ନୂଆଦିଲ୍ଲୀ: ଚୀନ୍ରୁ ବ୍ୟାପିବା ଆରମ୍ଭ କରିଥିବା ଘାତକ କୋରୋନା ଭାଇରସ ଏବେ ବିଶ୍ବ ପାଇଁ ମହାମାରୀ ପାଲଟିଛି । ଜାନୁଆରୀ, ଫେବୃଆରୀ ମାସରେ କୋରୋନା ଭୂତାଣୁ ପ୍ରଭାବରେ ଚୀନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇ ଯାଇଥିଲା । ଏଭଳି ସ୍ଥଳେ ଭାରତ ସରକାର ଚୀନର ବିପଦର ବନ୍ଧୁ ସାଜି କୋରୋନାକୁ ପ୍ରତିରୋଧ କରୁଥିବା ଆବଶ୍ୟକୀୟ ସାମଗ୍ରୀ ଯୋଗାଇଥିଲେ । ବୁଧବାର ଲୋକସଭାରେ ଚୀନକୁ କୋରୋନା ସଂକ୍ରମଣ ସମୟରେ ସହାୟତାର ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍ ।
ଏହି ଚିକିତ୍ସା ସାମଗ୍ରୀରେ ଏକ ଲକ୍ଷ ସର୍ଜିକାଲ୍ ମାସ୍କ, ପାଞ୍ଚ ଲକ୍ଷ ଯୋଡି ସର୍ଜିକାଲ୍ ଗ୍ଲୋଭସ୍, 75 ଖଣ୍ଡ ଇନଫ୍ୟୁଜନ୍ ପମ୍ପ, 30 ଖଣ୍ଡ ଏଣ୍ଟ୍ରାଲ୍ ଫିଡିଂ ପମ୍ପ, ଡିଫିବ୍ରିଲେଟରର 21 ଖଣ୍ଡ ଓ 4,000 ଖଣ୍ଡ N-95 ମାସ୍କ ପ୍ରଦାନ କରାଯାଇଛି । ଏହି ଚିକିତ୍ସା ସାମଗ୍ରୀର ମୂଲ୍ୟ ପ୍ରାୟ 2.11 କୋଟି ଓ ଏହାକୁ ଉହାନର ହୁବେ ଚ୍ୟାରିଟି ଫେଡେରେଶନକୁ ହସ୍ତାନ୍ତର କରାଯାଇଛି ବୋଲି ମୁରଲୀଧରନ କହିଛନ୍ତି ।
ଚୀନ୍ରେ କରୋନା ଭାଇରସ୍ ବିସ୍ତାରକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ 8, 2020 ରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଚିଠି ଲେଖି ସହାୟତା ପାଇଁ ଆଶ୍ବସନା ଦେଇଥିଲେ ।
ପରେ ଫେବୃଆରୀ 26 ତାରିଖରେ ଚୀନକୁ ମାସ୍କ, ଗ୍ଲୋଭସ୍ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଚିକିତ୍ସା ଉପକରଣ ସହିତ ସରକାର 15 ଟନ ଚିକିତ୍ସା ସାମଗ୍ରୀ ଯୋଗାଇ ଦେଇଛନ୍ତି ବୋଲି ସେ କହିଛନ୍ତି । ଏହି ସାମଗ୍ରୀ ଗୁଡିକ ଭାରତୀୟ ବାୟୁସେନା C-17 ସ୍ବତନ୍ତ୍ର ବିମାନ ଦ୍ବାରା ଚାଇନାର ଉହାନରେ ଅବତରଣ କରିଥିଲା ବୋଲି ମୁରଲୀଧରନ୍ କହିଛନ୍ତି ।