ନୂଆଦିଲ୍ଲୀ: ଭାରତରେ ଦୁଇଦିନ ହେବ ବ୍ୟାନ ହୋଇଛି 59ଟି ଚାଇନିଜ ଆପ୍ । ଏନେଇ ଟିକ୍ଟକ୍ ସିଇଓ କେଭିନ ମାୟର ମଙ୍ଗଳବାର ଦିନ ଭାରତରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି, ଭାରତୀୟ କମ୍ପନୀରେ ଚାକିରୀ କରୁଥିବା କୌଣସି କର୍ମଚାରୀ ନିଜ ଚାକିରୀ ହରାଇବେ ନାହିଁ ଏହାସହ ଡିଜିଟାଲ ଇଣ୍ଡିଆକୁ ପୁଣିଥରେ କମବ୍ୟାକ କରିବାକୁ ସେ ଆଶା ରଖିଥିବା କହିଛନ୍ତି ।
କେଭିନ କହିଛନ୍ତି, ବାଇଟ୍ ଡ୍ୟାନ୍ସ (ଟିକଟକ) ଆଗାମୀ ବର୍ଷରେ ଭାରତରେ ଅଧିକ ପୁଞ୍ଜି ବିନିଯୋଗ କରିବାକୁ ଇଚ୍ଛା ରଖିଛି । ତେଣୁ ଏଥିରେ କାର୍ଯ୍ୟରତ କର୍ମଚାରୀଙ୍କ କୌଣସି ଛଟେଇ କିମ୍ବା ଦରମା କମ୍ ହେବ ନାହିଁ । ସରକାରୀ ଏଜେନ୍ସିମାନଙ୍କ ସହ ଆଲୋଚନା ପରେ ଖୁବ୍ ଶୀଘ୍ର ଆମେ ଏହାର ସମାଧାନ ବାହାର କରିବୁ ବୋଲି ସେ କହିଛନ୍ତି ।
ସୂଚନା ଅନୁଯାୟୀ, ଟିକଟକର ଭାରତୀୟ ସିଇଓ ନିଖିଲ ଗାନ୍ଧୀ ଏବଂ ହେଲୋ ଆପର ସିଇଓ ରୋହନ ମିଶ୍ର ମଧ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଭାରତୀୟ କର୍ମଚାରୀଙ୍କୁ ସମ୍ବୋଧିତ କରିବା ସହ କହିଥିଲେ ଯେ ଆମେମାନେ ମଧ୍ୟ ସମାନ ପରିସ୍ଥିତି ଦେଇ ଗତି କରୁଛୁ । ଆଶା କରୁଛୁ ଯେ ଏହି ସମସ୍ୟାର ଶୀଘ୍ର ସମାଧାନ ହେବ ।
ତେବେ ଭିଡିଓ କନଫରେନ୍ସ ମିଟ୍ ପରେ ଟିକଟକ୍ ସିଇଓ ଏଥିରେ କାର୍ଯ୍ୟରତ ଭାରତୀୟ କର୍ମଚାରୀଙ୍କୁ ଏକ ମେଲ୍ ପଠାଇଥିଲେ । ସେ ଲେଖିଥିଲେ, ଟିକଟକ୍ ସର୍ବଦା ସମସ୍ତ ତଥ୍ୟର ଗୋପନୀୟତା ଜାରି ରଖିଛି । ଭାରତୀୟ ନିୟମ ଅନୁଯାୟୀ, ଉପଭୋକ୍ତାଙ୍କ ଗୋପନୀୟତା ଏବଂ ଅଖଣ୍ଡତା ଉପରେ ସର୍ବାଧିକ ଗୁରୁତ୍ବ ପ୍ରଦାନ କରି ଆସୁଛି । ଆମର କର୍ମଚାରୀମାନେ ଆମର ସବୁଠାରୁ ବଡ ଶକ୍ତି ଏବଂ ସେମାନଙ୍କର ମଙ୍ଗଳ କାମନା କରିବା ହେଉଛି ଆମର ସର୍ବୋଚ୍ଚ ପ୍ରାଥମିକତା । ପରିସ୍ଥିତିରେ ସୁଧାର ଆଣିବା ପାଇଁ ଆମ ଦ୍ବାରା ଯାହା ସମ୍ଭବ ଆମେ ଆପଣଙ୍କ ପାଇଁ କରିବୁ ବୋଲି ସେ ଲେଖିଛନ୍ତି ।
ପ୍ରକାଶ ଥାଉ କି, ଭାରତର ବାଇଟ ଡ୍ୟାନ୍ସ ଡିଜିଟାଲ ଦୁନିଆର ଏକ ପ୍ରମୁଖ କମ୍ପାନୀ ଯେଉଁଥିରେ ଭାରତର ଶହ ଶହ କମ୍ପାନୀ କାମ କରୁଛନ୍ତି । ଇଁରାଜୀ, ହିନ୍ଦୀ ସମତେ ଏହା ବିଭିନ୍ନ ଆଞ୍ଚଳିକ ଭାଷାର ଲୋକଙ୍କୁ ମଧ୍ୟ ନିଯୁକ୍ତି ଦେଇଛି ।