ବେଙ୍ଗାଲୁରୁ: ବର୍ଷ 2019 ସରିବାକୁ ରହିଲା ଆଉ ଅଳ୍ପ ଦିନ । ଆରମ୍ଭ ହେବ ନୂତନ ବର୍ଷ । ଚଳିତ ବର୍ଷ ଦେଶର ବିଭିନ୍ନ ସଂସ୍ଥା ଅନେକ ସଫଳତା ହାସଲ କରିଛନ୍ତି । ସେଥିମଧ୍ୟରୁ ଅନ୍ୟତମ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ।
ନୂଆ ବର୍ଷରେ ପୁଣି କିଛି ନୂଆ କରି ଦେଖାଇବା ଲକ୍ଷ୍ଯରେ ରହିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) । ତେବେ ବର୍ଷ 2019 ଇସ୍ରୋ ପାଇଁ ଥିଲା ଐତିହାସିକ, ସ୍ମରଣୀୟ, ଶିକ୍ଷଣୀୟ ଓ ସଫଳତମ । ଚନ୍ଦ୍ରଯାନ-2, ମାକ୍ରୋସାଟ-ଆର, ରିସାଟ-2ବିଆର ଭଳି 7ଟି ସାଟେଲାଇଟର ସଫଳ ଉତକ୍ଷେପଣ କରିଛି ଇସ୍ରୋ । ପଢନ୍ତୁ ଏହି ରିପୋର୍ଟରେ ବର୍ଷ 2019ରେ କେମିତି ଥିଲା ଇସ୍ରୋର ଜୟଯାତ୍ରା..
Microsat-R: ଚଳିତ ବର୍ଷର ପ୍ରଥମ ପ୍ରକ୍ଷେପଣ । ଭାରତୀୟ ଅନ୍ତରୀକ୍ଷ ସଂସ୍ଥା ପାଇଁ ଆଣିଥିଲା ସଫଳତା । 2019ର ପ୍ରଥମ ଉପଗ୍ରହ ଭାବେ ଇମେଜ ସେନସାଇନ ପ୍ରେରଣ ହୋଇଥିଲା । 24 ଜାନୁଆରୀ PSLV-C44 ଜରିଆରେ 274 କିମି ଦୂର କକ୍ଷ ପଥରେ ସଫଳତା ପୂର୍ବକ ଅବସ୍ଥାପିତ ହୋଇଥିଲା ଏହି ଉପଗ୍ରହ । ଏହା ଥିଲା ଶ୍ରୀହରାକୋଟରୁ 70 ତମ ଲଞ୍ଚ୍ ।
GSAT-31: ଏହାପରେ GSAT-31କୁ ଲଞ୍ଚ କରାଯାଇଥିଲା । ଫେବ୍ରୁଆରୀ 6ରେ ଏହା ଲଞ୍ଚ ହୋଇଥିବାବେଳେ GSAT-31 ଭିସାଟ ନେଟୱର୍କ, ଟେଲିଭିଜନ ଅପ ଲିଙ୍କ, ଡିଜିଟାଲ ଉପଗ୍ରହ ସମ୍ବାଦ ଯୋଗାଣ, ଡିଟିଏଚ, ଟିଭି ସେବା, ଏଟିମ, କେଲୁଲର ବ୍ୟାକ ହାଉଲ କନେକ୍ଟିଭିଟି ଏବଂ ଏପରି ଅନେକ ସେବା ପ୍ରଦାନ କରିବ ।
EMISAT: ଅନ୍ତରୀକ୍ଷ ଅଭିଯାନରେ ଭାରତର ଅନ୍ୟ ଏକ ସଫଳତା ଏମିସାଟ । ଏପ୍ରିଲ 1ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧୱନ ସ୍ପେଶ ସେଣ୍ଟରରୁ ଉତକ୍ଷେପଣ ହୋଇଛି ଇଲୋକ୍ଟ୍ରୋନିକ ଇଣ୍ଟେଲିଜେନ୍ସ ଉପଗ୍ରହ ଏମିସାଟ । ଏହା ସୀମାରେ ଶତ୍ରୁପକ୍ଷର ଇଲେକ୍ଟ୍ରୋନିକ ଓ ମାନବିକ ଗତିବିଧି ଉପରେ ନଜର ରଖିବ । PSLV-C45 ଜରିଆରେ 436 କେଜି ଓଜନର ଏମିସାଟକୁ 748 କିମି କକ୍ଷ ପଥରେ ସ୍ଥାପିତ ହୋଇଥିଲା । ଇସ୍ରୋ ଓ ଡିଆରଡିଓ ମିଳିତ ଭାବେ ଏହି ଉପଗ୍ରହକୁ ତିଆରି କରିଛନ୍ତି ।
RISAT-2B: ବିପର୍ଯ୍ୟୟ ପରିଚାଳନା ଓ ପୃଥିବୀ ଉପରେ ନଜର ରଖିବାକୁ ଇସ୍ରୋର ଅନ୍ୟ ଏକ ପ୍ରୟାସ । 615 କେଜି ବିଶିଷ୍ଟ ଏହି ଉପଗ୍ରହ । ଯାହା ରାଡାର ମାଧ୍ୟମରେ ପୃଥିବୀ ପୃଷ୍ଠରୁ ଫଟୋ ଉତ୍ତୋଳନ କରି ତଥ୍ୟ ସଂଗ୍ରହ କରିବ ।
ଚନ୍ଦ୍ରଯାନ-2: ଆରମ୍ଭ ରୁ ଶେଷ ଯାଏଁ, ଚାତକ ପରି ସାରା ବିଶ୍ବବାସୀ ଅନେଇ ବସିଥିଲେ ମଶନ ଚନ୍ଦ୍ରଯାନ-2କୁ । କାରଣ ଭାରତର ଲକ୍ଷ୍ୟଥିଲା ମିଶନ ‘ଚନ୍ଦ୍ର’ । ପୁଣି ଥରେ ଚନ୍ଦ୍ରରେ ଓହ୍ଲାଇବାକୁ ଟାର୍ଗେଟ କରିଥିଲା ଇସ୍ରୋ । ଚନ୍ଦ୍ରଯାନ-1 ପରି ଚନ୍ଦ୍ରଯାନ-2 ସାଇଣ୍ଟିଫିକ ପେ-ଲୋଡ ସହିତ ଏକ ମୁନ-ଅର୍ବିଟର ଚନ୍ଦ୍ର ଚାରିପଟେ ପ୍ରଦିକ୍ଷଣ କରିଥିଲା । ଇସ୍ରୋ ବୈଜ୍ଞାନିକଙ୍କ ଯୋଜନା ଅନୁସାରେ, ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିବା ପରେ ପ୍ରଜ୍ଞାନ ରୋଭରକୁ ନେଇ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିଥାନ୍ତା ।
ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ ଅତ୍ୟନ୍ତ ଜଟିଳ ପ୍ରକ୍ରିୟା ହୋଇଥିବା ସତ୍ତ୍ବେ ଇସ୍ରୋ ଚନ୍ଦ୍ରଯାନ-2କୁ ସଫ୍ଟ ଲ୍ୟାଣ୍ଟିଂ କରାଇବା ପାଇଁ ପ୍ରୟାସ କରିଥିଲା । ଏହି ଅଭିଯାନ ସଫଳ ହୋଇଥିଲେ ବିଶ୍ବରେ ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଥାନ୍ତା । । ଚନ୍ଦ୍ରପୃଷ୍ଠରେ ଜଳର ସନ୍ଧାନ ନେଇ ଅଧିକ ପରୀକ୍ଷଣ ତଥା ଗବେଷଣା ନିମିତ୍ତ ତଥ୍ୟ ସଂଗ୍ରହ କରିବା ସହ ବିଶ୍ଲେଷଣ, ବିଶେଷ କରି ସେଠାରେ ଥିବା ବିଭିନ୍ନ ରସାୟନ ପଦାର୍ଥ ତଥା ଖଣିଜ ସମ୍ପଦର ଅନୁସନ୍ଧାନ ନିମିତ୍ତ ତଥ୍ୟ ସଂଗ୍ରହ କରିଥାନ୍ତା । ଏଥିସହ ଚନ୍ଦ୍ରର ଉତ୍ପତ୍ତିର ସମ୍ବଦ୍ଧିତ ତଥ୍ୟ ସଂଗ୍ରହ କରିଥାନ୍ତା । ହେଲେ ଅଭିଯାନର ଶେଷ ପର୍ଯ୍ୟାୟରେ ଇସ୍ରୋ ସହ ଲ୍ୟାଣ୍ଡର ରୋଭରର ଯୋଗଯୋଗ ବିଚ୍ଛିନ୍ନ ହେବା ପରେ ଏହା ହାର୍ଡ ଲ୍ୟାଣ୍ଡିଂ କରିଥିବା ଇସ୍ରୋ ମୁଖ୍ୟ କେ.ଶିବନ ସୂଚନା ଦେଇଥିଲେ ।
କାରଟୋସାଟ: ଏହା ଏକ ଆଧୁନିକ ଉପଗ୍ରହ । ହାଇ ରିଜଲ୍ୟୁସନ ଫଟୋ ଉଠାଇବାର କ୍ଷମତା ରଖୁଛି । ନଭେମ୍ବର 27ରେ ଏହା ଲଞ୍ଚ ହୋଇଥିଲା । ଏହି ଉପଗ୍ରହ ସହରୀକରଣ, ଗ୍ରାମାଞ୍ଚଳ ସମ୍ବଳ, ଉନ୍ନତିମାନର ଭିତ୍ତିଭୂମି ସହ ଉପକୂଳୀୟ ଜମି ବ୍ୟବହାର ଓ ଅଧିଗ୍ରହଣ ବିଷୟରେ ତଥ୍ୟ ପଠାଇବ ।
ରିସାଟ-2 ବିଆର 1: ଏହି ଉପଗ୍ରହ ରାଡାର ଦ୍ବାରା ପୃଥିବୀର ଫଟୋ ଉତ୍ତୋଳନ କରି ଫଟୋ ପଠାଇଥାଏ । ଡିସେମ୍ବର 11ରେ ଏହି ଉପଗ୍ରହକୁ ଉତକ୍ଷେପଣ କରାଯାଇଛି । କୃଷି, ଜଙ୍ଗଲ ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉନ୍ନତି ଆଣିବାକୁ ଏହି ଉପଗ୍ରହ ପଠାଯାଇଛି ।