ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକ ସମ୍ପର୍କରେ ଆସିଛି ତିକ୍ତତା । ଗୁରୁବାର କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ସିନ୍ଧୁ ଜଳର ପାଣି ବନ୍ଦ କରିବାକୁ ପାକିସ୍ତାନକୁ ଚେତାବନୀ ଦେଇଥିଲେ । ଅନ୍ୟପକ୍ଷେ ଶୁକ୍ରବାର ଗଡକରୀ ପୁଣି ନିଜ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଭାରତ ବର୍ତ୍ତମାନ ନିଜ ଅଂଶର ପାଣି ପାକିସ୍ତାନ ଯିବାକୁ ବନ୍ଦ କରୁଛି କିନ୍ତୁ ଭାରତରୁ ପାକିସ୍ତାନ ଯାଉଥିବା ସମସ୍ତ ନଦୀର ପାଣି ବନ୍ଦ କରିବା ଉପରେ ବିଚାର କରାଯିବ ।
ଏହାର ନିଷ୍ପତ୍ତି କେବଳ ଜଳସମ୍ପଦ ବିଭାଗ ନେଇ ପାରିବ ନାହିଁ । ଏଥିପାଇଁ ପିଏମଙ୍କ ନିଷ୍ପତ୍ତି ସର୍ବମାନ୍ୟ ହେବ ବୋଲି ସେ କହିଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଆସୁଛି ଭାରତ କଣ ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତିକୁ ସମାପ୍ତ କରିବ । ଏହା କେତେ ଦୂର ସମ୍ଭବ ହେବ । ଆସନ୍ତୁ ଜାଣିବା ଏହା ବିଷୟରେ.....
ଅଟଳ ବିହାରୀ ସରକାରରେ ବୈଦେଶିକ ସଚିବ ଥିବା କମ୍ବଳ ସିବଲ କହନ୍ତି ଯେ ଭାରତକୁ କଡା ପଦକ୍ଷେପ ନେବାକୁ ପଡିବ କିନ୍ତୁ ଏମିତି ହୋଇ ପାରୁନାହିଁ । ଭାରତକୁ ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିବା ଆବଶ୍ୟକ । ଏଥିରୁ ପାକିସ୍ତାନ ସିଧା ବାଟକୁ ଆସିଯିବ ।
ମାତ୍ର ଏହା ଉପରେ ଜାଣିଥିବା ବ୍ୟକ୍ତି କହନ୍ତି ଯେ ସିନ୍ଧୁ ଜଳ ସନ୍ଧି ରଦ୍ଦ କରିବା ସହଜ କଥା ନୁହଁ । ପାକିସ୍ତାନ ସ୍ଥିତ ପୂର୍ବତନ ଭାରତୀୟ ରାଜଦୂତ ପାର୍ଥ ସାରଥୀ କହନ୍ତି ଯେ ଜମ୍ମୁ କଶ୍ମୀମରେ ଭାରତ ହାଇଡ୍ରୋ-ଇଲେକ୍ଟ୍ରିକ ପାୱାର ପାଇଁ ପାଣିର ଆବଶ୍ୟକତା ରହିଛି କିନ୍ତୁ ସିନ୍ଧୁ ଜଳ ସନ୍ଧି ରଦ୍ଦ କରିବା ଏକ ବିବାଦୀୟ ବିଷୟ ହୋଇପାରେ । ଏହାସହ ଭାରତର ପୂର୍ବ ବୈଦେଶିକ ସଚିବ ମୁଚକନ୍ଦ ଦୁବେ କହନ୍ତି ଯେ ସନ୍ଧିକୁ ରଦ୍ଦ କରି ପାକିସ୍ତାନକୁ ତାର ଅଧିକାରରୁ ବଞ୍ଚିତ କରିବାରୁ ବହୁତ ବଡ ମତ ଭେଦ ଦେଖାଯିବ ଓ ବହୁତ ବଡ ଘଟଣା ମଧ୍ୟ ଘଟିପାରେ । ବିଗତ ବର୍ଷଗୁଡିକରେ ପାକ ସହ ଭାରତ ବିବାଦ ଦେଖା ଦେଲେ ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିବାକୁ ଦାବି ଉଠିଥାଏ ।
ସିନ୍ଧୁ ଜଳ ଚୁକ୍ତି କଣ?
ବ୍ରିଟିଶ ଶାସନ ସମୟରେ ଦକ୍ଷିଣ ପଞ୍ଜାବ ସ୍ଥିତ ସିନ୍ଧୁ ନଦୀ ଉପତ୍ୟକା ଉପରେ ଏକ ବଡ କେନାଲ ନିର୍ମାଣ କରାଯାଇଥିଲା । ଏହାପରେ ଦକ୍ଷିଣ ଏସିଆର ଏହା ଏକ ପ୍ରମୁଖ କୃଷିକ୍ଷେତ୍ର ରୂପେ ପରିଗଣିତ ହେଲା । ଭାରତ ଓ ପାକିସ୍ତାନ ବିଭାଜନ ସମୟରେ ପଞ୍ଜାବକୁ 2 ଭାଗରେ ବିଭାଜିତ କରାଯାଇଥିଲା । ଏହାର ପୂର୍ବ ଭାଗ ଭାରତ ଓ ପଶ୍ଚିମ ଭାଗ ପାକିସ୍ତାନକୁ ମିଳିଥିଲା । ଏହାସହ ସିନ୍ଧୁ ନଦୀ ଉପତ୍ୟକା ଓ ଏହାର ବିଶାଳ କେନାଲ ମଧ୍ୟ ବିଭାଜତ ହୋଇଥିଲା ।
ସିନ୍ଧୁ ପାଣି ଉପରେ ପାକିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ନିର୍ଭର ହେବାକୁ ପଡିଥିଲା । ଭାରତରୁ ପାକିସ୍ତାନକୁ ସିନ୍ଧୁ ନଦୀର ପାଣିକୁ ପ୍ରବାହିତ ଜାରି ରଖିବା ପାଇଁ 1947 ଡିସେମ୍ବର 20ରେ ପୂର୍ବ ଓ ପଶ୍ଚିମ ପଞ୍ଜାବର ମୁଖ୍ୟ ଇଞ୍ଜିନିୟରଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁସାରେ ଭାରତ ମାର୍ଚ୍ଚ 31, 1948 ଯାଏ ପାକିସ୍ତାନକୁ ପାଣି ଯୋଗାଇବା ଜାରି ରଖିବ ବୋଲି ସ୍ଥିର ହୋଇଥିଲା ।
ଏପ୍ରିଲ 1, 1948ରେ ଚୁକ୍ତି ଲାଗୁ ନ ହେବାରୁ ଭାରତ 2ଟି ପ୍ରମୁଖ କେନାଲର ପାଣି ପାକିସ୍ତାନ ଯିବାକୁ ରୋକ ଲଗାଇଥିଲା । ଯାହା ଫଳରେ ପାକ ସ୍ଥିତ ପଞ୍ଜାବର 17 ଲକ୍ଷ ଏକର ଜମିରେ ମରୁଡି ପରିସ୍ଥିତି ଦେଖା ଦେଇଥିଲା । ଶେଷରେ ବିଶ୍ବ ବ୍ୟାଙ୍କ ମଧ୍ୟସ୍ଥିରେ 1960, ଡିସେମ୍ବର 19ରେ ଭାରତ-ପାକ ମଧ୍ୟରେ ସିନ୍ଧୁ ନଦୀ ଉପତ୍ୟକା ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।
ସିନ୍ଧୁ ଚୁକ୍ତିରେ କଣ ରହିଛି ?
ଚୁକ୍ତି ଅନୁସାରେ ଝେଲମ ଓ ଚେନାବ ପରି ପଶ୍ଚିମ ନଦୀଗୁଡିକ ପାଣି ପାକିସ୍ତାନକୁ ମିଳିବ । ଅନ୍ୟପକ୍ଷେ ରାବି, ବ୍ୟାସ ଓ ସତଲେଜ ପରି ପୂର୍ବ ନଦୀଗୁଡିକର ପାଣି ଭାରତକୁ ମିଳିବ । ପୂର୍ବ ନଦୀର କିଛି ଅଂଶକୁ ଛାଡି ଭାରତ ଏହାର ସଂପୂର୍ଣ୍ଣ ଉପଯୋଗ କରିବ । ସେହିପରି ପଶ୍ଚିମ ନଦୀଗୁଡିକର ପାଣିର ବ୍ୟବହାର ଅଧିକାର ସୀମିତ ଭାବେ ଭାରତକୁ ଦିଆଯାଇଛି । ଯେପରି କୃଷି ଓ ବିଜୁଳି ପାଇଁ ଭାରତ ଏହାର ପାଣି ବ୍ୟବହାର କରି ପାରିବ । ସମୟ ସମୟରେ ଏହି ଚୁକ୍ତି ଉପରେ ଦୁଇ ଦେଶ ମଧ୍ୟରେ ଆଲୋଚନା କରାଯାଉଥାଏ ।
ବିବାଦୀୟ ବିଷୟ କଣ?
ସିନ୍ଧୁ ନଦୀ ପାଣିକୁ ନେଇ ବିଭିନ୍ନ ସମୟରେ 2 ଦେଶ ମଧ୍ୟରେ ବିବାଦ ଦେଖା ଦେଇଥାଏ । ଭାରତର ବଡ ଜଳ ବିଦ୍ୟୁତ ପ୍ରକଳ୍ପ ପାକଲ(1 ହଜାର ମେଗାୱାଟ), ରାତେଲ(850 ମେଗାୱାଟ), କିଶନଗଙ୍ଗା(330 ମେଗାୱାଟ), ମେଆର(120 ମେଗାୱାଟ) ଓ ଲୋଓର କଲନାଇ(48 ମେଗାୱାଟ) ଉପରେ ପାକିସ୍ତାନ ଆପତ୍ତି କରି ଆସୁଛି । ସିନ୍ଧୁ ନଦୀ ଜଳ ସନ୍ଧି ଯୋଗୁଁ ଜମ୍ମୁ କଶ୍ମୀରକୁ 20 ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡୁଛି ଓ ଏହାର କ୍ଷତି ପୂରଣ କେନ୍ଦ୍ର ସରକାର କରୁ ବୋଲି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି କହିଥିଲେ ।
ଭାରତ କଣ ଚୁକ୍ତି ରଦ୍ଦ କରି ପାରିବ କି?
ସିନ୍ଧୁ ନଦୀ ଚୁକ୍ତି ଉପରେ ମୁଚକୁନ୍ଦ କହନ୍ତି ଯେ ଦେଶ ବିଭାଜନ ପରେ ସିନ୍ଧୁ ଉପତ୍ୟକାରେ ପ୍ରବାହିତ ହେଉଥିବା ନଦୀଗୁଡିକ ଉପରେ ନିୟନ୍ତ୍ରଣକୁ ନେଇ ବିବାଦ ଦେଖା ଦେଇଥିଲା । ପରେ ବିଶ୍ବ ବ୍ୟାଙ୍କର ମଧ୍ୟସ୍ଥତାରେ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ଭାରତ ଯଦି ଏହି ଚୁକ୍ତି ରଦ୍ଦ କରିବ ତେବେ ବିଶ୍ବ ବ୍ୟାଙ୍କ ନିକଟକୁ ପାକିସ୍ତାନ ଯିବ । ବିଶ୍ବ ବ୍ୟାଙ୍କ ଭାରତକୁ ଏମିତି କରିବାକୁ ଚାପ ପକାଇବ । ଏହାସହ ବୈଦେଶିକ ନୀତି ଦୃଷ୍ଟିରୁ ବିଶ୍ବ ବ୍ୟାଙ୍କ ଓ ଏହାର ସଦସ୍ୟ ଦେଶଗୁଡିକ ସହ ସମ୍ବନ୍ଧ ଖରାପ ହୋଇପାରେ ।