ନୂଆଦିଲ୍ଲୀ: ପ୍ରଥମ ପାକିସ୍ତାନୀ ମହିଳା ମହାକାଶଯାତ୍ରୀ ନମୀରା ସଲିମ କାଶ୍ମୀର ସମାଧାନ ଦିଗରେ ଏକ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଯେ ଦକ୍ଷିଣ ଏସିଆ ଦେଶ ସମୂହ ‘ସ୍ପେସ ଡିପ୍ଲୋମେସି’ ବା ଅନ୍ତରୀକ୍ଷ କୂଟନୀତି ଦ୍ବାରା ଲାଭ ଉଠାଇ ପାରିବେ । ଏହାସହ ସେ ଭାରତ ଓ ପାକିସ୍ତାନକୁ ଏହି ପ୍ରସଙ୍ଗରେ ଏକାଠି କାମ କରିବାକୁ ଆହ୍ବାନ ଦେଇଛନ୍ତି।
ଭାରତ ପାକିସ୍ତାନ ମଧ୍ୟରେ କାଶ୍ମୀରକୁ ନେଇ ଚାଲିଥିବା ବିବାଦ ବିଷୟରେ ସେ କହିଛନ୍ତି ଯେ ଅନ୍ତରୀକ୍ଷ ଏପରି ଏକ ସ୍ଥାନ ଯେଉଁଠି ସମସ୍ତ ପ୍ରତିବନ୍ଧକ ହଟି ଯାଇଥାଏ । ଏଠାରେ ମନୁଷ୍ୟ ରାଜନୀତିଠାରୁ ଊର୍ଦ୍ଧ୍ବରେ ରହିଥାଏ । ଅନ୍ତରୀକ୍ଷ ଅନ୍ବେଷଣ କ୍ଷେତ୍ରରେ ଭାରତ ଏବଂ ପାକିସ୍ତାନର ସମସ୍ତ ନେତାଙ୍କୁ ସେ ଏକ ବାର୍ତ୍ତା ଦେଇଛନ୍ତି । ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଅନ୍ତରୀକ୍ଷର ସାହାର ନେବାକୁ ସେ ପ୍ରସ୍ତାବ ଦେଇଛନ୍ତି । ମହାକାଶ ଦ୍ବାରା ଶାନ୍ତି ଏବଂ ବିଶ୍ବାସ ପାଇଁ ସ୍ଥାନ ତିଆରି କରିବାକୁ ସେ ଆହ୍ବାନ ଦେଇଛନ୍ତି ।
ସ୍ପେଶ ଟ୍ରଷ୍ଟର ସଂସ୍ଥାପକ ଏବଂ କାର୍ଯ୍ୟକାରୀ ଅଧ୍ୟକ୍ଷ ନମୀରା ଏନେଇ କହିଛନ୍ତି, "ଅନ୍ତରୀକ୍ଷର ବ୍ୟବସାୟକରଣକୁ ମୁଁ ସମର୍ଥନ କରୁଛି । ଅନ୍ତରୀକ୍ଷ ଏବେ ବିଶ୍ବର ନେତା ଏବଂ ରାଜନେତାଙ୍କ ପାଇଁ ଖୋଲାରହିଛି ।" ଏହାସହ ସେ ଅନ୍ତରୀକ୍ଷ ଟ୍ରଷ୍ଟ ମାଧ୍ୟମରେ ପୃଥିବୀରେ ଶାନ୍ତି ପାଇଁ ଅନ୍ତରୀକ୍ଷ କୂଟନୀତିର ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି।
ଏଠାରେ ସୂଚନାଯୋଗ୍ୟ, ସ୍ପେସ ଟ୍ରଷ୍ଟର ସଂସ୍ଥାପକ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ନମୀରା ଚନ୍ଦ୍ରଯାନ 2ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଲ୍ୟାଣ୍ଡ କରିବା ପରେ ଭାରତକୁ ଶୁଭେଚ୍ଛା ଜଣାଇଥିଲେ।