ଏମିତି ତ ଗୁରୁଙ୍କ ପାଇଁ ଗୋଟିଏ ଦିନ କେବେ ମଧ୍ୟ ପର୍ଯ୍ୟାପ୍ତ ହୋଇପାରିବ ନାହିଁ । କିନ୍ତୁ ଜୀବନ ବ୍ୟସ୍ତତା ଭିତରୁ ଗୋଟିଏ ଦିନ ବାହାର କରି ଅଜ୍ଞାନ ଅନ୍ଧକାର ମଧ୍ୟରେ ଜ୍ଞାନର ଆଲୋକ ବୁଣିଥିବା ସେହି ଗୁରୁଙ୍କୁ ମନେ ପକାଇଥାନ୍ତି ସମସ୍ତେ । ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଜନ୍ମଦିନକୁ ସାରା ଭାରତ ବର୍ଷରେ ଗୁରୁଦିବସ ଭାବେ ପାଳନ କରାଯାଏ । ସେ ଜଣେ ବିଦ୍ବାନ ବ୍ୟକ୍ତିତ୍ବ ସହ ଜଣେ ମହାନ ଶିକ୍ଷକ ଥିଲେ । ତେଣୁ ପ୍ରତିବର୍ଷ ସେପ୍ଟେମ୍ବର 5 ତାରିଖରେ ଗୁରୁଦିବସ ପାଳିତ ହୁଏ । ସାରା ଦେଶର ସ୍କୁଲ କଲେଜ ମାନଙ୍କରେ ଗୁରୁଦିବସ ପାଳନ ପାଇଁ ବିଭିନ୍ନ ଆୟୋଜନ ମାନ କରାଯାଇଥାଏ । ସମାଜକୁ ସୁନ୍ଦର କରି ଗଢ଼ି ତୋଳିବାରେ ଶିକ୍ଷକଙ୍କ ମହତ୍ବପୂର୍ଣ୍ଣ ଭୂମିକାକୁ ମନେ ପକାଇଥାନ୍ତି ସଭିଏଁ । ତେବେ ନିଜ ଜନ୍ମ ଦିନକୁ ଗୁରୁଦିବସ ଭାବେ ଉତ୍ସର୍ଗ କରିଥିବା ମହାନ ଶିକ୍ଷକ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ବିଷୟରେ ଆସନ୍ତୁ ଜାଣିବା କିଛି ଅଜଣା କଥା ।
- ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଭଳି ଜଣେ ମହାନ ଶିକ୍ଷକଙ୍କୁ ତାଙ୍କ ପିତା ଇଂରାଜୀ ପଢ଼ିବା ପାଇଁ ଅନୁମତି ଦେଇନଥିଲେ । ସେ ଚାହୁଁଥିଲେ ରାଧାକ୍ରିଷ୍ଣନ୍ ପୁରୋହିତ ହୁଅନ୍ତୁ । କିନ୍ତୁ ରାଧାକ୍ରିଷ୍ଣନ୍ଙ୍କ ପ୍ରତିଭା ଏତେ ଥିଲା ଯେ ତାଙ୍କୁ ପାଠ ପଢିବାରୁ କେହି ନିବୃତ କରି ପାରି ନଥିଲେ ଓ ସେ ତିରୁପତି ସ୍ଥିତ ସ୍କୁଲରେ ପାଠ ପଢ଼ା ଆରମ୍ଭ କଲେ ।
- ରାଧାକ୍ରିଷ୍ଣନ୍ ଦର୍ଶନଶାସ୍ତ୍ର କ୍ଷେତ୍ରରେ ଅକସ୍ମାତ ପ୍ରବେଶ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ନିଜ ପ୍ରତିଭା, ଏକାଗ୍ରତା ଓ ଆତ୍ମବିଶ୍ବାସ ବଳରେ ସେ ଜଣେ ମହାନ ଦାର୍ଶନିକ ଭାବେ ପରିଗଣିତ ହୋଇଥିଲେ ।
- ନିଜର ଏମଏ ପାଠ ପଢ଼ା ବେଳେ ରାଧାକ୍ରିଷ୍ଣନ୍ ଏକ ଥିସିସ୍ ଲେଖିଥିଲେ ଯାହାର ବିଷୟବସ୍ତୁ ଥିଲା, ‘‘The Ethics of the Vedanta and Its Material Presupposition (ବେଦାନ୍ତର ନୈତିକତା ଏବଂ ଏହାର ସାମଗ୍ରୀକ ପୂର୍ବାନୁମାନ । ରାଧାକ୍ରିଷ୍ଣନ୍ଙ୍କ ଏହି ଥେସିସ ବେଦାନ୍ତରେ ନୈତିକତାର କୌଣସି ସ୍ଥାନ ନଥିବା ନେଇ ଥିବା ଧାରଣାର ଉତ୍ତର ଥିଲା । ପରେ 1908 ମସିହାରେ ତାଙ୍କର ଏହି ଥିସିସ ତାଙ୍କର ପ୍ରଥମ ପୁସ୍ତକ ଭାବେ ପ୍ରକାଶ ପାଇଲା । ଏହା ଏହା ନିଃସନ୍ଦେହ ଭାବେ ଜଣେ ମହାନ ଦାର୍ଶନିକ ଭାବରେ ତାଙ୍କର ଖ୍ୟାତି ପ୍ରତିଷ୍ଠା କଲା ।
- ଆମେରିକୀୟ ଶିକ୍ଷାବିତ୍ ପଲ୍ ଆର୍ଟର୍ ସ୍କିଲ୍ପ ରାଧାକ୍ରିଷ୍ଣନ୍ଙ୍କୁ ‘‘A living bridge between the east and the west (ପୂର୍ବ ଓ ପଶ୍ଚିମ ମଧ୍ୟରେ ଏକ ଜୀବନ୍ତ ସେତୁ)’’ ବୋଲି କହିଥିଲେ । କାରଣ ରାଧାକୃଷ୍ଣନ୍ ଭାରତୀୟ ଭାବନାକୁ ପାଶ୍ଚାତ୍ୟ ଭାଷାରେ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରିଥିଲେ। ସେ ବିଶ୍ବରେ ପ୍ରମାଣିତ କରିଥିଲେ ଯେ ଭାରତୀୟ ଚିନ୍ତାଧାରା କାରଣ ଏବଂ ତର୍କରେ ପରିପୂର୍ଣ୍ଣ । ଏହା ଦ୍ବାରା ସେ ଭାରତୀୟମାନଙ୍କୁ ବିଶ୍ବ ଦରବାରରେ ଏକ ନୂତନ ସମ୍ମାନ ପ୍ରଦାନ କରିବାରେ ସକ୍ଷମ ହୋଇଥିଲେ।
- ଭାରତର ଉପରାଷ୍ଟ୍ରପତି ଭାବରେ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ରାଜ୍ୟସଭା ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ। ସଦସ୍ୟମାନଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହେଲେ ସେ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ସଂସ୍କୃତ ଶାସ୍ତ୍ର କିମ୍ବା ବାଇବେଲରୁ ସ୍ଲୋକ ପଢ଼ିବା ଆରମ୍ଭ କରୁଥିଲେ। ଏହା ଉପରେ ଜବାହରଲାଲ ନେହେରୁ ମନ୍ତବ୍ୟ ଦେଇଥିଲେ ଯେ, “ରାଧାକ୍ରିଷ୍ଣନ୍ ରାଜ୍ୟସଭାର ପ୍ରକ୍ରିୟାକୁ ଏପରି ପରିଚାଳନା କରିଛନ୍ତି ଯାହା କାରଣରୁ ଗୃହ ସଭା ପାରିବାରିକ କାର୍ଯ୍ୟକ୍ରମ ପରି ମନେ ହୋଇଛି ।’’
- 1975ରେ ତାଙ୍କ ମୃତ୍ୟୁର କିଛି ମାସ ପୂର୍ବରୁ, ରାଧାକ୍ରିଷ୍ଣନ୍ “ଇଶ୍ବରଙ୍କ ବୈଶ୍ବିକ ବାସ୍ତବତା ଯାହା ସମସ୍ତଙ୍କ ପାଇଁ ପ୍ରେମ ଏବଂ ଜ୍ଞାନ ଗ୍ରହଣ କରିଥିଲା” ଧାରଣାକୁ ପ୍ରୋତ୍ସାହିତ କରି ଟେମ୍ପଲେଟନ୍ ପୁରସ୍କାର ଲାଭ କରିଥିଲେ । ତେବେ ସେ ସେହି ପୁରସ୍କାର ରାଶିକୁ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟକୁ ଦାନ କରିଥିଲେ।
- ମହାନ ପ୍ରଫେସର ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ସ୍ମୃତିରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର “ରାଧାକ୍ରିଷ୍ଣନ୍ ଚେଭେନିଂ ସ୍କଲାରସିପ୍” ନାମକ ଏକ ବୃତ୍ତି ପ୍ରତିଷ୍ଠା କରିଛି ।
- ପ୍ରସିଦ୍ଧ ବ୍ରିଟିଶ ଦାର୍ଶନିକ ବର୍ଟ୍ରାଣ୍ଡ ରସେଲ ଡକ୍ଟର ରାଧାକ୍ରିଷ୍ଣନ୍ଙ୍କୁ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ଭାବରେ ସ୍ବାଗତ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ “ଦର୍ଶନଶାସ୍ତ୍ର ପାଇଁ ଏହା ଏକ ଗୌରବର ବିଷୟ ଯେ ଡକ୍ଟର ରାଧାକ୍ରିଷ୍ଣନ୍ ଭାରତର ରାଷ୍ଟ୍ରପତି ହେବେ ଏବଂ ମୁଁ ଜଣେ ଦାର୍ଶନିକ ଭାବରେ ଏଥିରେ ଖୁବ୍ ଆନନ୍ଦିତ । ଦାର୍ଶନିକମାନେ ରାଜା ହେବା ପାଇଁ ପ୍ଲାଟୋ ଆକାଂକ୍ଷା କରିଥିଲେ ଏବଂ ଜଣେ ଦାର୍ଶନିକଙ୍କୁ ତାଙ୍କ ରାଷ୍ଟ୍ରପତି କରିବା ଭାରତ ପାଇଁ ଏକ ଗୌରବ।”
- ତାଙ୍କ ଛାତ୍ରମାନେ ତାଙ୍କୁ ଏତେ ମାତ୍ରାରେ ଭଲ ପାଉଥିଲେ ଏବଂ ସମ୍ମାନ କରୁଥିଲେ ଯେ, ଯେତେବେଳେ ସେ କଲିକତା ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବରେ ନିଯୁକ୍ତ ହୋଇଥିଲେ ଏବଂ ମାଏସୋର ବିଶ୍ବବିଦ୍ୟାଳୟରୁ ବିଦାୟ ନେଉଥିଲେ, ସେତେବେଳେ ତାଙ୍କୁ ଏକ ଫୁଲ ସଜ୍ଜିତ ରଥରେ ତାଙ୍କ ଛାତ୍ର ମାନେ ନେଇଥିଲେ।
- ରାଧାକ୍ରିଷ୍ଣନ୍ ଜୀବନସାରା ତାଙ୍କର ସମ୍ମାନଜନକ ସେବା ଏବଂ ବିସ୍ତୃତ ଜ୍ଞାନ ପାଇଁ ବିଭିନ୍ନ ପୁରସ୍କାର ଗ୍ରହଣ କରିଥିଲେ । ସେ 1931 ମସିହାରେ ଜଣେ ନାଇଟ୍ ବ୍ୟାଚେଲର୍ ଭାବରେ ନିଯୁକ୍ତ ହୋଇଥିଲେ ମଧ୍ୟ ସେ ‘ସାର୍’ ଟାଇଟଲ୍ ବ୍ୟବହାର କରିବାକୁ ମନା କରିଦେଇଥିଲେ ଏବଂ ତାଙ୍କର ଏକାଡେମିକ୍ ଟାଇଟଲ୍ ‘ଡାକ୍ତର’ ଗ୍ରହଣ କରିଥିଲେ। 1938 ମସିହାରେ ସେ ବ୍ରିଟିଶ ଏକାଡେମୀର ଫେଲୋ ଭାବରେ ନିର୍ବାଚିତ ହୋଇଥିଲେ। ସେ 1961 ମସିହାରେ ଜର୍ମାନ ବୁକ୍ ଟ୍ରେଡର ଶାନ୍ତି ପୁରସ୍କାର ମଧ୍ୟ ପାଇଥିଲେ। ମାନବ ସମାଜ ପାଇଁ ତାଙ୍କର ସମ୍ମାନଜନକ ଓ ଉଲ୍ଲେଖନୀୟ ସେବା ପାଇଁ ଦେଶର ସର୍ବୋଚ୍ଚ ପୁରସ୍କାର ଭାରତ ରତ୍ନ ଦ୍ବାରା ତାଙ୍କୁ 1954 ମସିହାରେ ସମ୍ମାନିତ କରାଯାଇଥିଲା।
- ଭାରତର ରାଷ୍ଟ୍ରପତି ହେବା ପରେ ମଧ୍ୟ ସର୍ବପଲ୍ଲୀ ଜଣେ ନମ୍ର ବ୍ୟକ୍ତି ହୋଇ ରହିଲେ । ତାଙ୍କ ଦରମା 10 ହଜାର ହୋଇଥିଲେ ମଧ୍ୟ ସେ କେବଳ 2,500 ଟଙ୍କା ଗ୍ରହଣ କରି ବାକି ତକ ଅର୍ଥ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରି ଦେଉଥିଲା ।