ନୂଆଦିଲ୍ଲୀ: ଲଗାମ ଲାଗୁନି ଦିଲ୍ଲୀ ପ୍ରଦୂଷଣରେ । ଦିନକୁ ଦିନକୁ ଅତି ସାଙ୍ଘାତିକ ହେବାରେ ଲାଗୁଛି ବାୟୁମଣ୍ଡଳ । ଧୂଳି, ଧୂଆଁରେ ଆଚ୍ଛାଦିତ ପରିବେଶରେ ଛଟପଟ ହେଉଛନ୍ତି ରାଜଧାନୀବାସୀ । ଶୁଦ୍ଧ ପରିବେଶ ତ ଛାଡ ନିଶ୍ବାସ-ପ୍ରଶ୍ବାସ ନେବା ପାଇଁ ଏଠି କଷ୍ଟକର ହୋଇପଡିଲାଣି । ଫଳରେ ବାଧ୍ୟ ହୋଇ ଲୋକଙ୍କୁ କିଣିବାକୁ ପଡୁଛି ଶୁଦ୍ଧ ପବନ । ତାହା ପୁଣି ମାତ୍ର 15 ମିନିଟ ପାଇଁ ।
ଦେଶରେ ପ୍ରଥମ ଥର ପାଇଁ ଏହି ଅକ୍ସିଜେନ ବାର ଖୋଲାଯାଇଛି । ଯେଉଁଠି ଶୁଦ୍ଧ ପବନ କିଣିବାକୁ ପଡୁଛି । ମାତ୍ର 15 ମିନିଟ ସମୟ ପାଇଁ ଦେବାକୁ ପଡୁଛି 299ଟଙ୍କା ।ଦକ୍ଷିଣ ଦିଲ୍ଲୀର ଆର୍ଯ୍ୟବୀର କୁମାର ନାମକ ଏକ ଯୁବକ ଚଳିତ ବର୍ଷ ମେ' ମାସରେ ଏହି 'ଅକ୍ସିଜେନ ବାର' ଖୋଲିଥିଲେ । ଯାହାର ନାଁ ରଖାଯାଇଛି 'ଅକ୍ସି ପିଓର' । ମୁଖ୍ୟତଃ ଏଠାକୁ ବିଷଦଗାର, ନିଦ୍ରାହୀନତା ଓ ହ୍ୟାଙ୍ଗଓଭୋର ଭଳି ଲୋକମାନେ ଏଠାକୁ ଆସିଥାନ୍ତି ।
ବାର ଆରମ୍ଭରୁ ଏତେ ମାତ୍ରାରେ ଗ୍ରାହକ ଆସୁନଥିଲେ । କିନ୍ତୁ ଗତ ଅକ୍ଟୋବର ମାସରୁ ପ୍ରଦୂଷଣ ମାତ୍ରା ବଢିବା ପରେ ଏଠାରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । 299ଟଙ୍କାରୁ ଆରମ୍ଭ କରି 499 ଟଙ୍କା ପର୍ଯ୍ୟନ୍ତ ଦେଉଛନ୍ତି ଲୋକେ । ସେହିପରି ଏଠାରେ ପେପରମିଣ୍ଟ, ଅରେଞ୍ଜ, ସିନାମେନ, ଲାଭେଣ୍ଟର, ଲେମନଗ୍ରାସ ଭଳି 7ଟି ଫ୍ଲେଭରର ପବନ ମିଳୁଛି । ବର୍ତ୍ତମାନ ଏଠାକୁ ଶିଶୁ ଠାରୁ ବୟସ୍କ ଆସୁଥିବାବେଳେ ଘରକୁ ଅକ୍ସିଜେନ କିଣିକି ମଧ୍ୟ ନେଉଛନ୍ତି । ସେପଟେ, ଏହାର ଚାହିଦା ବଢୁଥିବାରୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଆଉ ଏକ ବାର ଖୋଲାଯିବା ନେଇ ସୂଚନା ରହିଛି ।
ସୂଚନାଯୋଗ୍ୟ, ବିଶ୍ବର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଚୀନରେ ମଧ୍ୟ ଅକ୍ସିଜେନ ବିକ୍ରି ହେଉଥିବାର ଦେଖିବାକୁ ମିଳିଛି ।