ବେଙ୍ଗାଲୁରୁ: ଇଣ୍ଡିଆନ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେସନ ବା ଇସ୍ରୋର ମଙ୍ଗଳ ଅର୍ବିଟର ମିଶନ(ଏମଓଏମ)ରେ ମିଳିଛି ଏକ ବଡ ସଫଳତା । ଏହି ମିଶନରେ ମାର୍ସ ବା ମଙ୍ଗଳ ଅର୍ବିଟରରେ ଲାଗିଥିବା ଅନବୋର୍ଡ କ୍ୟାମେରା ମଙ୍ଗଳ ଗ୍ରହର ସବୁଠାରୁ ନିକଟତର ଚନ୍ଦ୍ରର ଚିତ୍ର ଉତ୍ତୋଳନ କରିଛି । ଏହି ଅନବୋର୍ଡ କ୍ୟାମେରା ମଙ୍ଗଳ ଗ୍ରହର ସବୁଠାରୁ ନିକଟତର ଚନ୍ଦ୍ର ‘ଫୋବୋସ’ର ଚିତ୍ର ଉତ୍ତୋଳନ କରିଛି । ତେବେ ଏହି ଅନବୋର୍ଡ କ୍ୟାମେରାର ନାମ ହେଉଛି ମାର୍ସ କଲର କ୍ୟାମେରା (ଏମସିସି) ।
![mangalyan, isro, isro latest news, mars orbitor mission of isro, phobos, planet mars, mars orbitor mission, latest space news, ମଙ୍ଗଳଯାନ, ଇସ୍ରୋ, ଇସ୍ରୋ ଲାଟେଷ୍ଟ ନ୍ୟୁଜ୍, ଇସ୍ରୋର ମଙ୍ଗଳ ଅର୍ବିଟର ମିଶନ, ଫୋବୋସ, ମଙ୍ଗଳ ଗ୍ରହ, ମଙ୍ଗଳ ଅର୍ବିଟର ମିଶନ, ଲାଟେଷ୍ଟ ମହାକାଶ ଖବର](https://etvbharatimages.akamaized.net/etvbharat/prod-images/isro_0407newsroom_1593856354_476.jpg)
- ଜୁଲାଇ 1ରେ ମଙ୍ଗଳ ଗ୍ରହଠାରୁ 7200 କିଲୋମିଟର ଓ ଫୋବୋସଠାରୁ 4200 କିଲୋମିଟର ଦୂରରେ ରହିଥିବା ସମୟରେ ଏମଓଏମ ଏହି ଚିତ୍ର ଉତ୍ତୋଳନ କରିଥିଲା ।
- ଫୋବୋସଟି ମୁଖ୍ୟତଃ କାର୍ବୋନେସିୟସ କୋନଡ୍ରାଇଟ୍ସରେ ପ୍ରସ୍ତୁତ ହୋଇଥିବା ଅନୁମାନ କରାଯାଉଛି ।
- ଏହି ଚିତ୍ରଟି ଏମସିସିର 6ଟି ଫ୍ରେମ ଦ୍ବାରା ଉତ୍ତୋଳନ କରାଯାଇଛି । ଏହି ଚିତ୍ରକୁ ନିଜ ଟ୍ବିଟ ଜରିଆରେ ଇସ୍ରୋ ସାର୍ବାଜନୀନ କରିଛି ।
- ଇସ୍ରୋର ସୂଚନା ମୁତାବକ ଏହି ଫଟୋରେ ଫୋବୋସରେ କିଛି ଏପରି ଚିହ୍ନ ଦେଖାଯାଇଛି ଯାହା ସ୍ପଷ୍ଟ କରେ କି ଅତୀତରେ ଏହା ଅନ୍ୟ କୌଣସି ମହାକାଶୀୟ ବସ୍ତୁ ସହ ଧକ୍କା ହୋଇସାରିଛି ।
- ଫୋବୋସରେ ଏକ ବଡ କ୍ରେଟର ବା ଚେପା ହୋଇଥିବା ଅଂଶ ଦେଖିବାକୁ ମିଳିଛି । ଏହାକୁ ଷ୍ଟିକନି ନାମ ଦିଆଯାଇଥିବା ବେଳେ ପୂର୍ବରୁ ଷ୍କ୍ଲୋଭସ୍କି, ରୋସେ ଗ୍ରିଲଡ୍ରିଗ ପରି କ୍ରେଟର ମଧ୍ୟ ଫୋବୋସରେ ଚିହ୍ନଟ ହୋଇସାରିଛି ।
- ମଙ୍ଗଳୟାନ ଭାବେ ଇସ୍ରୋ ଆରମ୍ଭ କରିଥିବା ଏହି ଅଭିଯାନ ପ୍ରଥମେ 6 ମାସ ପାଇଁ ଯୋଜନା କରାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ଇସ୍ରୋ ସ୍ପଷ୍ଟ କରିଥିଲା କି ଏଥିରେ ରହିଥିବା ଇନ୍ଧନ ପରିମାଣ ଏହାକୁ ଅନେକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରଖିପାରେ ।
- 2014 ମସିହା ସେପ୍ଟେମ୍ବର 24ରେ ଭାରତ ଏହାର ପ୍ରଥମ ଉଦ୍ୟମରେ ହିଁ ସଫଳତାର ସହ ମଙ୍ଗଳ ଗ୍ରହର କକ୍ଷ ପଥରେ ସ୍ପେଶକ୍ରାଫ୍ଟକୁ ଅବସ୍ଥାପିତ କରିପାରିଥିଲା । ଯାହା ଭାରତ ପାଇଁ ଏକ ସ୍ବର୍ଣ୍ଣିମ ଇତିହାସ ରଚିଥିଲା ।
- 9 ମାସର ଚେଷ୍ଟା ପରେ ଘରୋଇ ଉଦ୍ୟମ ଓ ଜ୍ଞାନକୌଶଳରେ ପ୍ରସ୍ତୁତ ପିଏସଏଲଭି ରକେଟ ସହାୟତାରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାଠାରୁ ମଙ୍ଗଳଯାନକୁ ମହାକାଶ ଅଭିମୁଖେ ଛଡାଯାଇଥିଲା । 2013 ମସିହାରେ ନଭେମ୍ବର 5 ତାରିଖରେ ଏହାକୁ ଭୂପୃଷ୍ଠରୁ ଛଡାଯାଇଥିଲା ଓ ଏହା ପୃଥିବୀର ମାଧ୍ୟାକର୍ଷଣ ବଳୟକୁ 2013 ମସିହା ଡିସେମ୍ବର 1ରେ ଅତିକ୍ରମ କରିଥିଲା ।
- 450 କୋଟି ବ୍ୟୟରେ ଲଞ୍ଚ ହୋଇଥିବା ଏହି ମିଶନ ଦ୍ବାରା ମଙ୍ଗଳ ଗ୍ରହ ଉପରେ ଅଧ୍ୟୟନ କରାଯିବାର ଲକ୍ଷ୍ୟ ରହିଛି । ଗ୍ରହରେ ଖଣିଜ ପଦାର୍ଥର ସ୍ଥିତି, ଏହାର ପାରିପାର୍ଶ୍ବିକ ପରିବେଶ, ଭୂମିର ଗଠନ ଓ ଜଳବାୟୁ ସମ୍ପର୍କରେ ଏହି ମିଶନରେ ଅଧ୍ୟୟନ କରାଯାଉଛି । ଯାହା ଦ୍ବାରା ଏହି ପୃଷ୍ଠରେ ଜୀବନର ସମ୍ଭାବନା ପରୀକ୍ଷା କରାଯାଉଛି ।
- ମଙ୍ଗଳ ଅର୍ବିଟରରେ 5ଟି ବୈଜ୍ଞାନିକ ସାମଗ୍ରୀ ରହିଛି । ସେ ହେଉଛି ଲେମ୍ୟାନ ଆଲଫା ଫୋଟୋମିଟର(ଲ୍ୟାପ), ମିଥେନ ସେନ୍ସର ଫର୍ ମାର୍ସ(ଏମଏସଏମ), ମାର୍ସ ଏକ୍ସୋସ୍ଫେରିକ ନ୍ୟୁଟ୍ରାଲ କମ୍ପୋଜିସନ ଆନାଲାଇଜର(ମେନକା), ମାର୍ସ କଲର କ୍ୟାମେରା(ଏମସିସି) ଓ ଥର୍ମାଲ ଇନଫ୍ରାରେଡ ଇମେଜିଂ ସ୍ପେକ୍ଟ୍ରୋମିଟର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ