ନୂଆଦିଲ୍ଲୀ: ଭାରତର ତୀବ୍ର ବିରୋଧ ସତ୍ବେ କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ଖେଳାଇଥିବା ତୁର୍କୀକୁ କଡା ଜବାବ ଦେଇଛି ଭାରତ । ତୁର୍କୀ ରାଷ୍ଟ୍ରପତି ରିକାପ ଟୋୟିବ୍ ଏରଡୋଗାନଙ୍କ କାଶ୍ମୀର ବୟାନକୁ ନେଇ ଶନିବାର ତୀବ୍ର ପ୍ରତିକ୍ରିୟା ରଖିଛି ବୈଦେଶିକ ମନ୍ତ୍ରଣାଳୟ । ଏହା ସହିତ ମନ୍ତ୍ରଣାଳୟ କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ ନ କରିବାକୁ ତୁର୍କୀ ନେତାଙ୍କୁ ପରାମର୍ଶ ଦେଇଛି ।
ଶନିବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ଜମ୍ମୁ-କାଶ୍ମୀରକୁ ନେଇ ତୁର୍କୀ ପକ୍ଷରୁ ଦିଆଯାଇଥିବା ସମସ୍ତ ସନ୍ଦର୍ଭକୁ ଭାରତ ଖାରଜ କରୁଛି । ଜମ୍ମୁ-କାଶ୍ମୀର ଭାରତର ଆନ୍ତରିକ ମାମଲା ଏବଂ ଏହା ଦେଶର ଅଭିନ୍ନ ଅଙ୍ଗ । ତେଣୁ ତୁର୍କୀ ନେତାମାନେ ଭାରତର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନ କରିବାକୁ ଅନୁରୋଧ । ଏହା ସହିତ ତୁର୍କୀ ପାକିସ୍ତାନ ପକ୍ଷରୁ ଭାରତ ପାଇଁ ବଢୁଥିବା ଆତଙ୍କବାଦ ବିପଦ ସମେତ ସମସ୍ତ ତଥ୍ୟକୁ ଠିକ ଭାବରେ ବୁଝିବାର କ୍ଷମତା ବିକଶିତ କରୁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ପାକିସ୍ତାନ ସଂସଦର ମିଳିତ ଅଧିବେଶନରେ ଭାଷଣ ଦେବାବେଳେ ତୁର୍କୀ ରାଷ୍ଟ୍ରପତି ରିକାପ ଟୋୟିବ୍ ଏରଡୋଗାନ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରିଥିଲେ । ଏହି ପ୍ରସଙ୍ଗ ଉଭୟ ପାକିସ୍ତାନ ଓ ତୁର୍କୀ ପାଇଁ ଚିନ୍ତାର ବିଷୟ ବୋଲି ସେ କହିଥିଲେ । ଏହା ସହିତ ଭାରତର ଏକପାଖିଆ ନିଷ୍ପତ୍ତି ଦ୍ବାରା କାଶ୍ମୀରବାସୀଙ୍କ ସମସ୍ୟା ଆହୁରି ବଢିଯାଇଥିବା ସେ କହିଥିଲେ ।