ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2ଦିନ ସାଉଦି ଆରବ ଗସ୍ତ ଶେଷ କରି ଭାରତ ଫେରି ଆସିଛନ୍ତି । ଏହି ଗସ୍ତରେ ମୋଦି ରିୟାଦରେ ‘ଫ୍ୟୁଚର ଇନଭେଷ୍ଟମେଣ୍ଟ ଇନିସିଏଟିଭ’ କୁ ସମ୍ବୋଧିତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଭାରତ-ସାଉଦି ଆରବ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର ହୋଇଛି । ଭାରତ- ସାଉଦି ଆରବ ମଧ୍ୟରେ ଏକ କାଉନସିଲ ଗଠନ ହେବ । ଯାହା ଉଭୟ ଦେଶର ରଣନୀତି ଓ ସହଭାଗିତା ଉପରେ କାମ କରିବ । ସାଉଦି ଆରବ ହେଉଛି ଚତୁର୍ଥ ଦେଶ ଯାହା ସହ ଭାରତ ଏହି ଚୁକ୍ତି ସ୍ବାକ୍ଷର କରିଛି ।
ରଣନୀତି ଓ ସହଭାଗିତା ପାଇଁ ଏହି କାଉନସିଲର ଅଧ୍ୟକ୍ଷତା ଉଭୟ ଦେଶର ରାଷ୍ଟ୍ରମୁଖ୍ୟ କରିବେ । ଏହାଦ୍ବାରା ସରକାର ସରକାର ମଧ୍ୟରେ ସିଧାସଳଖ ସଂପର୍କ ରହିବ । ବିକାଶ ତ୍ବରାନ୍ବିତ ହେବ । ସାଉଦି ଆରବ ସହ କାଉନସିଲ ଗଠନ ପୂର୍ବରୁ ଭାରତ ଜାପାନ, ଋଷଓ ଆମେରିକା ସହ ଏହି କାଉନସିଲ ଗଠନ କରିସାରିଛି । ସୂଚନା ଯୋଗ୍ୟ ଯେ, ସାଉଦି ଆରବ ଓ ପାକିସ୍ତାନ ସଂପର୍କ ସୁଦୃଢ ଥିବା ବେଳେ ଏହି ଦେଶ ଭାରତ ସହ ଏହି ଯୁକ୍ତି କରିବା ଗୁରୁତ୍ବପୂର୍ଣ୍ଣ ଓ ଭାରତର ଆଉ ଏକ କୂଟନୈତିକ ବିଜୟ ବୋଲି କୁହାଯାଉଛି ।
ଏହି ଚୁକ୍ତି ବ୍ୟତୀତ ପ୍ରାକୃତିକ ଶକ୍ତି, ସୁରକ୍ଷା, ରଣନୀତିଓ ପେଟ୍ରୋଲିୟମ ପଦାର୍ଥକୁ ନେଇ ମଧ୍ୟ ଚୁକ୍ତି ହୋଇଛି । ମୋଟ ଉପରେ ଉଭୟ ଦେଶ ମଧ୍ୟରେ 12 ଗୋଟି ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହାସହ ସାଉଦି ଗସ୍ତବେଳେ ମୋଦି ପୁଞ୍ଜି ନିବେଶକୁ ପ୍ରାଧାନ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦି କହିଥିଲେ 2024 ପର୍ଯ୍ୟନ୍ତ ଭାରତ ରିଫାଇନ ପାଇପ ଲାଇନ, ଗ୍ୟାସ ଟର୍ମିନାଲ କ୍ଷେତ୍ରରେ 1ଶହ ବିଲିୟନ ଡଲାର ନିବେଶ କରିବା ପାଇଁ ଚାହୁଁଛି । ସାଉଦି ଆରବ ସହ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ବୋଲି କହିଥିଲେ ।