ନୂଆଦିଲ୍ଲୀ: ସୋମବାର ଦେଶର ଲୋକସଭାରେ ଆଗତ ହୋଇଛି ବହୁ ଚର୍ଚ୍ଚିତ ନାଗରିକ ସଂଶୋଧନ ବିଲ (ସିଏବି) ଦୀର୍ଘ 8ଘଣ୍ଟାର ମାରାଥନ ଆଲୋଚନା ପରେ ମଧ୍ୟରାତ୍ରୀରେ ଲୋକସଭାରେ ପାରିତ ହୋଇଛି । ଏହି ବିଲକୁ ନେଇ ଏବେ ଦେଶର ସଂସଦ ଠାରୁ ସଡକ ପର୍ଯ୍ୟନ୍ତ ପ୍ରତିବାଦ, ବିକ୍ଷୋଭ ଜାରି ରହିଛି । ଆସନ୍ତା କାଲି ବିଲ ରାଜ୍ୟସଭାରେ ଆଗତ ହେବାର ସମ୍ଭାବନା ରହିଛି ।
ଠିକ ଏହି ସମୟରେ ଆସିଛି ଆଉ ଏକ ଚର୍ଚ୍ଚିତ କଲା ଭଳି ଖବର। ଆନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ପାଇଁ କାର୍ଯ୍ୟ କରୁଥିବା ‘ଆମେରିକାର ଫେଡରାଲ କମିଶନ’ ଭାରତର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଆନ୍ତର୍ଜାତୀୟ କଟକଣା ଲଗାଇବାକୁ ଅନୁରୋଧ କରିଛି। ଆମେରିକାର ଫେଡରାଲ କମିଶନ କହିଛନ୍ତି ଭାରତ ସରକାର ଯେଉଁ ବିଲ ଲୋକସଭାରେ ଆଗତ କରିଛନ୍ତି ତାହା ଭୟଙ୍କର। ଏହି ବିଲକୁ ଆମେ ଘୋର ବିରୋଧ କରୁଛୁ ବୋଲି କମିଶନ କହିଛନ୍ତି।
ଆମେରିକା କମିଶନ ଭାରତକୁ ଧମକ ଦେବା ଛଳରେ ୟୁଏସସିଆଇଆରଏଫ ଏହାକୁ ବିରୋଧ କରି କହିଛି ଏଭଳି ବିଲ ଭାରତର ଲୋକସଭାରେ ପାସ ହେବା ଚିନ୍ତାର ବିଷୟ। ଯଦି ଏହି ବିଲ ସଂସଦରେ ଉଭୟ ସଦନରେ ପାସ ହୁଏ, ତାହେଲେ ଏହା ସମସ୍ତଙ୍କ ପାଇଁ ବିପଦ ପାଲଟିବ । ଭାରତର ସଂସଦରେ ଯଦି ଏହି ବିଲ ପାସ ହୁଏ ତାହାହେଲେ ତୁରନ୍ତ ଆମେରିକା ସରକାର ଭାରତର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ତୁରନ୍ତ କଟକଣା ଲଗାଇବାକୁ ଦାବି କରିଛି।
ୟୁଏସସିଆଇଆରଏଫ ଅଭିଯୋଗ କରିଛି ଭାରତ ସରକାରଙ୍କ କାର୍ଯ୍ୟକଳାପରେ ଆଶ୍ଚର୍ଯ୍ୟ ଓ ଭୟଭୀତ। କାରଣ ଭାରତର ନାଗରିକତା ପାଇଁ ନାଗରିକଙ୍କୁ ଧର୍ମର ପରୀକ୍ଷା ଦେବାକୁ ପଡ଼ୁଛି। ପ୍ରଥମେ ଏନଆରସି ଏବେ ସିଏବି ଲାଗୁ କରିବା ପାଇଁ ସରକାର ଯାଉଛନ୍ତି । ସରକାରଙ୍କ ଏହି ପଦକ୍ଷେପ ଦ୍ବାରା ଭାରତରେ ବସବାସ କରୁଥିବା ଭାରତୀୟ ମୁସଲିମ ଭାରତର ନାଗରିକତା ହରାଇବେ ବୋଲି ଆଶଙ୍କା କରିଛି।
ୟୁଏସସିଆଇଆରଏଫ ଏହାକୁ ନେଇ ଭାରତ ସରକାରଙ୍କ ସହ ବାରମ୍ବାର ଆଲୋଚନା କରିଥିଲେ ମଧ୍ୟ ଭାରତ ସରକାର ନିଜ ଆଭ୍ୟନ୍ତରୀଣ ମାମଲା କହି ତୃତୀୟ ପକ୍ଷଙ୍କ ପରାମର୍ଶକୁ ଏଡାଇ ଚାଲିଛନ୍ତି। ହେଲେ ଧର୍ମ ଆଧାରରେ ନାଗରିକତା ଦେବା ଠିକ ନୁହେଁ ବୋଲି କହିଛନ୍ତି।
ସେପଟେ ଆମେରିକାର ଫେଡରାଲ କମିଶନଙ୍କ ଏହି ଚେତାବନୀ ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତ ପକ୍ଷରୁ ବୈଦେଶିକ ମୁଖପାତ୍ର ରବୀଶ କୁମାର କହିଛନ୍ତି ସିଏବି ବିଲ ସୋମବାର ମଧ୍ୟରାତ୍ରୀରେ ଭାରତର ଲୋକସଭାରେ ପାରିତ ହୋଇଛି। ନାଗରିକତ୍ବ ବିଲ ଉପରେ ବୈଦେଶିକ ମୁଖପାତ୍ର ରବୀଶ କୁମାର ମତ ରଖିଛନ୍ତି। ସେ କହିଛନ୍ତି ଯେ ନିର୍ଦ୍ଦିଷ୍ଟ କେତେକ ଦେଶର ସଂଖ୍ୟାଲଘୁଙ୍କୁ ଏହି ବିଲ ଶିଘ୍ର ଆଶ୍ବସ୍ତି ପ୍ରଦାନ କରିବ। ଯେଉଁମାନେ ଉକ୍ତ ରାଷ୍ଟ୍ରରୁ ଆସି ଭାରତରେ ବସବାସ କରୁଛନ୍ତି ସେମାନଙ୍କୁ ଭାରତୀୟ ନାଗରିକତ୍ବ ପ୍ରଦାନ କରିବାରେ ବିଲ ମୁଖ୍ୟ ଭୂମିକା ନେବ। ସେମାନଙ୍କୁ ସେମାନଙ୍କର ମାନବିକ ଅଧିକାର ଏହି ବିଲ ଦେବ।
ଏହାସହ ୟୁଏସସିଆଇଆରଏଫ ଯେଉଁ ଅଭିଯୋଗ ଆଣିଛି ସେଥିରେ କୌଣସି ସତ୍ୟତା ନାହିଁ। ଏନଆରସି ବା ସିଏବି କୌଣସି ଆଇନରେ ଧର୍ମିକ ଭିତ୍ତିରେ ଭାରତୀୟଙ୍କ ନାଗରିକତା ଛିନ୍ନ କରାଯିବ ନାହିଁ । ରବିଶ ପାଲଟା ୟୁଏସସିଆଇଆରଏଫକୁ ଆକ୍ରମଣ କରି କହିଛନ୍ତି ପୂର୍ବର ୟୁଏସସିଆଇଆରଏଫ ଅନେକ ଥର ପକ୍ଷପାତିତା ପୂର୍ଣ୍ଣ ପ୍ରଦର୍ଶନ କରିଆସିଛି। ଏହାସହ ସେ ସ୍ପଷ୍ଟ କରିଛନ୍ତି ଭାରତର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବାର କାହାର ଅଧିକାର ନାହିଁ।