ଇସଲାମାବାଦ: ଆଜି ଜମ୍ମୁ-କାଶ୍ମୀର ନେଇଛୁ । କାଲି ବେଲୁଚିସ୍ତାନ-ପିଓକେ ନେବୁ । ମୋଦି ସରକାର ଭାରତର ସ୍ବପ୍ନ ନିଶ୍ଚୟ ପୂରଣ କରିବେ । ଏଭଳି ଧମକଭରା ପୋଷ୍ଟର ଏବେ ଦେଖିବାକୁ ମିଳିଛି ପାକିସ୍ତାନ ରାଜଧାନୀ ଇସଲାମାବାଦରେ । ମଙ୍ଗଳବାର ଇସଲାମାବାଦର କେତେକ ସ୍ଥାନରେ ଭାରତ ସରକାରଙ୍କ ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ନିର୍ଣ୍ଣୟର ପ୍ରଶଂସାରେ ଭରା ପୋଷ୍ଟର ଦେଖିବାକୁ ମିଳିଥିଲା । ଏଥିରେ ବେଲୁଚିସ୍ତାନକୁ ନେଇ ପାକ୍କୁ ଚେତାବନୀ ମଧ୍ୟ ଦିଆଯାଇଛି । ତେବେ ପୋଲିସ ବର୍ତ୍ତମାନ ଏହି ପୋଷ୍ଟରକୁ ହଟାଇବା ସହ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣା ପଡିଛି ।
ଏହି ବ୍ୟାନରରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ରାଜ୍ୟସଭାରେ ଦେଇଥିବା ବୟାନ ସହ ଭାରତର ମାନଚିତ୍ର ଅଙ୍କା ଯାଇଛି। ଯେଉଁଥିରେ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ବର୍ତ୍ତମାନ ରାଜ୍ୟକୁ ଭାରତର ଅଂଶ ଭାବେ ଦର୍ଶାଯାଇଛି । ବ୍ୟାନରଟି 'ଅଖଣ୍ଡ ଭାରତ ରିଅଲ ଟେରର' ନାମକ କୌଣସି ଅଜ୍ଞାତ ସଂଗଠନ ପକ୍ଷରୁ ଲଗାଯାଇଥିବା ବେଳେ ଏଥିରେ ସନ୍ଦେଶ ଦିଆଯାଇଥିଲା, 'ମହା-ଭାରତ ଅ ଷ୍ଟେଟ ଫରୱାର୍ଡ' ଅର୍ଥାତ ମହା-ଭାରତ ନିର୍ମିତ ଦିଗରେ ଏକ ପାଦ ଆଗେ ।
ସୂଚନାଯୋଗ୍ୟ ଯେ, ରାଜ୍ୟସଭାରେ ଜମ୍ମୁ-କାଶ୍ମୀର ପୁର୍ନଗଠନ ବିଲ୍ ଆଗତ ହେବାପରେ ସାଂସଦ ସଞ୍ଜୟ ରାଉତ କହିଥିଲେ, ଆଜି ଜମ୍ମୁ-କାଶ୍ମୀର ନେଇଛୁ । କାଲି ବେଲୁଚିସ୍ତାନ-ପିଓକେ ନେବୁ ।