ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଚିନ୍ତନ ଶିବିର, ଯେଉଁଥିରୁ ଆଶା କରାଯାଉଥିଲା ନେତୃତ୍ବ ପ୍ରସଙ୍ଗ ସମେତ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ଆସୁଥିବା କଂଗ୍ରେସ ଦଳ ପାଇଁ ସମାଧାନର ସୂତ୍ର ବାହାରିବ । କିନ୍ତୁ ସ୍ଥିତାବସ୍ଥା ବଜାୟ ରଖିବା ନିଷ୍ପତ୍ତିରେ ସବୁକିଛି ଶେଷ ହୋଇଥିଲା । ଦଳର ନେତୃତ୍ବ ରାହୁଲ ଗାନ୍ଧୀ ସମ୍ଭାଳିବା ଯାଏଁ ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ମୁଖ୍ୟ ଦାୟିତ୍ବରେ ରହିବେ । ଏଥିସହିତ କୈଣସି ଏକ ତାରିଖରେ ଅଖିଳ ଭାରତ କଂଗ୍ରେସ କମିଟିର ଅଧିବେଶନ ବସି ନିର୍ବାଚନ ପ୍ରକ୍ରିୟା ଜରିଆରେ ନୂଆ ମୁଖ୍ୟ ନିର୍ବାଚିତ କରିବାକୁ ସ୍ଥିର ହୋଇଛି । ଏଥିରେ କାହାରି କୈଣସି ସମସ୍ୟା ନାହିଁ, କିନ୍ତୁ ଯାହାକି ଏକ ସାଧାରଣ ଆଦେଶ ବଳରେ କରାନଯାଇ କାହିଁକି ? ଏଥିପାଇଁ ଦଳର ସବୁଠାରୁ ଶକ୍ତିଶାଳୀ କଂଗ୍ରେସ କାର୍ଯ୍ୟକାରିଣୀ ଡକାଯାଇ ତୁଙ୍ଗ ନେତାମାନଙ୍କୁ ନେଇ ଦୀର୍ଘ ସାତ ଘଣ୍ଟାର ମାରାଥନ ବୈଠକ କରାଗଲା । ତାହା ବାସ୍ତବିକ ଆଶ୍ଚର୍ଯ୍ୟର ବିଷୟ ହୋଇଛି ।
ବରଂ କଂଗ୍ରେସ କାର୍ଯ୍ୟକାରିଣୀର ଏହି ଭର୍ଚୁଆଲ ବୈଠକ ସମୟରେ ଯାହାସବୁ ଘଟିଲା ତାହା କଦାପି କଂଗ୍ରେସ ମ୍ୟାନେଜରମାନେ ଭାବି ନଥିବେ । 2014ରେ ବିଜେପି କ୍ଷମତା ଛଡ଼ାଇ ନେବା ପରଠାରୁ ଏଯାଏଁ ଛଅ ବର୍ଷ ହେଲା କଂଗ୍ରେସ ଭିତରେ ଦୁଇ ପିଢି ନେତାଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷର ସମାଧାନ ହୋଇପାରୁନାହିଁ । ଏବେ ବି ବିଚାର ଆଲୋଚନା ଚାଲିଛି । ଏବଂ କହିବାକୁ ଗଲେ ଏହାକୁ ନେଇ କଂଗ୍ରେସ କାର୍ଯ୍ୟକାରିଣୀ ବି ଦୁଇଭାଗ ହୋଇଯାଇଛି । ଏସବୁ ଘଟଣା କଂଗ୍ରେସ ବିରୋଧୀ ଶିବିରରେ ଉଲ୍ଲାସ ଖେଳାଇ ଦେଇଛି । ପୂରା ସମୟ ପାଇଁ ଦଳର ଜଣେ ସଭାପତି ନିଯୁକ୍ତ କରିବା ଏବଂ ସାଂଗଠନିକ ସ୍ତରରେ ସଂସ୍କାର ଆଣିବା ଦିଗରେ ସୋନିଆଙ୍କ ହସ୍ତକ୍ଷେପ ଲୋଡ଼ି ଦଳର 23 ଜଣ ବରିଷ୍ଠ ନେତା ତାଙ୍କ ନିକଟକୁ ଗତ ଜୁଲାଇ ମାସରେ ଏକ ପତ୍ର ଲେଖିଥିଲେ । ଏହି ପ୍ରସଙ୍ଗ ଉପରେ ଆଲୋଚନା ଲାଗି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଡାକିବ । କେବଳ ମାତ୍ର ବାହାର ଦେଖାଣିଆ ଥିଲା ,ଯେ କୈଣସି ବିରୋଧୀ ଦଳ ପାଇଁ ବରିଷ୍ଠ ନେତାଙ୍କ ଏପରି ଦାବି ବାସ୍ତବିକ ଥିଲା । କାରଣ ଅଗଷ୍ଟ 10ରେ ଦଳର ଅନ୍ତରୀଣ ମୁଖ୍ୟ ଭାବେ ସୋନିଆଙ୍କ କାର୍ଯ୍ୟକାଳର ବର୍ଷେ ପୁରି ଥିଲା ।
ଗୋଟିଏ ପଟେ ସୋନିଆଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ରହୁଥିବା ବେଳେ ଅନ୍ୟପଟେ ଶାସକ ଭାରତୀୟ ଜନତା ପାର୍ଟିର ମୁକାବିଲା ପାଇଁ ନିହାତି ଭାବେ ଦଳ ପାଇଁ ପୂରା ସମୟ ଦେଇ ପାରୁଥିବା ଜଣେ ମୁଖ୍ୟଙ୍କର ଆବଶ୍ୟକତା ରହିଛି । କିନ୍ତୁ ଏହା ଉପରେ ଆଲୋଚନା ହେବା ବଦଳରେ କଂଗ୍ରେସ କାର୍ଯକାରିଣୀରେ ଭେଟେରାନଙ୍କ ମଧ୍ୟରେ କ୍ଷମତା ଲଢେଇ ଆରମ୍ଭ ହୋଇ ଯାଇଥିଲା । ଦଳର କିଛି ପ୍ରମୁଖ ନେତା ନିଜ ନିଜ ସ୍ଥିତି ବଖାଣିବାରେ ବ୍ୟସ୍ତ ଥିବା ବେଳେ ରାହୁଲ ଅନୁଗତମାନେ ଭିନ୍ନ କଥା କହିଥିଲେ । 23 ଜଣେ ତୁଙ୍ଗ ନେତା ଯେଉଁ ସମୟରେ ଏପରି ଚିଠି ସୋନିଆଙ୍କ ପାଖକୁ ଲେଖିଲେ ତାହା ଠିକ ନଥିଲା । ଏବଂ ଏଥିରେ ବିଜେପିର ଭାଷା ଥିଲା ବୋଲି ରାହୁଲ ଟିପ୍ପଣୀ ଦେଇଥିବା ସମ୍ପର୍କିତ ଗଣମାଧ୍ୟମରେ ପ୍ରସାରିତ ଖବରକୁ ନେଇ ଦଳରେ ଝଡ଼ ସୃଷ୍ଟି ହୋଇଥିଲା । ଏହା ସାଧାରଣରେ ସବୁଠାରୁ ପୁରାତନ ଦଳର ଭାବମୂର୍ତ୍ତିରେ ଆଞ୍ଚ ଆଣିଥିଲା । ଦଳ ପକ୍ଷରୁ ସଙ୍ଗେ ସଙ୍ଗେ ରାହୁଲଙ୍କ ଏଭଳି ମନ୍ତବ୍ୟକୁ ଖଣ୍ଡନ କରାଯାଇଥିଲା ।
ରାହୁଲଙ୍କ ମନ୍ତବ୍ୟରେ ଅସନ୍ତୁଷ୍ଟ ଭେଟେରାନ କପିଲ ଶିବଲ ଏକ ଟୁଇଟ କରି କଂଗ୍ରେସ ପାଇଁ ତାଙ୍କର ଅବଦାନ କଥା ଉଲ୍ଲେଖ କରିଥିଲେ। । ଏହା ପରେ ରାହୁଲ ଫୋନରେ ଶିବଲଙ୍କ ସହ କଥା ହୋଇ ଦଳ ପାଇଁ ହୋଇଥିବା କ୍ଷତିର କିଛିଟା ଭରଣା କରିଥିଲେ । ଏହାପରେ ଶାନ୍ତ ପଡ଼ିଥିବା ଶିବଲ ତାଙ୍କର ଅସନ୍ତୋଷ ଜାହିର କରି ପୋଷ୍ଟ କରିଥିବା ଟୁଇଟକୁ ବାହାର କରି ଦେଇଥିଲେ । ଏହା ପରେ ପରେ ଆଉ ଜଣେ ତୁଙ୍ଗ ନେତା ଗୁଲାମ ନବି ଆଜାଦ ମଧ୍ୟ ଟୁଇଟ କରି କହିଥିଲେ, ଯଦି ବିଜେପି ସହିତ ତାଙ୍କର ସମ୍ପର୍କ ଥିବା କେହି ପ୍ରମାଣିତ କରିଦିଅନ୍ତି ତେବେ ସେ ଦଳରୁ ଇସ୍ତଫା ଦେଇଦେବେ । ସୋନିଆଙ୍କ ପାଖକୁ ଲେଖା ଯାଇଥିବା ଚିଠିରେ ସ୍ବାକ୍ଷର କରିଥିବା ଉଭୟ ଆଜାଦ ଏବଂ ଶିବଲଙ୍କଠାରୁ ସ୍ପଷ୍ଟୀକରଣ ମିଳିବା ପରେ କଂଗ୍ରେସ ମ୍ୟାନେଜରଙ୍କ ପାଇଁ ଆଶାର କିରଣ ଦେଖା ଦେଇଥିଲା । ନିରାଶା ହୋଇ ପଡ଼ିଥିବା ନେତାଙ୍କ ମଧ୍ୟରେ ଉତ୍ସାହ ଭରିଦେବା ପାଇଁ ଗାନ୍ଧୀ ପରିବାରର ଲୋକପ୍ରିୟତା ଏବେ ବି ରହିଥିବା ଜଣାପଡିଥିଲା । ଦଳକୁ ଗାନ୍ଧୀ ପରିବାର ହିଁ ଏକାଠିରଖିପାରିବ ବୋଲି ମତ ପ୍ରକାଶ ପାଇଥିଲା । ବୈଠକରେ ସୋନିଆ ଦେଇଥିବା ତାଙ୍କର ଶେଷ ଭାଷଣରେ କହିଥିଲେ, ଦଳର କିଛି ସହଯୋଗୀଙ୍କ ମନ୍ତବ୍ୟ ତାଙ୍କୁ ମନରେ କିଛିଟା ଆଘାତ ଦେଇଥାଇପାରେ ଏବଂ ସେମାନଙ୍କ ସହିତ ମତଭେଦ ବି ରହିଥାଇପାରେ, କିନ୍ତୁ ଶେଷରେ ସମସ୍ତେ ଏକାଠି ହୋଇ ଗାନ୍ଧୀ ପରିବାରଙ୍କ ଭାଷାରେ ପ୍ରସ୍ତୁତ ଏକ ପ୍ରସ୍ତାବରେ ସ୍ବାକ୍ଷର କରିଥିଲେ ।
କଂଗ୍ରେସ କାର୍ଯ୍ୟକାରିଣୀ ଚାଲିଥିବା ସମୟରେ ଭିନ୍ନମତଧାରୀ କିଛି ନେତା ସେମାନଙ୍କୁ ନେଇ ସୃଷ୍ଟି ହୋଇଥିବା ଭୂଲ ଧାରଣା ଦୂର କରିବାକୁ ଯାଇ କହିଥିଲେ ଯେ,ସୋନିଆଙ୍କ ନେତୃତ୍ବକୁ ଚ୍ୟାଲେଞ୍ଜ କରିବା ସେମାନଙ୍କର ଉଦ୍ଦେଶ୍ୟ ନଥିଲା । ଦଳ ଏବେ ଯେଉଁସବୁ ସମସ୍ୟାର ସମ୍ମୁଖୀନ ହେଉଛି ତାହାର ତୁରନ୍ତ ସମାଧାନ ଏବଂ ସବୁ ସ୍ତରରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇଥିଲେ । ସବୁଥର ଭଳି ଏଥର ବି ସେମାନେ ସୋନିଆଙ୍କୁ ଆବଶ୍ୟକ ସ୍ଥଳେ ଦଳରେ ଯେ କୈଣସି ପରିବର୍ତ୍ତନ କରିବାକୁ କ୍ଷମତା ଦେଇଥିଲେ । ରାହୁଲଙ୍କୁ ପୁଣି ଥରେ ଦଳର ମୁଖ୍ୟ କରାଯିବା ଉଚିତ ବୋଲି ଦାବି କରି ଆସୁଥିବା ଅନେକ ସଦସ୍ୟଙ୍କ ଗତକାଲି ଦିନଟି ବଞ୍ଚି ଯାଇଥିଲା ।
ଗାନ୍ଧୀ ପରିବାର ବାହାରୁ ଜଣଙ୍କୁ ମୁଖ୍ୟ କରିବା ନେଇ ଯାହା ବି କିଛି ପ୍ରଚାର ହେଉଥିଲା ତାହା ରାହୁଲଙ୍କ ଅନୁଗତମାନଙ୍କ ମିଳିତ ସ୍ବର ଭିତରେ ହଜି ଯାଇଥିଲା । ସୋନିଆଙ୍କ ବହୁ ଦିନର ଅନୁଗତ ଅହମ୍ମଦ ପଟେଲ ରାହୁଲଙ୍କୁ ପୁଣି ଥରେ ସୋନିଆଙ୍କ ସ୍ଥାନରେ ଦଳର ସଭାପତି କରିବାକୁ ଦାବି କରିଥିଲେ । ହେଲେ ନେତୃତ୍ବ ପରିବର୍ତ୍ତନ ପରେ କରାଯିବାକୁ ଏବଂନିର୍ବାଚନ ପ୍ରକ୍ରିୟା ଜରିଆରେ ଏକମାତ୍ର ପ୍ରାର୍ଥୀ ହୋଇ ରାହୁଲ କଂଗ୍ରେସ ମୁଖ୍ୟ ନିର୍ବାଚିତ ହେବାକୁ ସ୍ଥିର ହୋଇଥିଲା । 2017 ଡିସେମ୍ବରରେ ରାହୁଲ କଂଗ୍ରେସ ସଭାପତି ଦାୟିତ୍ବ ଗ୍ରହଣ କରିଥିଲେ । କିନ୍ତୁ 2019 ନିର୍ବାଚନ ପରାଜୟ ପରେ ମେ’ ମାସରେ ଇସ୍ତଫା ଦେଇଥିଲେ । ନେତୃତ୍ବ ପ୍ରସଙ୍ଗକୁ ନେଇ ଉଠିଥିବା ଧୂଳିଝଡ଼ ବର୍ତ୍ତମାନ ପାଇଁ ଶାନ୍ତ ପଡ଼ିଥିବା ଅନୁମାନ କରାଯାଉଛି । କିନ୍ତୁ 23 ଜଣ “ବିଦ୍ରୋହୀ” ଦଳର ଭଲ ପାଇଁ ପ୍ରକାଶ କରିଥିବା ଉଦବେଗକୁ ନଜର ଅନ୍ଦାଜ କରିବା କଂଗ୍ରେସ ପାଇଁ କଷ୍ଟକର ବ୍ୟାପାର ହେବ । ନେତୃତ୍ବ ସଙ୍କଟକୁ ଗାନ୍ଧୀ ପରିବାର ବିରୁଦ୍ଧରେ ଅପପ୍ରଚାର ବୋଲି କଂଗ୍ରେସ କହୁଛି । ଏବଂ ଦଳରେ ଆଭ୍ୟନ୍ତରୀଣ ବ୍ୟାପାର ସବୁ ବାହାରକୁ ନଆଣିବା ପାଇଁ ଦଳ ପକ୍ଷରୁ ନେତାଙ୍କୁ ତାଗିଦ କରାଯାଉଛି । ଏହା ହିଁ ଦଳ ପାଇଁ ସମସ୍ୟା ଛିଡ଼ା କରୁଛି ।
ଲେଖକ- ଅମିତ ଅଗ୍ନିହୋତ୍ରୀ