ଜୟପୁର: ଯେଉଁ ଦୋକାନରେ ଅତି ମୂଲ୍ୟବାନ ସୁନା ଅଳଙ୍କାର ସୁସଜ୍ଜିତ ହୋଇରହିଥିଲା । ଏବେ ସେ ସ୍ଥାନରେ ନାନାଦି ସବୁଜ ପନିପରିବାର ପସରା ରହିଛି । ଯେଉଁଠି ସୁନା ମୁଦି, ହାର ଭଳିକି ଭଳି ଅଳଙ୍କାରମାନ ବିକ୍ରି ହେଉଥିଲା ସେ ଦୋକାନରେ ଏବେ ଆଳୁ, ପିଆଜ ଗଦା ହୋଇଛି । ସୁନା ଦୋକାନ ପାଲଟିଛି ପରିବାର ଦୋକାନ ଆଉ ସୁନାରୀ ପାଲଟିଛନ୍ତି ପରିବା ବିକାଳି । ଏହେଉଛି ଲକଡାଉନର ପ୍ରଭାବ । ତାଲାବନ୍ଦର ସୁଫଳ ସ୍ବରୁପ ଜୀବନ ତ ବଞ୍ଚୁଛି ହେଲେ ଜୀବିକା ଏବେ ବିପଦରେ । ଏପରିସ୍ଥଳେ ଦେଖିବାକୁ ମିଳିଛି ଜୀବନଧାରଣ ଓ ପରିବାର ପ୍ରତିପୋଷଣ କରିବାର ଏକ ଭିନ୍ନ କାହାଣୀ । ସୁନାଦୋକାନୀ ସାଜିଛନ୍ତି ପରିବାର ବିକାଳି । ଘଟଣାଟି ରାଜସ୍ଥାନର ରାଜଧାନୀ ଜୟପୁର ଅଞ୍ଚଳ ।
ତାଲାବନ୍ଦରେ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗିଯାଇଛି । ବ୍ୟବସାୟ, ବ୍ୟବସାୟୀ ସମସ୍ତେ ଯନ୍ତ୍ରଣାର ଜର୍ଜରିତ । ଏପରିସ୍ଥଳେ ସୁନା ଦୋକାନୀ ହୁକୁମଚାନ୍ଦ ସୋନି (25) ରୋଜଗାର ପାଇଁ ପନିପରିବା ବିକ୍ରି କରୁଛନ୍ତି । ଏଭଳି ଏକ ଅସ୍ବାଭିକ ପରିସ୍ଥିତିର ସେ ସାମ୍ନା କରିବେ ବୋଲି କେବେ ସ୍ବପ୍ନରେ ସୁଦ୍ଧା ଭାବିନଥିଲେ ବୋଲି କହିଛନ୍ତି । ଜୟପୁରର ରାମ ନାଗରରେ ଥିବା ଜିପି ଅଳଙ୍କାର ଦୋକାନରେ ଏବେ ପରିବାର ପାଇଁ ଲୋକଙ୍କ ଭିଡ ଲାଗୁଛି । ସୋନି କହିଛନ୍ତି ଯେ, ସେ ପନିପରିବା ବିକ୍ରି ଆରମ୍ଭ କରିବାର ଚାରି ଦିନ ବିତିଗଲାଣି |
ପାଖରେ କୌଣସି ବଡ଼ ସଞ୍ଚୟ ନାହିଁ, ବଡ଼ ପୁଞ୍ଜି ମଧ୍ୟ ନାହିଁ, ତେଣୁ ମୁଁ ପନିପରିବା ବିକ୍ରୟ କରିବା ଆରମ୍ଭ କଲି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ତାଙ୍କ ଅଳଙ୍କାର ଦୋକାନ ବଡ଼ ନୁହେଁ, କିନ୍ତୁ ତାଙ୍କ ପରିବାର ଚଳାଇବା ପାଇଁ ଯଥେଷ୍ଟ ଥିଲା ।
ମାର୍ଚ୍ଚ 25 ରେ ଲକଡାଉନ୍ ଆରମ୍ଭ ହେବା ପରେ ସମସ୍ତ ଅଣ-ଅତ୍ୟାବଶ୍ୟକ ଦୋକାନ ଏବଂ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଦୋକାନ ବନ୍ଦ ରହିଲା ପରିବାର ଚଳାଇବା କଷ୍ଟକର ହୋଇପଡିଲା । ଏହାପରେ ପରିବାର ବିକ୍ରି କରିବା ଚିନ୍ତା ମୁଣ୍ଡକୁ ଆସିଥିଲା । ପରିବାରର ଏକମାତ୍ର ରୋଜଗାର କରୁଥିବା ସଦସ୍ୟ ସୋନି । ସେ କହିଛନ୍ତ ଯେ ପନିପରିବା ବିକାଳି ହେବା ଏତେ ସହଜ ନିଷ୍ପତ୍ତି ନଥିଲା ।
ସେ କହିଛନ୍ତି ଯେ, ବର୍ତ୍ତମାନ ପ୍ରତିଦିନ କିଛି ନା କିଛି ରୋଜଗାର ହୋଇଯାଉଛି | ଘରେ ବସି କିଛି ନକରିବା ଅପେକ୍ଷା ଏହି କାମ ଆନନ୍ଦ ଦେଉଛି | ଦୋକାନର ଭଡା , ମା ସାନ ଭାଇ ସମସ୍ତଙ୍କ କଥା ବୁଝିବା ପାଇଁ ଏହି ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି ।
@PTI