରିଛନ୍ତି। ଏଣୁ କୋର୍ଟ ମହାନଗର ପାଳିକାକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ରାସ୍ତାର ମରାମତି ତଥା ରକ୍ଷଣାବେକ୍ଷଣ ଅଭାବ ହେତୁ ଦୁର୍ଘଟଣା ଭୋଗୁଥିବା ନାଗରିକଙ୍କୁ ମହାନଗରପାଳିକା କ୍ଷତିପୂରଣ ଦେଉ। ଏଥିଲାଗି ଏକ ସ୍ଵତନ୍ତ୍ର କକ୍ଷ ସୃଷ୍ଟି କରାଯାଉ। ଯେଉଁଠାରେ ପ୍ରଭାବିତ ନାଗରିକ ଅଭିଯୋଗ ଦାଖଲ କରିପାରିବେ।
ଏହି ଆଦେଶ ବିରୋଧରେ ମହାନଗର ପାଳିକା ହାଇକୋର୍ଟଙ୍କ ଦ୍ଵାରସ୍ତ ହୋଇଥିଲେ ମଧ୍ୟ କୋର୍ଟ ମହାନଗରପାଳିକାଙ୍କ ଯୁକ୍ତିରେ ସନ୍ତୁଷ୍ଟ ନହୋଇ ଆଦେଶକୁ କାଏମ ରଖିଛନ୍ତି।
ଏହି ସମ୍ପର୍କରେ ଏକ ବିଚାର ବିଭାଗୀୟ ଖଣ୍ଡପୀଠ ସମ୍ପୃକ୍ତ ମହାନଗର ନିଗମକୁ ଆଦେଶ ଦେଇଥିଲେ ଯେ, ରାସ୍ତାରେ ଯେପରି କୌଣସି ଖାଲ ଖମା ରହିବ ନାହିଁ ତାହା ନଗରପାଳିକା ନିଶ୍ଚିତ କରୁ। ଯଦିଓ ବୃହତ ବେଙ୍ଗାଲୁରୁ ମହାନଗରପାଲିକେ(ବିବିଏମ୍ପି) କର୍ଣ୍ଣାଟକ ହାଇକୋର୍ଟଙ୍କ ପାଖରେ ଯୁକ୍ତି ଦର୍ଶାଇ ଏହା ସ୍ପଷ୍ଟୀକରଣ ଦେଇଥିଲେ ଯେ, କର୍ଣ୍ଣାଟକ ମ୍ୟୁନିସିପାଲିଟି ଆଇନରେ ଏପରି କ୍ଷତିପୂରଣ ଦେବାର କୌଣସି ବ୍ୟବସ୍ଥା ନାହିଁ। ପୁଣି ଯଦି ମାହାନଗରପାଳିକେ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯିବ, ତାହା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅନେକ ଅତିରିକ୍ତ ଖର୍ଚ୍ଚ ସହିବାକୁ ବାଧ୍ୟ କରାଇବ।
ଏଣୁ କୋର୍ଟ ନିଜ ଆଦେଶକୁ ପୁନର୍ବିଚାର କରନ୍ତୁ। ଏହି ପ୍ରକାର ଯୁକ୍ତି ଶୁଣି ହାଇକୋର୍ଟ କହିଥିଲେ ଯେ, ଯଦି କ୍ଷତିପୂରଣ ଦେବା ପାଇଁ ମହାନଗର ଆଇନରେ ବ୍ୟବସ୍ଥା ନାହିଁ, ରାସ୍ତା ଉପରେ ବେଆଇନ ନିର୍ମାଣ ଓ ରାସ୍ତାକୁ ଖାଲଖମାପୂର୍ଣ୍ଣ କରିବା କ’ଣ ମହାନଗରପାଳିକା ଆଇନରେ ଉଲ୍ଲେଖ ରହିଛି? ହାଇକୋର୍ଟଙ୍କ ଏହିପରି ଆଭିମୁଖ୍ୟ ବାସ୍ତବରେ ଦେଶର ଅନ୍ୟ ନଗରପାଳିକାଙ୍କ ଆଖି ଖୋଲିବା ପାଇଁ ଏକ ଉଚିତ ପ୍ରହାର।
କୋର୍ଟଙ୍କ ଏହି ଆଦେଶ ବାସ୍ତବରେ ସଡ଼କ ସୁରକ୍ଷାକୁ ବଞ୍ଚିବାର ଅଧିକାର ଭାବେ ବ୍ୟାଖ୍ୟା କରିଛି, ଯାହା ଅନ୍ୟ ସମସ୍ତ ଅଧିକାରଠୁ ଊର୍ଦ୍ଧ୍ବରେ। କେବଳ କର୍ଣ୍ଣାଟକ ହାଇକୋର୍ଟ ନୁହଁନ୍ତି, ୨୦୧୫ ମସିହାରେ ସମାନ ପୃଷ୍ଠଭୂମିରେ ବମ୍ବେ ହାଇକୋର୍ଟ ବଞ୍ଚିବାର ଅଧିକାରକୁ ଏକ ମୌଳିକ ଅଧିକାର ଭାବେ ଗ୍ରହଣ କରିଛନ୍ତି। ସମ୍ବିଧାନର ଧାରା ୨୧ ଅନୁସାରେ ନାଗରିକଙ୍କୁ ପ୍ରଦାନ କରାଯାଇଥିବା ମୌଳିକ ଅଧିକାରରୁ ଏହା ଗୋଟିଏ ବୋଲି କୋର୍ଟ କହିଛନ୍ତି।
ସମ୍ପ୍ରତି କର୍ଣ୍ଣାଟକ ହାଇକୋର୍ଟଙ୍କ ପ୍ରମୁଖ ବିଚାରପତି ଥିବେ ଅଭୟ ଓକା ସେତେବେଳେ ବମ୍ବେ ହାଇକୋର୍ଟଙ୍କ ଏହି ବିଚାର ପ୍ରଦାନ କରିଥିବା ଖଣ୍ଡପୀଠର ସଦସ୍ୟ ଥିଲେ। ବମ୍ବେ ପରି ସେ ବାଙ୍ଗାଲୋରରେ ସମାନ ଅଭିଯୋଗର ଶୁଣାଣି କରି ବିଚାର ଘୋଷଣା କରିବା ପରେ ଏଠାର ମୁନିସିପିଲିଟି ଅଧିକାରୀ ମ୍ୟୁନିସପାଲିଟିର ସାର୍ବଭୌମତ୍ୱ କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ କରିଥିଲେ। ଜବାବରେ ହାଇକୋର୍ଟ ସମ୍ବିଧାନର ଧାରା ୨୨୬କୁ ଉଲ୍ଲେଖ କରି କହିଥିଲେ ଯେ, ରାସ୍ତାର ଆବଶ୍ୟକ ରକ୍ଷଣାବେକ୍ଷଣ ହେତୁ ହେଉଥିବା ଦୁର୍ଘଟଣା ପାଇଁ ମ୍ୟୁନିସିପାଲିଟି ଦାୟୀ ରହିବ ଏବଂ ଏହି ଧାରା ବଳରେ ନାଗରିକଟିଏ ରାସ୍ତା ଦୋଷ ହେତୁ ଦୁର୍ଘଟଣା ପାଇଁ ଆବଶ୍ୟକ ତିପୂରଣ ଦାବି କରିପାରିବ।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ( ଏନ୍ସିଆର୍ବି) ରିପୋର୍ଟ ଅନୁସାରେ ୨୦୧୩ରୁ ୨୦୧୭ ମସିହା ଭିତରେ ପ୍ରାୟ ୧୫ହଜାର ନାଗରିକଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ହୋଇଛି। ଏହି ସମୟରେ ଆତଙ୍କବାଦୀ ଆକ୍ରମଣ ଦ୍ଵାରା ହୋଇଥିବା ମୃତ୍ୟୁ ସଂଖ୍ୟା ଠାରୁ ଏହି ସଂଖ୍ୟା ଯଥେଷ୍ଟ ଅଧିକ। ଏଥିଲାଗି ବିଭିନ୍ନ ମ୍ୟୁନିସିପାଲିଟି, ଜାତୀୟ ରାଜପଥ ପ୍ରାଧୀକରଣ, ଏବଂ ରାଜ୍ୟ ସଡ଼କ ପରିବହନ ମନ୍ତ୍ରଣାଳୟ ଏଥିପାଇଁ ଦାୟୀ ରହିବେ।
ଏହିକ୍ରମରେ ସର୍ବାଧିକ ଦୁର୍ଘଟଣା ଘଟୁଥିବା ରାଜ୍ୟ ବାବଦରେ ସୂଚନା ଦେଇ ରେକର୍ଡ଼ ସ୍ପଷ୍ଟ କରିଛି ଯେ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ତାମିଲ୍ନାଡ଼ୁ ଓ ଆନ୍ଧ୍ର ପ୍ରଦେଶ ଭଳି ରାଜ୍ୟରେ ରାସ୍ତାରେ ଖାଲଖମା ତଥା ଖରାପ ରାସ୍ତା ହେତୁ ଦୁର୍ଘଟଣା ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଅଧିକ।
ନାଗରିକଙ୍କୁ ଆବଶ୍ୟକ ମୌଳିକ ସୁବିଧା ସୁଯୋଗ ଯୋଗାଇବା ତଥା ଯେଗାଇ ଦିଆଯାଉଥିବା ସେବାର ଉଚ୍ଚଗୁଣବତ୍ତା ମାନ ରକ୍ଷା କରିବା ହେଉଛି ପ୍ରତିଟି ମ୍ୟୁନିସିପାଲିଟିର ପ୍ରଥମ କର୍ତ୍ତବ୍ୟ। ଦିନକୁ ଦିନ ବଢ଼ୁଥିବା ସହରୀକରଣ ତଥା ସହରୀକରଣରେ ଆକୃଷ୍ଟ ହୋଇ ଗ୍ରାମାଞ୍ଚଳରୁ ସହର ଆଡ଼କୁ ମୁହାଁଇଥିବା ଲୋକଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇବା ଲାଗି ସହରାଞ୍ଚଳ କର୍ତ୍ତୃପକ୍ଷ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ସ୍ପଷ୍ଟ ହେଉନାହିଁ।
ଏପରିକି ସହରାଞ୍ଚଳର ଅନେକ ରାସ୍ତାରେ ଆଲୁଅ ବ୍ୟବସ୍ଥା ମଧ୍ୟ ରହୁନାହିଁ। ଫଳରେ ଅନେକ ଅପରାଧ ଘଟୁଛି। ବିଶେଷକରି ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ତଥା ଲିଙ୍ଗଗତ ଅପରାଧକୁ ରୋକିବା ଲାଗି ତଦନ୍ତ କରୁଥିବା ଜେଏସ୍ ବର୍ମାଙ୍କ କମିଟି ରାଜ୍ୟ ସରକାରଙ୍କୁ ରାସ୍ତାରେ ଆଲୁଅ ବ୍ୟବସ୍ଥା କରାଇବା ପାଇଁ ପରାମର୍ଶ ଦେଇଥିଲେ। ପୁଣି କେବଳ ରାସ୍ତାକଡ଼ରେ ବିଜୁଳି ଖୁଣ୍ଟ ଠିଆ କରିଦେଲେ ହେବ ନାହିଁ, ଏଗୁଡ଼ିକର ଆବଶ୍ୟକ ରକ୍ଷଣାବେକ୍ଷଣ ସହ ଆଲୋକ ସବୁ ରାତିବେଳେ ଜଳୁଥିବା ଆବଶ୍ୟକ ବୋଲି କମିଟି ମତ ଦେଇଥିଲେ।
ସେହିପରି କେନ୍ଦ୍ର ସରକାର ଜାତୀୟ ରାଜପଥର ଖରାପ ରକ୍ଷଣାବେକ୍ଷଣ ବ୍ୟବସ୍ଥା ଉପରେ ଉଦ୍ବେଗ ପ୍ରକାଶ କରି ଜାତୀୟ ରାଜପଥ ପ୍ରାଧିକରଣକୁ ଭର୍ତ୍ସନା କରିଥିଲେ। କିଛିଦିନ ତଳେ ମୁମ୍ବାଇରେ ଜଣେ ମହିଳା ସ୍କୁଟର ଚାଳକ ରାସ୍ତାରେ ହୋଇଥିବା ଖାଲଖମାରୁ ବର୍ତ୍ତିବାକୁ ଯାଇ ଭାରସାମ୍ୟ ହରାଇଥିଲେ। ଏହାଫଳରେ ତାଙ୍କୁ ଏକ ଟ୍ରକ୍ ପିଟିଥିଲା। ମୁମ୍ବାଇ ପୁଲିସ୍ ଘଟଣାର ତଦନ୍ତ କରି ସମ୍ପୃକ୍ତ ମହିଳା ଡ୍ରାଇଭରଙ୍କ ବିରୋଧରେ ବେପରୁଆ ଗାଡ଼ି ଚାଳନା ଅପରାଧ ରୁଜ୍ଜୁ କରିଥିଲେ।
ଏଥିରୁ ସ୍ପଷ୍ଟ ହେଉଛି ଆମ ବ୍ୟବସ୍ଥା କେତେ ଅସଙ୍ଗଠିତ। ସୁପ୍ରିମ୍କୋର୍ଟଙ୍କ ଦ୍ଵାରା ନିଯୁକ୍ତ ପ୍ୟାନେଲ୍ ଏ ଭଳି ଦୁର୍ଘଟଣାରେ ପ୍ରଭାବିତ ହେଉଥିବା ଲୋକଙ୍କୁ କର୍ତ୍ତୃପକ୍ଷଙ୍କୁ କ୍ଷତିପୂରଣ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ। ସୁପ୍ରିମ୍କୋର୍ଟ ପ୍ୟାନେଲ୍ର ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ। ଏଥିରୁ ସ୍ପଷ୍ଟ ଯେ, ନିଜ ଅଞ୍ଚଳରେ ରାସ୍ତାଘାଟକୁ ସୁରକ୍ଷିତ କରିବା ପାଇଁ ସମ୍ପୃକ୍ତ ସ୍ଥାନୀୟ କର୍ତ୍ତୃପକ୍ଷ ବାଧ୍ୟ। ଏଣୁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ଏ କ୍ଷେତ୍ରରେ ଦୁର୍ନୀତି ବିଲୋପ ଠାରୁ ଆରମ୍ଭ କରି ରାସ୍ତାଘାଟର ରକ୍ଷଣାବେକ୍ଷଣ ତଥା ସୁରକ୍ଷା ଲାଗି ଆବଶ୍ୟ ପାଣ୍ଠି ଆଣ୍ଟନ ଲାଗି ବ୍ୟବସ୍ଥା କରିପାରିଲେ ଧିରେ ଧିରେ ମୃତ୍ୟୁ ଆଡ଼କୁ ମୁହାଁଉଥିବା ଆମ ବଞ୍ଚିବାର ଅଧିକାର ପୁଣିଥରେ ପୁନର୍ଜୀବିତ ହୋଇପାରିବ।