ନୂଆଦିଲ୍ଲୀ: ଭାରତ ଶତ୍ରୁକୁ ଜଳ, ସ୍ଥଳ, ଆକାଶ ସବୁ ମାର୍ଗରେ ପରାସ୍ତ କରିବା ପାଇଁ ନିଜ ସାମରିକ ଶକ୍ତି ସାମର୍ଥ୍ୟକୁ ମଜଭୁତ କରୁଛି। ଏହିକ୍ରମରେ ଭାରତ ବୁଡାଜାହାଜ ମାଧ୍ୟମରେ ଶତ୍ରୁ ଠିକଣାକୁ ଧ୍ବସ୍ତବିଧ୍ବସ୍ତ କରିବା କ୍ଷମତାକୁ ଟାଣ କରିବା ପାଇଁ ଶୁକ୍ରବାର ଆନ୍ଧ୍ର ପ୍ରଦେଶ ସମୁଦ୍ରକୂଳରୁ ପାଣି ତଳେ 3500 କିଲୋମିଟର ଲକ୍ଷ୍ୟ ଭେଦ କରିବା ସାମର୍ଥ୍ୟ ରଖୁଥିବା K-4 ପରମାଣୁ ମିଶାଇଲର ପରୀକ୍ଷା କରିବା ଯୋଜନା ପ୍ରସ୍ତୁତ କରୁଛି।
ଏହି ମିଶାଇଲ ପ୍ରଣାଳୀକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ଆରିହନ୍ତ ଶ୍ରେଣୀ ପରମାଣୁ କ୍ଷମତାସମ୍ପନ୍ନ ଯୁଦ୍ଧପୋତ ପାଇଁ ବିକଶିତ କରୁଛି। ଏହା ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯିବ। ଏହି ଯୁଦ୍ଧପୋତ ପରମାଣୁ ପରୀକ୍ଷଣର ପ୍ରମୁଖ ଆଧାର ଭାବରେ କାର୍ଯ୍ୟ କରିବ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡିଆରଡିଓ ଶୁକ୍ରବାର ଦିନ ବିଶାଖାପଟ୍ଟନମ ସମୁଦ୍ରକୂଳର ପାଣି ଭିତରେ K-4 ପରମାଣୁ ମିଶାଇଲର ପରୀକ୍ଷଣ କରିବ। ଟ୍ରାଏଲ ସମୟରେ ଡିଆରଡିଓ ମିଶାଇଲ ପ୍ରଣାଳୀରେ ଉନ୍ନତ ପ୍ରଣାଳୀର ପରୀକ୍ଷଣ କରିବ।
K-4 ମିଶାଇଲ ଶ୍ରେଣୀର ବିଶେଷତ୍ବ ଶତ୍ରୁ ପାଇଁ ଅଭେଦ୍ୟ । K-4 ଜଳ ଭିତରେ ଆକ୍ରମଣ କରିପାରୁଥିବା ଏପରି ଦୁଇଟି ମିଶାଇଲ ଯାହାକୁ ଡିଆରଡିଓ ଦ୍ବାରା ବିକଶିତ କରାଯାଉଛି । ଅନ୍ୟ ଏକ ମିଶାଇଲର ନାଁ BO-5 ରହିଛି । ଯାହାର ଲକ୍ଷ୍ୟଭେଦ କ୍ଷମତା ପ୍ରାୟ 700 କିଲୋମିଟର। ମାତ୍ର ବର୍ତ୍ତମାନ ସୁଦ୍ଧା ଡିଆରଡିଓ ଏହା ସ୍ପଷ୍ଟ କରି ନାହିଁ ଯେ, ଏହି ମିଶାଇଲ ପରୀକ୍ଷଣ ସ୍ବଳ୍ପଗାମୀ କି ଦୂରଗାମୀ ରହିବ।
ମାତ୍ର ଭାରତ ପକ୍ଷରୁ ଦୀର୍ଘ ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା ମିଶାଇଲର ପରୀକ୍ଷଣ ପାଇଁ ସମୁଦ୍ରୀ ଚେତାବନୀ ଏବଂ ନୋଟମ(ନୋଟିସ ଟୁ ଏୟରମ୍ୟାନ) ପୂର୍ବରୁ ଜାରି କରାଯାଇ ସାରିଛି। K-4 ମିଶାଇଲ ପରୀକ୍ଷଣର ଯୋଜନା ଗତ ମାସରେ ସ୍ଥିର କରାଯାଇଥିଲା, କିନ୍ତୁ ଏହାକୁ ପରେ ସ୍ଥଗିତ ରଖାଯାଇଥିଲା । ଆସନ୍ତା ସପ୍ତାହରେ ଡିଆରଡିଓ ପକ୍ଷରୁ ଅଗ୍ନି-3 ଓ ବ୍ରହ୍ମୋସ ମିଶାଇଲର ପରୀକ୍ଷଣ କରାଯିବା ଯୋଜନା ରହିଛି।