ଲକ୍ଷ୍ନୌ: ଦେଶର ଉନ୍ନତିରେ ଶିଳ୍ପ ଗୁଡିକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ସେଥିପାଇଁ ବିଭିନ୍ନ ରାଜ୍ୟରେ ଶିଳ୍ପପତିମାନେ କମ୍ପାନୀ ପ୍ରତିଷ୍ଠା କରିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । ମାତ୍ର ରାଜ୍ୟଗୁଡ଼ିକରେ ବିଭିନ୍ନ ସମସ୍ୟା କାରଣରୁ ସରକାର ସେମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରିପାରିନଥାନ୍ତି । ଫଳରେ ଅନେକ ସମୟରେ ଶିଳ୍ପ ପ୍ରକଳ୍ପ ଗୁଡିକ ଗଢି ଉଠିବା ପୂର୍ବରୁ ହିଁ ବନ୍ଦ ହୋଇ ଯାଇଥାଏ ।
ଉତ୍ତରପ୍ରଦେଶରେ ଶିଳ୍ପର ଉନ୍ନତିରେ ଅନେକ ସମୟରେ ବାଧା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଥାଏ । ଦୀର୍ଘ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ବିତିଥିଲେ ମଧ୍ୟ ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ସେଭଳି ଉନ୍ନତି ହୋଇନଥିବା ଦେଖିବାକୁ ମିଳିଛି । ଅନେକ ଶିଳ୍ପ ଗୁଡ଼ିକ ଧିରେ ଧିରେ ବନ୍ଦ ହେବାକୁ ଲାଗିଛି । ସେପଟେ ଏଭଳି ସ୍ଥିତିରେ ବେରୋଜଗାର ମଧ୍ୟ ବଢିଥିବା ଦେଖିବାକୁ ମିଳିଛି ।
ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାରେ ଥିବା ଅନେକ ଶିଳ୍ପ ଗୁ଼ଡ଼ିକ ବନ୍ଦ ହେବାକୁ ବସିଛି । ଜିଲ୍ଲାର ମୁଖ୍ୟାଳୟରେ ଥିବା ପ୍ଲାଇଉଡ଼ ଫ୍ୟାକ୍ଟ୍ରି ଧିରେ ଧିରେ ବନ୍ଦ ହେବାକୁ ବସିଛି । ଏହି କମ୍ପାରୀ ଇଂରେଜ ଅମଳ ହୋଇଥିବା ବେଳେ ଭାରତୀୟ ଗ୍ରୁପ ସହିତ ଇଂରେଜମାନେ କରିଥିବା ଏକ ଚୁକ୍ତି ଅନୁସାରେ ଏହା ପ୍ରତିଷ୍ଠା ହୋଇଥିଲା । 1938 ମସିହାରେ ଏହି ପ୍ଲାଇଉଡ଼ କମ୍ପାନୀର ମୂଳଦୁଆ ପଡିଥିଲା । ଏହି କମ୍ପାନୀର ଆରମ୍ଭ ହେବା ପରେ ସେହି ସମୟରେ ଦେଶରେ ସୀତାପୁରର ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି ହୋଇଥିଲା ।
ଏହି କମ୍ପାନୀ ଏଠାରେ ପ୍ରତିଷ୍ଠା ହେବା ପରେ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ପାଖାପାଖି 3ରୁ 4 ହଜାର ଲୋକ ରୋଜଗାରକ୍ଷମ ହୋଇ ପାରିଥିଲେ । ତେବେ କମ୍ପାନୀରେ 15 ଶହ ସ୍ଥାୟୀ ଓ 5 ଶହ ଅସ୍ଥାୟୀ ଭାବେ କାର୍ଯ୍ୟକରୁଥିଲେ । ତେବେ କୌଣସି କାରଣରୁ 2001 ମସିହାରେ ଏହି କମ୍ପାନୀକୁ ବନ୍ଦ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଫଳରେ କମ୍ପାନୀରେ ତାଲା ପଡ଼ିଥିଲା । କମ୍ପାନୀ ବନ୍ଦ ହେବା ପରେ ଅନେକ ବେରୋଜଗାର ହୋଇ ପଡ଼ିଥିଲେ । କେବଳ ବେରୋଜଗାର ହୋଇ ନଥିଲେ, ଅନେକ ବକେୟା ପଡ଼ିଥିବା ଦରମା ମଧ୍ୟ ପାଇନଥିଲେ । ଆଜି ମଧ୍ୟ ଅନେକ କର୍ମଚାରୀ ସେମାନଙ୍କର ଦରମା ପାଇବା ପାଇଁ ସଂଘର୍ଷ ଜାରି ରଖିଛନ୍ତି ।
ସେହିଭଳି ଅନ୍ୟ ଏକ କମ୍ପାନୀ ହେଉଛି ଲକ୍ଷ୍ମୀ ସୁଗାର ମିଲ । ଏହି ସୁଗାର ମିଲକୁ ସେଠ କିଶୋରୀ ଲାଲ 1938 ମସିହାରେ ସ୍ଥାପନ କରିଥିଲେ । ଅନେକ ସମୟ ପର୍ଯ୍ୟନ୍ତ ଏଠାରେ ପ୍ରସ୍ତୁତ ହେଉଥିବା ଚିନିକୁ ସମଗ୍ର ଦେଶକୁ ଯୋଗାଉଥିଲା କମ୍ପାନୀ । ଏଠାରୁ ଉତ୍ପାଦ ହେଉଥିବା ଚିନିର ଲୋକପ୍ରିୟତାକୁ ଦେଖି ପରବର୍ତ୍ତୀ ସମୟରେ ସରକାର ତାହାକୁ ନିଜ ଅଧିନକୁ ନେଇଥିଲେ ଓ ପରିଚାଳନା ମଧ୍ୟ କରିଥିଲେ । ତେବେ ମାତ୍ର ପରବର୍ତ୍ତୀ ସମୟରେ ଅନେକ କମ୍ପାନୀ ଆସିବାରୁ ଏହି କମ୍ପାନୀ କ୍ଷତିରେ ଚାଲୁଥିଲା । ଫଳରେ ଏହାକୁ ସରକାର ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ।
ସେହିପରି ମ୍ୟାଗମା ସୁଗାର ମିଲକୁ ମଧ୍ୟ ସରକାର ବନ୍ଦ କରିଦେଇଥିଲେ । ଫଳରେ ଏହି ଦୁଇ କମ୍ପାନୀ ବନ୍ଦ ହେବା ଦ୍ବାରା ଅନେକ ଲୋକ ବେରୋଜଗାର ହୋଇ ପଡ଼ିଥିଲେ ।