ନୂଆଦିଲ୍ଲୀ: ଅଯୋଧ୍ୟା ରାୟ ଆସିବା ପରେ ପ୍ରଥମ ଥର ପାଇଁ ରାମ ମନ୍ଦିର ଉପରେ ବଡ ବୟାନ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଝାଡଖଣ୍ଡର ନିର୍ବାଚନୀ ରାଲିକୁ ସମ୍ବୋଧନ କରି ଶାହ କହିଛନ୍ତି, ରାମ ଜନ୍ମଭୂମିରେ ଭଗବାନ ରାମଙ୍କ ବୃହତ ଭବ୍ୟ ମନ୍ଦିର ନିର୍ମାଣ ହେବ । କଂଗ୍ରେସ ଅଯୋଧ୍ୟା ମାମଲାରେ ବାଧା ସୃଷ୍ଟି କରୁଥିଲା । କିନ୍ତୁ ସୁପ୍ରିମକୋର୍ଟ ଏହି ମାମଲାରେ ଐତିହାସିକ ରାୟ ପ୍ରକାଶ କରିଛନ୍ତି । କୋର୍ଟଙ୍କ ରାୟ ପରେ ଏବେ ମନ୍ଦିର ନିର୍ମାଣର ରାସ୍ତା ସଫା ହୋଇଛି ବୋଲି ଶାହ କହିଛନ୍ତି ।
ରାଲିରେ କଂଗ୍ରେସ ଉପରେ ବର୍ଷିବା ସହ ଆଦିବାସୀ ଭୋଟରଙ୍କୁ ଆକର୍ଷିତ କରିବାର ପ୍ରୟାସ କରିଛନ୍ତି ଗୃହମନ୍ତ୍ରୀ ଶାହ । ସେ କହିଛନ୍ତି, କଂଗ୍ରେସ 70 ବର୍ଷ ଧରି ଭାରତରେ ଶାସନ କଲା । କିନ୍ତୁ ଆଦିବାସୀ ମାନଙ୍କ ପାଇଁ କଂଗ୍ରେସ କିଛି କରିନାହିଁ । ଗରିବଙ୍କ ଘରେ ନା ବିଜୁଳି ସେବା ଥିଲା ନାହିଁ ରୋଷେଇ ଗ୍ୟାସ । ରାଜ୍ୟରେ ବିଜେପି ଶାସନ କ୍ଷମତାକୁ ଆସିବା ପରେ ହିଁ ପ୍ରତିଘରେ ବିଜୁଳି ଆସିଲା ଏବଂ ମା-ଭଉଣୀଙ୍କ ପାଖରେ ରୋଷେଇ ଗ୍ୟାସ ପହଞ୍ଚିଲା । ବିଜେପି ଆଦିବାସୀ ଶିଶୁଙ୍କ ବିକାଶ ପାଇଁ ଦେଶର ପ୍ରତ୍ୟକ ଆଦିବାସୀ ବ୍ଲକରେ ପ୍ରଧାନମନ୍ତ୍ରୀ ମୋଦି ଗରିବଙ୍କ ପାଇଁ ଏକଲବ୍ୟ ସ୍କୁଲ ଖୋଲିଛି ବୋଲି ଶାହ କହିଛନ୍ତି ।
ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ନେଇ ସେ କହିଛନ୍ତି ଯେ, କଂଗ୍ରେସ ଭୋଟ ଲାଳସାରେ ଧାରା 370ର ସମାଧାନ କରିନଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମାତାଙ୍କ ମୁକୁଟରେ ଲାଗିଥିବା ଏହି କଳଙ୍କକୁ ହଟାଇ ଏହି ସମସ୍ୟାର ସମାଧାନ କଲେ ।
ଏହା ବ୍ୟତୀତ ଝାଡଖଣ୍ଡର ରଘୁବର ସରକାରଙ୍କ ପ୍ରସଂଶାରେ ସେ କହିଛନ୍ତି, ରଘୁବର ସରକାର ଗତ 5 ବର୍ଷ ମଧ୍ୟରେ ଝାଡଖଣ୍ଡରେ ନକ୍ସଲବାଦକୁ ଶେଷ କରିବାର କାର୍ଯ୍ୟ କରିଛନ୍ତି । ପରିଣାମ ସ୍ବରୁପ ପ୍ରଦେଶର ପ୍ରତିଟି ଗ୍ରାମରେ ବିଜୁଳି, ରାସ୍ତା ଏବଂ ଅନ୍ୟାନ୍ୟ ସମସ୍ୟାର ସମାଧାନ ହୋଇପାରିଛି । ଝାଡଖଣ୍ଡରେ ଡବଲ ଇଞ୍ଜିନ ସରକାରଙ୍କ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଅମିତ ଶାହ କହିଛନ୍ତି ।