ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଦୃଢ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଅରୁଣ ଜେଟଲୀ । GST ଲାଗୁ, ଇଜ ଅଫ ଡୁଇଙ୍ଗ ବିଜନେସରେ ସୁଧାର ଆଣିବାକୁ ପ୍ରୟାସ ଓ ଭ୍ରଷ୍ଟାଚାରରୁ ଦୂରେଇ ରହିବାର ଉପାୟ ପାଇଁ ଅରୁଣ ଜେଟଲୀଙ୍କୁ ଆମେରିକା ଦୂତାବାସ ସବୁବେଳେ ମନେ ରଖିବ ବୋଲି କହିଛି ।
ଅମେରିକା ଦୂତାବାସ ପକ୍ଷରୁ ଆହୁରି କୁହାଯାଇଛି ଯେ, ଜେଟଲୀ ଭାରତ-ଆମେରିକା ସମ୍ପର୍କର ମହତ୍ତ୍ବକୁ ଚିହ୍ନିପାରିଥିଲେ । ଏହାସହ ଆର୍ଥିକ ସମ୍ପର୍କକୁ ବୃଦ୍ଧି କରିବାକୁ କାମ ମଧ୍ୟ କରିଥିଲେ ।
ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଶନିବାର ଦିଲ୍ଲୀ ଏମ୍ସରେ ନିଧନ ହୋଇଥିଲା । ପାର୍ଥିବ ଶରୀର ରବିବାର ବିଜେପି ମୁଖ୍ୟାଳୟରେ ଅନ୍ତିମ ଦର୍ଶନ ପାଇଁ ରଖାଯାଇଥିଲା । ଏହାପରେ ରାଜକୀୟ ସମ୍ମାନ ସହ ନିଗମବୋଧ ଘାଟରେ ଅରୁଣଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି ।