ନୂଆଦିଲ୍ଲୀ: ଡିସେମ୍ବର 31 ତାରିଖ ଯାଏଁ ଦେଶରେ ସମସ୍ତ ପ୍ରକାର ଅନ୍ତର୍ଜାତିକ ବିମାନ ଚଳାଚଳ ଉପରେ କଟକଣା ବଳବତ୍ତର ରହିବ। ଏହାକୁ ନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ପକ୍ଷରୁ ବିଦ୍ଧିବଧ ଭାବରେ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । କୋରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ଅନ୍ତର୍ଜାତିକ ବିମାନ ଚଳାଚଳ ଉପରେ କଟକଣା ବଳବତ୍ତର ରଖାଯାଇଥିବା ସୂଚନା ମିଳିଛି ।

ତେବେ ଏହି କଟକଣା ବିଭିନ୍ନ ଦ୍ରବ୍ୟ ଆମଦାନୀ ଓ ରପ୍ତାନୀ କରୁଥିବା ବିମାନଗୁଡ଼ିକ ଉପରେ ଲାଗୁ ହେବନାହିଁ। ଭାରତକୁ ଆସିବାକୁ ଥିବା ବା ଭାରତରୁ ଯିବାକୁ ଥିବା ସମସ୍ତ ବ୍ୟବସାୟୀକ ଯାତ୍ରୀ ପରିବହନ ବିମାନ ଉପରେ ଏହି କଟକଣା ଜାରି କରାଯାଇଛି। ଏହାପୂର୍ବରୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ନଭେମ୍ବର 30 ଯାଏଁ ଏହି କଟକଣା ଜାରି ରହିଥିଲା।
ଡିସେମ୍ବର 1 ତାରିଖରୁ ଅନ୍ତର୍ଜାତିକ ବିମାନ ଚଳାଚଳ କରିବାକୁ ଅନୁମିତ ଦିଆଯାଇଥିଲା। ତେବେ ଏହାର କିଛି ସମୟ ମଧ୍ୟରେ ହିଁ ଏହି ବିଜ୍ଞପ୍ତିକୁ ବଦଳାଇ ପୁନଃ ପ୍ରକାଶ କରାଯାଇଛି। ଏଥିରେ ବିଭିନ୍ନ ଜିନିଷ ପରିବହନ କୁରଥିବା ବିମାନ ଚଳାଚଳ କରିବାକୁ ଅନୁମତି ଦିଆଯାଇଛି। ଅତ୍ୟାବଶ୍ୟକ ସମୟରେ କେତେକ ରୁଟରେ ବିମାନ ଚଳାଚଳକୁ ଅନୁମତି ଦିଆଯାଇପାରେ ବୋଲି ସୂଚନା ମିଳିଛି।
ମହାମାରୀ କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଗତ ମାର୍ଚ୍ଚ 23 ତାରିଖରୁ ଦେଶରେ ସମସ୍ତ ପ୍ରକାର ଅନ୍ତର୍ଜାତିକ ବିମାନ ଚଳାଚଳ ଉପରେ କଟକଣା ଜାରି ହୋଇଥିଲା। ତେବେ ମେ' ମାସରୁ ଏୟାର ବବଲ ଚୁକ୍ତିନାମା ଅନୁଯାୟୀ କେତେକ ବିଶେଷ ବିମାନ ଚଳାଚଳ ହୋଇଥିଲା । କୋରୋନା ମହାମାରୀ ସମୟରେ ବାହାର ଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଏହି ଚୁକ୍ତିନାମା ହୋଇଥିଲା। ଭାରତ 20ଟି ଦେଶ ସହ ଏହି ଚୁକ୍ତିନାମା ସ୍ବାକ୍ଷର କରିଥିଲା। ଏହି ଚୁକ୍ତିରେ ଆମେରିକା ଓ ଇଂଲଣ୍ଡ ଭଳି ରାଷ୍ଟ୍ର ଅନ୍ତର୍ଭୁକ୍ତ ରହିଥିଲେ। ଏହି ଚୁକ୍ତି ଅନୁଯାୟୀ କେବଳ ଦୁଇ ଦେଶ ମଧ୍ୟରେ ବିମାନ ଚଳାଚଳ କରିବାକୁ ଅନୁମତି ଦିଆଯାଇଥିଲା।
ମେ' ମାସରୁ ଦେଶରେ ଘରୋଇ ବିମାନ ଚଳାଚଳ ଆରମ୍ଭ କରିଥିଲା । ଲକଡାଉନର ଦୁଇମାସ ପରେ ଘରୋଇ ବିମାନ ଚଳାଚଳକୁ ଅନୁମତି ଦିଆଯାଇଥିଲା ।
@ani