ରାଞ୍ଚି: ପ୍ରବାସୀ ଶ୍ରମିକଙ୍କୁ ଚାର୍ଟାଡ ବିମାନରେ ଫେରାଇ ଆଣିବାକୁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ।
ସୂଚନା ଅନୁଯାୟୀ, କୋରୋନା ମହାମାରୀ ପାଇଁ ଦେଶରେ ମେ 31 ପର୍ଯ୍ୟନ୍ତ ଲକଡାଉନ ଲାଗୁ ହୋଇଛି । ଏହା ମଧ୍ୟରେ ବହୁ ପ୍ରବାସୀ ଶ୍ରମିକ ବିଭିନ୍ନ ରାଜ୍ୟରେ ଫସିଥିବା ବେଳେ ଲଦାଖ, ଆଣ୍ଡାମାନ ଏବଂ ଉତ୍ତର ପୂର୍ବରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିବା ଏକ ବଡ ଚ୍ୟାଲେଞ୍ଜ ଅଟେ । ଏଣୁ ଝାଡଖଣ୍ଡ ସରକାର ଲଦାଖ, ଆଣ୍ଡାମାନ ଏବଂ ଉତ୍ତର ପୂର୍ବରେ ଫସି ରହିଥିବା ନିଜ ରାଜ୍ୟର ପ୍ରବାସୀ ଶ୍ରମିକଙ୍କୁ ଚାର୍ଟାଡ ବିମାନ ଯୋଗେ ଫେରାଇ ଆଣିବା ପାଇଁ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଚିଠି ଲେଖି ଅନୁମତି ମାଗିଛନ୍ତି ।
ଏଥିସହ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚିଠି ଯୋଗେ ଏହା ମଧ୍ୟ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁମତି ମିଳିବା ପରେ ଝାଡଖଣ୍ଡର 1.5 ଲକ୍ଷ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଛନ୍ତି ।
ତେବେ ଗତ ମେ 12ରେ ମଧ୍ୟ ଝାଡଖଣ୍ଡ ସରକାର ପ୍ରବାସୀ ଶ୍ରମିକଙ୍କୁ ଚାର୍ଟାଡ ବିମାନରେ ଆଣିବା ପାଇଁ ଅନୁମତି ମାଗିଥିଲେ । ଲଦାଖରେ ପ୍ରାୟ 200 ପ୍ରବାସୀ ଶ୍ରମିକ ଏବଂ ଉତ୍ତର ପୂର୍ବ ରାଜ୍ୟରେ ପ୍ରାୟ 450 ଶ୍ରମିକ ବର୍ତ୍ତମାନ ସୁଦ୍ଧା ଫସିରହିଛନ୍ତି । ଯଦି ଗୃହ ମନ୍ତ୍ରଣାଳୟ ଅନୁମତି ଦିଅନ୍ତି ତେବେ ସମ୍ମାନପୂର୍ବକ ଶ୍ରମିକ ମାନଙ୍କୁ ରାଜ୍ୟକୁ ଫେରାଇ ଆଣିବୁ ବୋଲି କହିଛନ୍ତି ଝାଡଖଣ୍ଡ ସରକାର ।