ନୂଆଦିଲ୍ଲୀ: ପାକିସ୍ତାନ ଟାର୍ଗେଟରେ ଏବେ ଭାରତୀୟ ଯବାନ । ହନିଟ୍ରାପ ଜରିଆରେ ଯବାନକୁ ଫସାଇ ଆଭ୍ୟନ୍ତରୀଣ ତଥ୍ୟ ନେବାକୁ ଷଡଯନ୍ତ୍ର କରୁଛି ପାକ୍ । ହନିଟ୍ରାପରେ ବହୁ ଯବାନ ଫସିଥିବା ଖବର ସାମ୍ନାକୁ ଆସୁଥିଲେ ବି ଜଣଙ୍କ ଜଣେ ଯବାନକୁ ଟାର୍ଗେଟ କରୁଛି ପାକିସ୍ତାନ । ଏନେଇ ସୂଚନା ଦେଇଛନ୍ତି ପ୍ରତିରକ୍ଷା ରାଜ୍ୟ ମନ୍ତ୍ରୀ ଶ୍ରୀପଦ ନାଇକ ।
ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ( ଇଣ୍ଟର ସର୍ଭିସ ଇଣ୍ଟିଲିଜେନ୍ସି) ଯବାନକୁ ଫସାଇବା ପାଇଁ ହନିଟ୍ରାପରକୁ ମୁଖ୍ୟ ଅସ୍ତ୍ର କରିଛି ବୋଲି ସେ କହିଛନ୍ତି । ଏଥିପାଇଁ ଯବାନକୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି । କେବଳ ସେତିକି ନୁହେଁ ନୂତନ ଭାବେ ତାଲିମ ନେଉଥିବା ଯବାନ ଓ ସେମାନଙ୍କ ପରିବାର ଲୋକଙ୍କୁ ବିଦେଶୀ ଗୁଇନ୍ଦା ସଂସ୍ଥା ସମ୍ପର୍କରେ ସଚେତନ କରାଯାଉଛି । ଏଥିସହ ଏହି ମାମଲା ଗୁଡିକୁ ରୋକିବା ପାଇଁ ଅନ୍ୟ ଏଜେନ୍ସିର ମଧ୍ୟ ସହଯୋଗ ନିଆଯାଉଛି ।
ଅନ୍ୟପଟେ ଯବାନଙ୍କୁ ଫସାଇବା ପାଇଁ ପାକିସ୍ତାନ ବ୍ୟବହାର କରୁଥିବା ପାଖାପାଖି 150ଟି ପ୍ରୋଫାଇଲକୁ ମଧ୍ୟ ଚିହ୍ନଟ କରିଛି ସେନା । ବିଶେଷ ଭାବେ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ ହୋଇଥିବା ଯବାନଙ୍କୁ ଟାର୍ଗେଟ କରୁଛି ପାକିସ୍ତାନ । ଏଥିପାଇଁ ସୋସିଆଲ ମିଡିଆର ସାହାଯ୍ୟ ନିଆଯାଉଛି । ନକଲି ପ୍ରୋଫାଇଲା ଜରିଆରେ ଯବାନଙ୍କୁ ଫସେଇବାକୁ ଚେଷ୍ଟା କରାଯାଉଛି ।