ଚଣ୍ଡିଗଡ଼: ହରିଆଣାର ଗୁରୁଗ୍ରାମ ସୋହନାରେ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଗଣଦୁଷ୍କର୍ମ ମାମଲା ରୁଜୁ କରି ଜଣେ ଜାତୀୟ ସ୍ତରର ଖେଳାଳି ଡାକ୍ତରଙ୍କୁ ଲୁଟିଥିବା ଭଳି ଖବର ସାମ୍ନାକୁ ଆସିଛି । ଉକ୍ତ ମହିଳା ଖେଳାଳି ଜଣକ କିଛି ସହଯୋଗୀଙ୍କ ସହିତ ମିଶି ଏଭଳି କରିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ମୁତାବକ ଉକ୍ତ ଖେଳାଳି ଜଣକ ଦେଶ ଓ ରାଜ୍ୟ ପାଇଁ ଖେଳି ପାଖାପାଖି 28ଟି ପଦକ ହାତେଇଛନ୍ତି । ତେବେ ଏହି ଖେଳାଳି ଜଣକ ତାଙ୍କର କିଛି ସହଯୋଗୀଙ୍କ ସହିତ ମିଶି ଜଣେ ବେସରକାରୀ ଡାକ୍ତରଖାନା କରିଥିବା ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ । ମାମଲାରେ ଦର୍ଶାଇଥିଲେ ଯେ ଡାକ୍ତରଖାନାରେ ଚାକିରି ଦେବାକୁ କହି ଉକ୍ତ ଡାକ୍ତର ଜଣକ ଗଣଦୁଷ୍କର୍ମ କରିଥିଲେ ।
ମାମଲା ଅନୁଯାୟୀ ଏଥିପାଇଁ ମହିଳା ଖେଳାଳିଙ୍କୁ ସୋହାନା ଡକାଇଥିଲେ । ଗୋଟିଏ ଡାକ୍ତରଖାନାରେ ଦେଖା କରିବାକୁ କହି ସୋହାନାସ୍ଥିତ ଗୁରୁଗ୍ରାମର ସେଣ୍ଟ୍ରାଲ ପାର୍କର 5ମ ମହଲାକୁ ନେଇଥିଲେ । ସେଠାରେ ପୂର୍ବରୁ କିଛି ଲୋକ ଥିବା ଓ ଡାକ୍ତର ମିଶି ଗଣଦୁଷ୍କର୍ମ କରିଥିବା ମାମଲାରେ ଦର୍ଶାଇଛନ୍ତି ।
ଏହି ମାମଲା ପାଇବା ପରେ ପୋଲିସ କାର୍ଯ୍ୟନୁଷ୍ଠାନ ନେଇଥିଲେ । ପରେ ମାମଲାରେ ଅଭିଯୁକ୍ତ ଦର୍ଶାଯାଇଥିବା ଡାକ୍ତର ହୁକୁମଚାନ୍ଦଙ୍କୁ ପୋଲିସ ଗିରଫ କରିଥିଲେ । ତେବେ ଏହି ମାମଲାକୁ ଶେଷ କରିବା ପାଇଁ ଖେଳାଳିଙ୍କ ମା' ଡାକ୍ତରଙ୍କ ପୁଅକୁ ଫୋନ ମାଧ୍ୟମରେ 13 ଲକ୍ଷ ଟଙ୍କା ମାଗିଥିଲେ ।
ସେପଟେ ଟଙ୍କା ମାଗିବାକୁ ନେଇ ପୋଲିସରେ ଅଭିଯୋଗ କରିଥିଲେ ଡାକ୍ତର ହୁକୁମଚାନ୍ଦଙ୍କ ପୁଅ । ପୋଲିସ କହିବା ମୁତାବକ ହୁକୁମଚାନ୍ଦଙ୍କ ପୁଅ ଏହି ଅର୍ଥକୁ ଦେବା ପାଇଁ ସୋହନା ବାଇପାସରେ ପହଞ୍ଚିଥିଲେ । ସେଠାରେ ପୂର୍ବରୁ ମହିଳା ଖେଳାଳି, ତାଙ୍କ ମା' ଓ ଖେଳାଳିଙ୍କ କିଛି ବନ୍ଧୁ ସେଠାରେ ଉପସ୍ଥିତ ଥିଲେ । ସେଠାରୁ ସମସ୍ତେ ଜଣେ ଓକିଲଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ଟଙ୍କା ନେଣଦେଣ ସମୟରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଗିରଫ କରିଥିଲା ।
ସୂଚନା ମୁତାବକ ବିଗତ 6 ବର୍ଷ ମଧ୍ୟରେ ଖେଳାଳି ଜଣକ ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ 28ଟି ପଦକ ହାସଲ କରିଛନ୍ତି । ଏହା ସହିତ ଜିଲ୍ଲା ସ୍ତରରେ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା । ତେବେ ଉକ୍ତ ଖେଳାଳିଙ୍କର ଏଭଳି କାର୍ଯ୍ୟକୁ ସାଧାରଣରେ କେହି ବିଶ୍ବାସ କରିପାରୁନଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି ।