ଭାରତରେ ଆଜି ବି ଛାତି ଟାଣ କରି ଛିଡା ହୋଇଛି ଅନେକ ଦୁର୍ଗ । ଏହା ଇତିହାସର ମୁକ ସାକ୍ଷୀ ସାଜି ବର୍ତ୍ତମାନ ସମୟରେ ଦଣ୍ଡାୟମାନ ଥିବା ବେଳେ ରାଜସ୍ଥାନର ଭରତପୁରରେ ରହିଛି ଏକ ନିଆରା ଦୁର୍ଗ । ଲୋହାଗଡ ନାମକ ଏହି ଦୁର୍ଗ ଭାରତର ଏକମାତ୍ର ଅଜେୟ ଦୁର୍ଗ । ଏହି ଦୁର୍ଗକୁ ଆଜି ଯାଏଁ କେହି ଜିତି ପାରିନଥିବା ବେଳେ ଇଂରେଜମାନେ ମଧ୍ୟ ଏହି ଗଡକୁ ଜିତିବା ପାଇଁ ଆଶା ଛାଡି ଦେଇଥିଲେ ।
ଏହି ଦୁର୍ଗଟି 285 ବର୍ଷ ପୂର୍ବେ, ଅର୍ଥାତ୍ 19 ଫେବୃଆରୀ, 1733ରେ ନିର୍ମାଣ ହୋଇଥିଲା । ଯାହାକୁ ନିର୍ମାଣ କରିଥିଲେ ଜାଟ୍ଟ୍ ଶାସକ ମହାରାଜ ସୁରଜମଲ । ସେହି ସମୟରେ ଅନେକ ଆକ୍ରମଣ ଜାରି ରହିଥିବା ବେଳେ ଆକ୍ରମଣ ସବୁରେ ଗୋଳା ବାରୁଦ ଓ ତୋପର ବହୁଳ ବ୍ୟବହାର ହେଉଥିଲା । ଏହାକୁ ନଜରରେ ରଖି ଏହି ଦୁର୍ଗକୁ ଏକ ନିଆରା ଢଙ୍ଗରେ ନିର୍ମାଣ କରାଯାଇଥିଲା । ଫଳରେ ତୋପ ମଧ୍ୟ ଦୁର୍ଗର ପାଚେରୀରେ ବାଜି ନଷ୍ଟ ହେଉଥିଲା ପଛେ ଦୁର୍ଗର ପାଚେରୀ ଭାଙ୍ଗି ପାରନଥିଲା । କେବଳ ସେତିକି ନୁହେଁ ବାରୁଦ ମଧ୍ୟ ଏହି ଦୁର୍ଗ ଆଗରେ ଅକାମି ହୋଇ ପଡିଥିଲା ।
ଏହି ଦୁର୍ଗ ନିର୍ମାଣ ସମୟରେ ପ୍ରଥମେ କଚ୍ଚା ମାଟିର ସହାୟତାରେ ଏକ ବଡ ଓ ସୁଉଚ୍ଚ ପଥରକୁ ପାଚେରୀ ଆକାରରେ ଛିଡା କରାଯାଇଥିଲା । ଏହା ଏତେ ଶକ୍ତ ଥିଲା କି ଏଥିରେ ବାଜି ତୋପ ଓ ଗୋଳା ବାରୁଦ ନଷ୍ଟ ହୋଇଯାଉଥିଲା । ଏହି ଶକ୍ତ ପାଚେରୀକୁ ଲାଗି ଏହାର ଚାରି ପାଖରେ ଆହୁରି ଉଚ୍ଚ ପାଚେରୀ ନିର୍ମାଣ କରାଯାଇଥିଲା । ଏଥିସହ ପାଚେରୀ ସାମ୍ନାରେ ବାହାର ପାର୍ଶ୍ବରେ ଗଭୀର ଘାଇ ଖୋଳାଯାଇ ସେଥିରେ ପାଣି ଭର୍ତ୍ତି କରାଯାଇଥିଲା । ଏହା ପଛରେ ଉଦ୍ଦେଶ୍ୟ ଥିଲା କି ଯଦି କୌଣସି ମତେ ଘାଇର ଜଳାଶୟ ଅତିକ୍ରମ କରି ଦୁର୍ଗ ପାଖରେ ପହଞ୍ଚନ୍ତି ତେବେ ସେମାନେ ଏହି ସୁଉଚ୍ଚ ପାଚେରୀ ଡେଇଁ ପାରିବେ ନାହିଁ ।
ଲୋହାଗଡ ଦୁର୍ଗରେ କେବେ କୌଣସି ଶତ୍ରୁ ପ୍ରବେଶ କରିବାର ସାହସ କରିନଥିଲେ । ଏହାର ଶକ୍ତ ପାଚେରୀରେ ଗୋଳା ବାରୁଦ ତୋପ ବାଜି ନଷ୍ଟ ହୋଇଯାଉଥିଲା । ଏହି କାରଣରୁ ଏହି ଦୁର୍ଗରେ ପ୍ରବେଶ ଏକପ୍ରକାର ଅସମ୍ଭବ ଥିଲା । ତେଣୁ ଏହି ଦୁର୍ଗ ବିଜୟ ଆଗରେ ହାର ମାନିଥିଲେ ଅନେକ ଶତ୍ରୁ ।
ଏହି କିଲ୍ଲା ଉପରେ ଇଂରେଜମାନେ 13 ଥର ଆକ୍ରମଣ କରିଥିଲେ । ପ୍ରତ୍ୟେକ ଥର ସେମାନେ ବିପୁଳ ତୋପ ବର୍ଷଣ କରିଥିଲେ । ତଥାପି କୌଣସି ଥର କୌଣସି ବି ତୋପ ଦୁର୍ଗର ପାଚେରୀ ଭେଦି ନଥିଲା । ତେବେ ବାରମ୍ବାର ବିଫଳ ହେବା ପରେ ଶେଷରେ ଇଂରେଜମାନେ ସମ୍ପୃକ୍ତ ସ୍ଥାନ ଛାଡି ଚାଲିଯାଇଥିଲେ ।
ଇଂରେଜ ଐତିହାସିକ ଜେମ୍ସ ଟାଡଙ୍କ କହିବା ଅନୁଯାୟୀ ଏହି ଦୁର୍ଗର ସବୁଠାରୁ ବଡ ଶକ୍ତି ଥିଲା ଏହାର ଶକ୍ତ ପାଚେରୀ । ଏହା ମାଟିରେ ନିର୍ମିତ ହେବା ସତ୍ତ୍ବେ ଏହା ତୋପକୁ ନିଷ୍କ୍ରିୟ କରିବାରେ ସକ୍ଷମ ଥିଲା । ଏହି କାରଣରୁ ଏହି ଦୁର୍ଗକୁ ବିଜୟ କରିବା ଶତ୍ରୁଙ୍କ ପାଇଁ ଦିବା ସ୍ବପ୍ନ ପାଲଟିଥିଲା । ଯାହା କେବେ ପୂରଣ ହୋଇପାରିନଥିଲା । ଏହି କାରଣରୁ ହିଁ ଏହି ଦୁର୍ଗଟି ଲୋହାଗଡ ଭାବେ ପ୍ରସିଦ୍ଧି ଲାଭ କରିଥିଲା ।