ବେଙ୍ଗାଲୁରୁ: ଜେଡିଏସ୍ କର୍ପୋରେଟର ଇମ୍ରାନ ପାଶା ଗିରଫ । କୋଭିଡ -19 ଡାକ୍ତରଖାନାରୁ ପାଦାରାୟଣପୁରସ୍ଥିତ ବାସଭବନ ପର୍ଯ୍ୟନ୍ତ ସ୍ୱାଗତ ଶୋଭାଯାତ୍ରାରେ ଯିବା ପରେ ଗିରଫ କରିଛି ପୋଲିସ । କାରଣ ଏହା ଏକ କଣ୍ଟେଣ୍ଟମେଣ୍ଟ ଜୋନ । ଲକଡାଉନ୍ ଗାଇଡଲାଇନ ଅମାନ୍ୟ ଅଭିଯୋଗରେ ବେଙ୍ଗାଲୁରୁ ପୋଲିସ ତାଙ୍କୁ ଗିରଫ କରିଛି ।
ସେ ପୂର୍ବରୁ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରି ଅଟକ ଥିଲେ । ପରବର୍ତ୍ତୀ ସମୟରେ ସେ କୋରୋନାରେ ଆକ୍ରାନ୍ତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ମନା କରିଦେଇଥିଲେ। ଫଳରେ ତାଙ୍କୁ ଭିକ୍ଟୋରିଆ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ତେବେ ରବିବାର ଅପରାହ୍ନରେ, ପାଶାଙ୍କ ସମର୍ଥକମାନେ ଭିକ୍ଟୋରିଆ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ତାଙ୍କୁ ଫୁଲ ଏବଂ ବାଣ ଫୁଟାଇ ସ୍ବାଗତ କରିଥିଲେ। ସେ ନିଜ କାରର ସନରୁଫରେ ଠିଆ ହୋଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଏହି ଶୋଭାଯାତ୍ରା ଯୋଗୁଁ ମହୀଶୂର ରାସ୍ତାରେ ଏବଂ ଆଖପାଖରେ ବ୍ୟାପକ ଟ୍ରାଫିକ୍ ଜାମ୍ ହୋଇଥିଲା। ଫଳରେ ଖବର ପାଇ ବେଙ୍ଗାଲୁରୁ ପୋଲିସ ତାଙ୍କ ଘରେ ପହଞ୍ଚି ପାଶାଙ୍କୁ ଗିରଫ କରିଛି । ବିପର୍ଯ୍ୟୟ ପରିଚାଳନା ଆଇନ, 2005 ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି । ବେଙ୍ଗାଲୁରୁ ନଗର ପୋଲିସ କମିଶନର ଭାସ୍କର ରାଓ ମଧ୍ୟ ପଦାରାୟଣପୁରାକୁ ଯାଇ ଜେଜେ ନାଗର ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଏହି ଅଞ୍ଚଳରେ ନିଷେଧାଦେଶ ଜାରି କରିଥିଲେ। ଏହି ଅଞ୍ଚଳରେ ଦୁଇ ପ୍ଲାଟୁନ୍ କେଏସଆରପି ନିୟୋଜିତ କରିଥିଲେ । ଭାସ୍କର ରାଓ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା ଆଇନ ଉଲ୍ଲଂଘନ ନେଇ ଆମେ ଇମ୍ରାନ ପାଶାଙ୍କୁ ଗିରଫ କରିଛୁ ଏବଂ ଘଟଣାର ତଦନ୍ତ କରୁଛୁ।
ଚାମରାଜପେଟ୍ ବିଧାୟକ ବି ଜେ ଜାମିର ଅହମ୍ମଦ ପୋଲିସର କାର୍ଯ୍ୟକୁ ସମର୍ଥନ କରିଥିଲେ। ''ମୁଁ ଶୁଣି ଖୁସି ଯେ ଇମ୍ରାନ ପାଶା ସୁସ୍ଥ ଅଛନ୍ତି। ତଥାପି ମୁଁ ତାଙ୍କ ଦ୍ୱାରା ଆୟୋଜିତ ରାଲିକୁ ନିନ୍ଦା କରୁଛି ।କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସେ ଟ୍ୱିଟ କରିଛନ୍ତି। ଏହାପୂର୍ବରୁ ମେ 29 ରେ ଆମ୍ବୁଲାନ୍ସରେ ହସ୍ପିଟାଲ ଯିବା ବେଳେ ତାଙ୍କ ଅନୁଗାମୀମାନଙ୍କୁ ଅଭିବାଦନ ଜଣାଇବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପାଶାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଥିଲା ।