ହାଇଦ୍ରାବାଦ୍: ଦୁର୍ଦ୍ଦଶାର କଳା ଵାଦଲ ଘୋଟିଥିବା ଗୋଟିଏ ମସିଆ ମୁହଁ ! କୋରଡରେ ପଶି ଥିବା ଦୁଇଟି ପେଜୁଆ ଆଖି ! ଚିଣ୍ଡା ଚପଲର ସାହାରା ନେଇଥିବା ଦୁଇଟି ଅଭିଶପ୍ତ ପାଦ ! ଏକ ଦୁର୍ବଳ ଶରୀର ଆଉ ଭୋକରେ ଛଟପଟ ହେଉଥିବା ଏକ ନିର୍ଦ୍ଦୟ ମଣିଷର ନାଁ ଏଠି ଦିଆଯାଏ ଶ୍ରମିକ ! କାନ୍ଧରେ ଝୁଲୁଥିବା ଝାଳୁଆ ଗାମୁଛା ଆଉ ଦେହରେ ଲଟକିଥିବା ପୁରୁଣା ପୋଷାକର ଗନ୍ଧରୁ ବାରି ହୋଇପଡେ କେଡେ ଅସହାୟ ସେ ! ଏମିତି ଏକ ମେହେନତୀ ରୂପରେଖକୁ ଶ୍ରମିକର ଆଖ୍ୟା ଦେଇଥିବା ଏ ସାମାଜିକ ବ୍ୟବସ୍ଥା ଆଜି ପାଳୁଛି ଶ୍ରମିକ ଦିଵସ !
ମେ' ପହିଲା। ଅନ୍ତର୍ଜାତୀୟ ଶ୍ରମିକ ଦିବସ। ଆଜିର ଦିନଟି ଶ୍ରମିକ ଶ୍ରେଣୀର ଗୌରବମୟ ଏକତା ଓ ସଂଗ୍ରାମର ଇତିହାସକୁ ବଖାଣେ। ଜଗତୀକରଣ ବ୍ୟବସ୍ଥାରେ ଯେତେବେଳେ ଶିଳ୍ପ ଓ ଶ୍ରମିକର ସଂଜ୍ଞା ବଦଳେ ସେତେବେଳେ ଏହି ଦିବସର ପ୍ରାସଙ୍ଗିକତା କେତେ ଦୂର ଯଥାର୍ଥ ? ସମସ୍ତଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କଲା ଭଳି ପ୍ରଶ୍ନ ! ଏହି ପ୍ରଶ୍ନର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଏ ମାଟିର ଶ୍ରମିକ ମୁକ୍ତି, ସମତା ଓ ଭାତୃତ୍ବ ହାସଲର ଲକ୍ଷ୍ୟସ୍ଥଳରେ ଏବେ ସୁଦ୍ଧା ପହଞ୍ଚି ପାରି ନାହାଁନ୍ତି।
କେବଳ ବିଧି ରକ୍ଷା କରି ଆମେ ଏହି ମେ ପହିଲାକୁ ସଭା ଓ ଶୋଭାଯାତ୍ରା କରି କର୍ତ୍ତବ୍ୟ ପାଳନ କରିବା ପରି ମନେ ହେଉଛି। ଶ୍ରମିକଙ୍କ ପାଇଁ ସରକାରଙ୍କ ପାଖରୁ ଯୋଜନା ପରେ ଯୋଜନା ଓ ପ୍ୟାକେଜର ଲମ୍ବା ଲିଷ୍ଟ। ହେଲେ ବାସ୍ତବରେ ଆଜି ବି ଶ୍ରମିକ ପାଦରେ ବେଢି ପକାଇଛି ଶୋଷଣ,କଷଣ ଦାରିଦ୍ର୍ୟ ଓ କ୍ଷୁଧା।
ଆଖି ବୁଲେଇ ଆଣିଲେ ଚାରିଆଡେ ପ୍ରଗତିଶୀଳ ଭାରତର ସୁନ୍ଦର ସହର ଓ ଗାଁ। ମଲରୁ ମଲ୍ଟିପ୍ଲେକ୍ସ, କମ୍ପାନୀ ରୁ କାରଖାନା, ଫ୍ଲାଏ ଓଭର ଵ୍ରିଜରୁ ଜାତୀୟ ରାଜପଥ-ଏମିତିକି ଏ ମହାନଗରର ଯେତେସବୁ ନଦୀବନ୍ଧ, ଏୟାରପୋର୍ଟ, ମେଡିକାଲ୍, ନିର୍ମାଣ, ବାଟ/ଘାଟ, ଅଫିସ୍ ଠାରୁ ଆରମ୍ଭ କରି ନୂଆ ଭାରତର ଆଧୁନିକତାର ସ୍ପର୍ଶ ଯାଏଁ- ବାସ୍ତବରେ ସବୁ ପଛର ଶ୍ରେୟ ଥାଏ ଶ୍ରମିକର। ହେଲେ ବାଃ ବାଃ ନିଅନ୍ତି ରାଜନେତାଙ୍କ ଠୁ ଆରମ୍ଭ କରି ଇଞ୍ଜିନିୟର,ଠିକାଦାର ଓ ଧନୀ ଶ୍ରେଣୀର ବ୍ୟକ୍ତି ଵା ସମ୍ଭ୍ରାନ୍ତ ଶ୍ରେଣୀ । ହେଲେ ସମସ୍ତେ ଭୁଲି ଯାଆନ୍ତି ପ୍ରକୃତ ବାହାଦୂରୀ ଶିଳ୍ପୀଙ୍କୁ। ଯେଉଁମାନେ ଦିନ ରାତିକୁ ଏକ କରି ଓ ଝାଳ ରକ୍ତକୁ ପାଣି କରି ଏସବୁ ଗଢିବାରେ ନିଜ ଜୀବନକୁ ବାଜି ଲଗାଇଥାନ୍ତି। ସେମିତି ଏହି ଶିଳ୍ପୀ ଓ ଶ୍ରମିକଙ୍କ ଜୀବନ କିନ୍ତୁ ଦୁର୍ବିସହ। ସରକାରଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ସେମାନଙ୍କୁ ସର୍ବଦା ହତାଶ, ଅବହେଳା ଓ ହତାଦାର କରି ଚାଲିଛି।
ଵିଭିନ୍ନ ସମୟରେ ଭୋଟ୍ ହାତେଇବାକୁ ଲକ୍ଷାଧିକ ଟଙ୍କାର ଯୋଜନା ହେଉଛି ସତ କିନ୍ତୁ ସଜାଡି ହୋଇପାରୁନି ଶ୍ରମିକ ର ଆର୍ଥିକ ସ୍ଥିତି, ସୁଧାରି ହେଉନାହିଁ ଏମାନଙ୍କ ଜୀବନଚର୍ଯ୍ୟା। କେଉଁଠି ଛଅ ମାସର ପିଲାକୁ ଲୁଗାରେ ବାନ୍ଧି ଅଣ୍ଟାରେ ଝୁଲେଇ ମହିଳା ଶ୍ରମିକଟିଏ ମୁଣ୍ଡରେ ବୋଝ ଲଦି ଝୁଣ୍ଟିକି ପଡୁଛି ତ କେଉଁଠି ଶିଶୁ ଶ୍ରମିକଟିଏ ମାଲିକର ବୋଲ ନମାନି ଅତ୍ୟାଚାର ଶିକାର ହେଲାଣି ? କେଵେ କଡାକଡି ହେଵ ଶ୍ରମ ଆଇନ ? କେଵେ ମହିଳା ଶ୍ରମିକଙ୍କ ସମସ୍ୟା ଦୂର ହେଵ ? କେଵେ ରୋକି ହେଵ ଶିଶୁ ଶ୍ରମିକ ? ବାସ୍ତବରେ ଶ୍ରମିକଟିଏ କେଵେ ପାଇଵ ତାର ହକ୍ ? ସତରେ ଏହି ପ୍ରଶ୍ନର ଉତ୍ତର ଆଜି ବି ଅସ୍ପଷ୍ଟ ଓ ଅବୁଝା ।
କେବଳ ଶ୍ରମିକ ଦିବସର ସ୍ମୃତିକୁ ମନେପକାଇ ଏହି ଦିନ ଟିକୁ ଛୁଟିଦିନ ଭାବେ ପାଳନ କରାଯାଉଛି। ସେତେଵେଳେ ବିଶ୍ରାମ କିମ୍ବା ବିରତିର ନଥିଲା ନିର୍ଦ୍ଧିଷ୍ଟ ସମୟ ସୀମା। ଦିନରାତି ଝାଳ ବୁହାଇ ଶ୍ରମିକମାନେ କାମ କରୁଥିଲେ। ଆଠ ଘଣ୍ଟା କାର୍ଯ୍ୟ ସମୟ ଦାବୀରୁ ଜନ୍ମ ନେଲା ବିଶ୍ୱ ଶ୍ରମିକ ଦିବସ। ପୁଞ୍ଜିବାଦୀ ବ୍ୟବସ୍ଥା ବିରୋଧରେ ବିଶ୍ୱ ଶ୍ରମଜୀବୀ ସମୁଦାୟର ଏହା ଥିଲା ପ୍ରଥମ ରାଜନୈତିକ ସଂଗ୍ରାମ ।
୧୮୮୪ ମସିହାଠାରୁ ଏହି ଦାବୀ ନେଇ ଧାରାବାହିକ ଆନ୍ଦୋଳନ ଆମେରିକାରେ ଚାଲିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଆନ୍ଦୋଳନର ସୂତ୍ରପାତ ହୋଇଥଲେ ହେଁ ବିଶ୍ୱର ସମସ୍ତ ସ୍ୱାଧୀନ ଓ ପରାଧୀନ ଦେଶର ଶ୍ରମଜୀବୀମାନଙ୍କୁ ଏହା ପ୍ରଭାବିତ କରିଥଲା ।
ଯୁକ୍ତରାଷ୍ଟ୍ର ଆମେରିକାର ବାଲ୍ଲିମୋର ସହରରେ ୧୮୬୬ ମସିହା ଅଗଷ୍ଟ ୨୦ ତାରିଖରେ ଷାଠିଏଟି ୟୁନିୟନର ପ୍ରତିନିଧିମାନେ ଏକତ୍ରିତ ହୋଇ ଆଠଘଣ୍ଟା ଶ୍ରମ ଦିବସ ପାଇଁ ଆଇନ ପ୍ରଣୟନ କରିବା ସହିତ ବିଭିନ୍ନ ସୁବିଧା/ସୁଯୋଗ ପାଇଁ ପ୍ରସ୍ତାବ ଗ୍ରହଣ କରିଥଲେ ।
ନ୍ୟାସନାଲ ଲେବର ୟୁନିୟନ ମଧ ପୁଞ୍ଜିବାଦୀ ଦାସତ୍ୱରୁ ଶ୍ରମଜୀବୀମାନଙ୍କୁ ମୁକ୍ତ କରାଇବା ପାଇଁ ଲକ୍ଷ୍ୟ ରଖିଥଲା । ୧୮୬୮ରେ ଯୁକ୍ତରାଷ୍ଟ୍ର ଆମେରିକାର କଂଗ୍ରେସ ଆଠଘଣ୍ଟା ଶ୍ରମଦିବସକୁ ଗ୍ରହଣ କରିଥଲା । ପ୍ରଥମ ଆନ୍ତର୍ଜାତିକର ଜେନିଭା ଅଧିବେଶନ ମଧ୍ୟ ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିଥଲା। ସେହିଦିନ ଠାରୁ ଆଜି ଯାଏଁ ପାଳନ ହେଉଛି ବିଶ୍ଵ ଶ୍ରମିକ ଦିବସ। ଭାରତ ଭଳି ଦେଶ ଏଥିରେ ସାମିଲ୍। ଯେଉଁ ଉଦ୍ଦେଶ୍ୟ ନେଇ ଶ୍ରମିକଙ୍କ ପାଇଁ ଏହି ଦିବସର ଉତ୍ପତ୍ତି, ଏଠି ସେ ସମସ୍ୟାର ସମାଧାନ କେଵେ ହେଵ ତାହା ସମୟ କହିବ !
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ