ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ବଢିଛି ତିକ୍ତତା । ଯାହାର ଫଳସ୍ବରୂପ ଚାଇନା ସାମଗ୍ରୀ ଦେଶରେ ବୟକଟ କରାଯାଉଛି । ଏହି ପରିପ୍ରକ୍ଷୀରେ ନିକଟରେ କେନ୍ଦ୍ର ସରକାର 59ଟି ଚାଇନା ଆପ୍କୁ ଦେଶରେ ବ୍ୟାନ କରିଛନ୍ତି । ଆପ୍ ଗୁଡିକ ବ୍ୟାନ କରିବାର ମାତ୍ର ସପ୍ତାହ ନପୁରୁଣୁ ସ୍ବଦେଶୀ ଆପ୍ର ବଢିଛି ଚାହିଦା । ଟିକଟକ୍କୁ ଚ୍ୟାଲେଞ୍ଜ ଦେଉଥିବା ଭାରତର ସେୟାର ଚାର୍ଟ ଆପର ଡିମାଣ୍ଡ ଢେର ଅଧିକ ରହିଛି । ତେବେ ସେୟାର ଚାର୍ଟର ସର୍ଟ ଭିଡିଓ ଆପ୍ ଏମଓଜି ଏମଧ୍ୟରେ 50 ଲକ୍ଷରୁ ଊର୍ଦ୍ଧ୍ବ ୟୁଜର ଡାଉନଲୋଡ କରିସାରିଛନ୍ତି । ସେହିପରି ଲାଇଫଷ୍ଟାଇଲ ଆପ୍ ଗୁଡିକ ମାତ୍ର 5ଦିନରେ 1.2କୋଟିରୁ ଊର୍ଦ୍ଧ୍ବ ୟୁଜର ଡାଉନଲୋଡ କରିଛନ୍ତି ।
ନଜର ପକାନ୍ତୁ ସ୍ବଦେଶୀ ଆପ୍ର ଲୋକପ୍ରିୟତା ସମ୍ପର୍କରେ...
ସେୟାର ଚାର୍ଟ: ସେୟାର ଚାର୍ଟ ଆପର ଲୋକପ୍ରିୟତା ଶୀର୍ଷରେ ରହିଛି । ଦୈନିକ ଲକ୍ଷ ଲକ୍ଷ ଲୋକେ ଏହି ଆପ୍ଟିକୁ ଡାଉନଲୋଡ କରୁଛନ୍ତି । ମାତ୍ର ଛଅ ଦିନରେ 3.5କୋଟିରୁ ଊର୍ଦ୍ଧ୍ବ ୟୁଜର ଏହି ପ୍ଲାର୍ଟଫର୍ମରେ ଯୋଡି ହୋଇଛନ୍ତି । ଦେଶରେ ହ୍ୟାଲୋ ଓ ଟିକଟକ୍ ଆପ ବ୍ୟାନ ହେବା ପରେ ତାହାର ସିଧାସଳଖ ପ୍ରଭାବ ପଡିଛି ସେୟାର ଚାର୍ଟ ଉପରେ । ସୂଚନା ଅନୁସାରେ, ଦେଶରେ 20 କୋଟି ଊର୍ଦ୍ଧ୍ବ ଲୋକେ ଟିକଟକ୍ ବ୍ୟବହାର କରୁଥିବା ବେଳେ 11.5 କୋଟି ଲୋକେ ଲାଇକ ଆପ୍ ବ୍ୟବହାର କରୁଥିଲେ ।
ରୋପୋସୋ ଆପ୍: ଭିଡିଓ ସେୟାରିଂ ଆପ୍ ରୋପୋସୋ ଆପ୍କୁ ଦେଶରେ ମିଳିଛି ଢେର୍ ଲୋକପ୍ରିୟତା । ପ୍ରତି ଘଣ୍ଟାରେ ଲକ୍ଷ ଲକ୍ଷ ୟୁଜର ଏହି ଆପ୍ ଡାଉନଲୋଡ କରୁଛନ୍ତି । ଏମଧ୍ୟରେ ଏହି ଆପ୍କୁ 2.5କୋଟି ଲୋକ ଡାଉନଲୋଡ କରିଛନ୍ତି ।
ଚିଙ୍ଗାରି ଆପ୍: ଚିଙ୍ଗାରି ଆପକୁ ମଧ୍ୟ ମାତ୍ର 6 ଦିନରେ 1.1 କୋଟି ଲୋକ ଡାଉନଲୋଡ କରିଛନ୍ତି । ଏଥିରେ ବିଭିନ୍ନ ପ୍ରକାର ଭାଷା ରହିଥିବାରୁ ଲୋକେ ଏହି ଆପକୁ ଖୁବ ପସନ୍ଦ କରୁଛନ୍ତି । ଚଳିତ ମାସ ସୁଦ୍ଧା 10 କୋଟି ୟୁଜର ପହଞ୍ଚିବ ବୋଲି କମ୍ପାନୀ ଆଶା ରଖିଛି ।
ୟୁସି ନ୍ୟୁଜକୁ ଟକ୍କର ଦେଉଛି ଲୋକଲ ଆପ୍: ଚୀନର ୟୁସି ନ୍ୟୁଜ୍ ଆପକୁ କଡା ଟକ୍କର ଦେଉଛି ଭାରତୀୟ ଆପ୍ ଲୋକଲ । ପଞ୍ଚାୟତ ସ୍ତରରେ ଲୋକଙ୍କୁ ନ୍ୟୁଜ ଦେବାରେ ଏହା ପ୍ରଥମ ଆପ୍ । ପ୍ରାୟ 40 ପ୍ରତିଶତ ଲୋକେ ଏହି ଆପ୍ର ଆକ୍ଟିଭ ସଦସ୍ୟ ଅଛନ୍ତି ।
ଇନଷ୍ଟାଗ୍ରାମ ବନାନ ଟ୍ରେଲ: ସ୍ବଦେଶୀ ଲାଇଫଷ୍ଟାଇଲ ଆପ୍ ଟ୍ରେଲ ବର୍ତ୍ତମାନ ଇନଷ୍ଟାଗ୍ରାମର ବିକଳ୍ପ ଭାବେ ଉଭା ହୋଇଛି । ଏହି ଆପ୍ରେ ଆପଣ ଖାଦ୍ୟ-ପାନୀୟ, ଫ୍ୟାଶନ, ଟ୍ରାଭେଲିଂ ଭଳି ବିଭିନ୍ନ ବିଷୟ ଉପରେ ମତ ରଖି ପାରିବେ । ପ୍ରତ୍ୟେକ ଦିନ ଏହି ଆପର ଚାହିଦା ବଢିବା ସହ ବର୍ତ୍ତମାନ ଏକ କୋଟି ଆକ୍ଟିଭ ୟୁଜର ଅଛନ୍ତି ଏହି ଆପ୍ର ।
ଟ୍ବିଟରକୁ ଟକ୍କର ଦେଉଛି କୂ: ଟ୍ବିଟରକୁ କଡା ଟକ୍କର ଦଉଛି କୂ । ଗତ 3 ମାସ ମଧ୍ୟରେ ଲୋକପ୍ରିୟ ହୋଇପାରିଛି ଏହି ଆପ୍ ।
ଗଲୱାନ ଉପତ୍ୟକାରେ ଉଭୟ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହେବା ପରେ ଚୀନ ବିରୋଧରେ ଦେଶରେ ସ୍ବର ଉତ୍ତୋଳନ ହେବାରେ ଲାଗିଛି । ଚାଇନା ସାମଗ୍ରୀକୁ ବୟକଟ କରୁଛନ୍ତି ସଭିଁଏ । ଅନ୍ୟପଟେ ସରକାରଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି ।