କାୱେଡିଆ: ଯାହା ସ୍ବାଧିନତା ସମୟରେ ହେବା କଥା, ତାକୁ ଆଜି ପୁରା କରୁଛି ଦେଶ । କାଶ୍ମୀର ଘାଟିରୁ 370 ଧାରା ଉଚ୍ଛେଦ ହେବା ପ୍ରସଙ୍ଗରେ ମତ ରଖି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦୀର୍ଘ 70 ବର୍ଷ ଧରି ଜମ୍ମୁ-କାଶ୍ମୀର ଓ ଲଦାଖବାସୀ ଭେଦ-ଭାବର ସାମ୍ନା କରିଆସୁଥିଲେ। ଏହି ଧାରା ହଟିଯିବା ପରେ ସେଠାରେ ବିକାଶ ରଥ ନିଜ ପଥରେ ଅଗ୍ରସର ହେବ।
ଖାଲି ସେତିକି ନୁହେଁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ହାଇଦ୍ରାବାଦ ମୁକ୍ତି ଦିବସ ଉପରେ ମଧ୍ୟ ଉଲ୍ଲେଖ କରିଛନ୍ତି ପିଏମ । ଯଦି ସର୍ଦ୍ଦାର ପଟେଲଙ୍କ ଦୂରଦର୍ଶିତା ନଥାନ୍ତା ତେବେ ଭାରତର ନକ୍ସା ଓ ସମସ୍ୟା ବୋଧେ ଆଉ କିଛି ହୋଇଥାନ୍ତା । ତାଙ୍କରି ପ୍ରେରଣାରେ ହିଁ ଦେଶ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରିଛି । ପୁରୁଣା ସମସ୍ୟାର ସମାଧାନ ଲାଗି ନୂତନ ରାସ୍ତା ନିର୍ମାଣ କରାଯାଇଛି । ତେବେ 370 ଧାରା ହଟିବା ଦ୍ବାରା ଜମ୍ମୁ-କାଶ୍ମୀର, ଲଦାଖ ଓ କାରଗିଲରେ ସମସ୍ତଙ୍କ ସହଯୋଗ ଦ୍ବାରା ସେଠାରେ ବିକାଶର ଅଧ୍ୟାୟ ସୃଷ୍ଟି ହେବ । ସର୍ଦ୍ଦାରଙ୍କ ଗୋଟିଏ ଭାରତ, ଶ୍ରେଷ୍ଠ ଭାରତ ସ୍ବପ୍ନ ବର୍ତ୍ତମାନ ପୂରଣ ହେବାରେ ଲାଗିଛି।
ପ୍ରଧାନମନ୍ତ୍ରୀ ମୋଦି ଆଜି ତାଙ୍କର 69 ଜନ୍ମଦିନ ଅବସରରେ ସର୍ଦ୍ଦାର ସରୋବର ବନ୍ଧ ନିକଟସ୍ଥ ନର୍ମଦା ଜିଲ୍ଲାରେ ଏକ ଜନସଭାକୁ ସମ୍ବୋଧନ କରିଥିଲେ । ପ୍ରଥମେ ନର୍ମଦା ନଦୀରେ ପୂଜାର୍ଚ୍ଚନା କରିଥିଲେ । ଏହା ପୂର୍ବରୁ ସେ କ୍ବାକଟସ ଗାଡେନକୁ ଯାଇଥିଲେ । ତେବେ ମୋଦିଙ୍କ ଜନ୍ମଦିନକୁ ପୁରା ଦେଶ ଉତ୍ସାହ ସହ ପାଳନ କରୁଛି।