ଜମ୍ମୁ: ଦୁଇ ଦିନ ମଧ୍ୟରେ ଜାମ୍ମୁରେ ପ୍ରାୟ 100 ଟି ନୂଆ କୋରୋନା ସଂକ୍ରମଣ ପରେ ଜିଲ୍ଲା ପ୍ରଶାସନ 12ଟି ଅଞ୍ଚଳକୁ ରେଡ୍ ଜୋନ୍ ବୋଲି ଘୋଷଣା କରିଛନ୍ତି। ଏହି ସବୁ ଅଞ୍ଚଳକୁ ସିଲ୍ କରି ଏଠାରେ ସମସ୍ତ କାର୍ଯ୍ୟ ବନ୍ଦ ରହିଛି । ଜମ୍ମୁ, ତ୍ରିକୁଟାନଗର, ଗୋରଖାନଗର, ମେରା ସାହିବର ସିମ୍ବଲ, ଖରିଆ ଗ୍ରାମ, କାନାଚାକର କଲ୍ୟାଣପୁର ଆଦି ଅଞ୍ଚଳକୁ ଜିଲ୍ଲାପାଳ ରେଡ୍ ଜୋନ୍ ଘୋଷଣା କରାଯାଇଛି ।
ଏହିକ୍ରମରେ ଜମ୍ମୁର ତ୍ରିକୁଟାନଗରର ୱାର୍ଡ 52, 53 ଓ 54 ରେ ଥିବା ସମସ୍ତ ଗଳିକୁ ସିଲ୍ କରାଯାଇଛି। ତ୍ରିକୁଟାନଗରରେ ଆୟକର ଓକିଲଙ୍କ ମୃତ୍ୟୁ ପରେ ସେ କୋରୋନାରେ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଥିଲା। ଏହା ପରେ ପୋଲିସ-ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଓ ଏହି ଅଞ୍ଚଳ ଗୁଡିକୁ ସିଲ କରାଯାଇଥିଲା। ଏହା ସହିତ ଜମ୍ମୁର ବାହୁ ଫୋର୍ଟ ପୋଲିସ ଷ୍ଟେସନ ଅନ୍ତର୍ଗତ ଗୋର୍ଖାନଗରରେ କୋରୋନା ସଂକ୍ରମିତ ମାମଲା ସାମ୍ନାକୁ ଆସିବା ପରେ ଏହାକୁ ମଧ୍ୟ ସିଲ୍ କରାଯାଇଛି।
ଜମ୍ମୁ ଜିଲ୍ଲାପାଳ ସୋମବାର ଏପିଡେମିକ୍ ରୋଗ ଅଧିନିୟମ 1897 ଅନୁଯାୟୀ ଏକ ନିର୍ଦ୍ଦେଶ ଜାରି କରି ଏହି ଅଞ୍ଚଳ ଗୁଡିକୁ ରେଡ୍ ଜୋନ୍ ବୋଲି ଘୋଷଣା କରିଛି। ଏଥିସହ ଜମ୍ମୁ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ବାରା ପ୍ରଶାସନ ରେଡ୍ ଜୋନ୍ ଭାବରେ ଘୋଷିତ ଅଞ୍ଚଳରେ ସାନିଟାଇଜ୍ କରିଥିଲେ ।