ପାଟନା: ବିହାର ନିର୍ବାଚନ ପୂର୍ବରୁ ସମସ୍ତ ଦଳ ଆରମ୍ଭ କରିଦେଇଛନ୍ତି କସରତ । ଆସନ ମଧ୍ୟ ଭାଗବଣ୍ଟା ସରିଲାଣି । ବିଜେପି ଓ ଜେଡିୟୁ ଯୋଡି ପୁନର୍ବାର କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ ଚଳାଇଥିବାବେଳେ ଆରଜେଡି ଏନଡିଏକୁ ଟକ୍କର ଦେବାରେ ଲାଗିଛି । ସେପଟେ ଏଲଜେପି ଏନଡିଏରୁ ଅଲଗା ହୋଇ ଏକାକି ନିର୍ବାଚନ ଲଢିବାକୁ ଘୋଷଣା କରିଛି । ଏପରିସ୍ଥିତିରେ କଂଗ୍ରେସ କିନ୍ତୁ ରାଜ୍ୟରେ ହରାଇଛି ନିଜର ଅସ୍ତିତ୍ବ । ଅଳ୍ପସଂଖ୍ୟକଙ୍କ ଭୋଟ ବ୍ୟାଙ୍କ୍ ହାତେଇବାକୁ ତୁଷ୍ଟିକରଣର ରାଜନୀତି କରୁଥିବା ନେଇ ସର୍ବଦା ବିଜେପିର ଟାର୍ଗେଟରେ ରହିଆସିଥିବା କଂଗ୍ରେସ ଏଥର କିନ୍ତୁ ଏହି ଅଳ୍ପସଂଖ୍ୟକ ସମୁଦାୟଙ୍କୁ ଟିକଟ ନଦେବା ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।
ବିହାର ନିର୍ବାଚନ ପାଇଁ ଜାରି କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ କୌଣସି ଅଳ୍ପସଂଖ୍ୟକ ପ୍ରାର୍ଥୀ ନାହାନ୍ତି । ତେବେ ଏପରିସ୍ଥିତିରେ ସର୍ବପୂରାତନ ରାଜନୈତିକ ଦଳ କଂଗ୍ରେସ ଅଳ୍ପସଂଖ୍ୟକଙ୍କ ବିଶ୍ବାସ ହରାଇଥିବା ନେଇ ରାଜ୍ୟବାସୀ ଅନୁଭବ କରୁଛନ୍ତି । କେବଳ ଜନସାଧାରଣ କାହିଁକି, ଏହା କଂଗ୍ରେସର ଟିକେଟ ବଣ୍ଟନରେ ହିଁ ସ୍ପଷ୍ଟ ପରିଲକ୍ଷିତ ହୋଇଛି ।
ବିହାରର ଜଣେ ସ୍ଥାନୀୟ ଅଧିବାସୀ ସମିମ ହାସନ କହିଛନ୍ତି, କଂଗ୍ରେସ ସମ୍ପୂର୍ଣ୍ଣ ରୂପେ ବିଶ୍ବାସ ହରାଇଛି । କାରଣ ଏହା ଗତ ନିର୍ବାଚନରେ ଏଠାରୁ କୌଣସି ଆସନ ଜିତିବାରେ ସଫଳତା ହାସଲ କରିପାରିନଥିଲା । ଏପରିସ୍ଥିତିରେ ଲୋକେ ଜେଡିୟୁ, ଏଲଜେପି ଓ ଆରଜେଡିକୁ ପସନ୍ଦ କରୁଛନ୍ତି ।
ସେହିପରି ପାଟନାର ଜଣେ ମତଦାତା ଆସ ମହମ୍ମଦ କହିଛନ୍ତି, ଅଳ୍ପସଂଖ୍ୟକଙ୍କୁ କଂଗ୍ରେସ କ୍ରୀତଦାସ ବୋଲି ମନେକରୁଥିବା ବେଳେ ଦଳର ଭାବନା ଅନୁଯାୟୀ ଲୋକେ କାର୍ଯ୍ୟ କରିବେ ବୋଲି ବିଶ୍ବାସ କରୁଛି । ସମସ୍ତ ଜାଣନ୍ତି କଂଗ୍ରେସ ଅଳ୍ପସଂଖ୍ୟକଙ୍କ ସହ କିପରି ବ୍ୟବହାର କରେ । ତେବେ ବର୍ତ୍ତମାନ ମତଦାତାମାନେ ଚାଲାକ ଓ ସେମାନେ କଣ ପଦକ୍ଷେପ ନେବେ ଭଲ ଭାବରେ ଜାଣନ୍ତି ବୋଲି ଅହମ୍ମଦ କହିଛନ୍ତି ।
ବିହାର ବିଧାନସଭା ନିର୍ବାଚନକୁ ଆଉ ଅଳ୍ପଦିନ ବାକି ଥିବା ବେଳେ କଂଗ୍ରେସ ଅଳ୍ପସଂଖ୍ୟକଙ୍କ ବିଶ୍ବାସ ଜିତି ଭୋଟ ହାତେଇବାକୁ କେତେଦୂର ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।