ନୂଆଦିଲ୍ଲୀ: ବୁଧବାର ପୁଲୱାମା ଆକ୍ରମଣର ମାଷ୍ଟର ମାଇଣ୍ଡ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହରକୁ ଆତଙ୍କବାଦୀ ଘୋଷଣା କରାଯାଇପାରେ । ଆଜି(ବୁଧବାର) ଅପରାହ୍ନ 3ଟା ସୁଦ୍ଧା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(ୟୁଏନଏସସି)ର କୌଣସି ସଦସ୍ୟ ଯଦି ଅଜହରକୁ ଆତଙ୍କବାଦୀ ଘୋଷଣା ଉପରେ ଆପତ୍ତି ନ ଉଠାନ୍ତି ତେବେ ଅଜହରକୁ ଆତଙ୍କବାଦୀ ଘୋଷଣା କରାଯାଇପାରେ ।
ପୁଲୱାମା ଆକ୍ରମଣ ପରେ ମସହୁଦ ଅଜହର ଉପରେ ସାରା ବିଶ୍ବର ନଜର ରହିଛି । ଏପରିକି ଅଜହରର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ବିରୋଧରେ ଆମେରିକା, ବ୍ରିଟେନ ଓ ଫ୍ରାନ୍ସରେ ପ୍ରସ୍ତାବ ଆଗତ ହୋଇଥିଲା ।
ବାରମ୍ବାର ଭାରତ ଉପରେ ଆକ୍ରମଣ କରି ଦେଶରେ ଅଶାନ୍ତି ସୃଷ୍ଟି କରୁଛି ଅଜହର । ତେବେ ଅଜହରକୁ ଆତଙ୍କବାଦୀ ଭାବେ ଘୋଷଣା କରିବା ପାଇଁ ଏହା ହେଉଛି ଚତୁର୍ଥ ପ୍ରସ୍ତାବ । ପୂର୍ବରୁ ମଧ୍ୟ ଅଜହରକୁ ଆତଙ୍କବାଦୀ ଘୋଷଣା ସାରା ବିଶ୍ବରେ ଦାବି ଜୋର ହେଉଥିଲା । କିନ୍ତୁ ଅଜହରକୁ ଆତଙ୍କବାଦୀ ଘୋଷଣା ନ ହେବା ପଛରେ ଚୀନର ରହିଛି ହାତ । ବାରମ୍ବାର ଅଜହରକୁ ଆତଙ୍କବାଦୀ ଘୋଷଣା ପାଇଁ ଆପତ୍ତି ଉଠାଉଥିଲା ଚୀନ ।
ୟୁଏନଏସସିର ଭାରତୀୟ ସଦସ୍ୟ ଅଶୋକ ମୁଖାର୍ଜୀ କହିଛନ୍ତି, ସାଇଲେନ୍ସ ପିରିୟଡ ମଧ୍ୟରେ କୌଣସି ଦେଶ ଚାହିଁଲେ ଆପତ୍ତି ଉଠାଇ ପାରନ୍ତି । ଆଉ ଏହି ସାଇଲେନ୍ସ ପିରିୟଡ 13 ମାର୍ଚ୍ଚ ସୁଦ୍ଧା ଶେଷ ହୋଇଯିବ ଏବଂ ମାସୁଦକୁ 1267 ପ୍ରତିବନ୍ଧ ସୂଚୀରେ ସାମିଲ କରାଯିବ ।
କହିରଖୁଛୁ, ୟୁଏନଏସସିରେ ମୋଟ୍ 15ଟି ଦେଶ ଅଛନ୍ତି । ଏହି ସଦସ୍ୟମାନଙ୍କୁ ପରିଷଦକୁ ଚିଠି ପଠାଇବାକୁ ହେବ । ଏଥିପାଇଁ କୌଣସି ବୈଠକ କରାଯିବ ନାହିଁ । ମସୁଦକୁ ଆତଙ୍କବାଦୀ ଘୋଷଣା ଉପରେ କୌଣସି ଦେଶର ଆପତ୍ତି ନ ଉଠାନ୍ତି , ତାହା ହେଲେ 3ଟା ପରେ ପ୍ରତିବନ୍ଧିତ ସୂଚୀରେ ଚାଲିଆସିବ ମସୁଦ । ଏହା ପରେ ପରିଷଦ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯିବ ।
ଅନ୍ୟପଟେ ମସୁଦକୁ ଆତଙ୍କବାଦୀ ଘୋଷଣା ଉପରେ ଚୀନର ଆଭିମୁଖ୍ୟ ତର୍କସଙ୍ଗତ ଓ ସ୍ପଷ୍ଟ ରହିଛି ।