ନୂଆଦିଲ୍ଲୀ: ବିଶ୍ବର ଅନ୍ୟ ଦେଶଙ୍କ ତୁଳନାରେ ଭାରତରେ ଇଣ୍ଟରନେଟର ଦାମ୍ ଶସ୍ତା ରହିଛି । ମାତ୍ର ଯଦି ଆପଣଙ୍କୁ ଏବେବି ଏହା ମହଙ୍ଗା ଲାଗୁଛି ତେବେ ଭାରତ ସରକାର ଖୁବ୍ ଶୀଘ୍ର ବ୍ରଡବ୍ୟାଣ୍ଡ ସେବାର ଲାଇସେନ୍ସ ଶୁଳ୍କ ହ୍ରାସ କରିବାକୁ ବିଚାର କରୁଛନ୍ତି । ଯାହାପରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ଶସ୍ତା ହେବା ନେଇ ଏକ ଆଶା ପ୍ରକଟ ହୋଇଛି ।
ସରକାରଙ୍କ ଏହି ପଦକ୍ଷେପ ଦ୍ବାରା, ଘରୋଇ ବ୍ରଡବ୍ୟାଣ୍ଡ କମ୍ପାନୀଗୁଡ଼ିକୁ ଲାଇସେନ୍ସ ଫି ଦେବାକୁ ପଡିବ ନାହିଁ । ଫଳସ୍ବରୂପ, କମ୍ପାନୀଗୁଡିକ ଶସ୍ତା ଇଣ୍ଟରନେଟ୍ ପ୍ରଦାନ କରିବା ସହ ସେମାନଙ୍କର ସେବାକୁ ବଢାଇବେ । ଟ୍ରାଇର (TRAI) ସଦ୍ୟତମ ଆକଳନ ଅନୁଯାୟୀ, ଦେଶରେ ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ସଂଖ୍ୟା 1.98 କୋଟିରୁ ଅଧିକ ।
ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ନୂତନ ପ୍ରସ୍ତାବରେ କୁହାଯାଇଛି ଯେ ବ୍ରଡବ୍ୟାଣ୍ଡ କମ୍ପାନୀଗୁଡିକ ଦ୍ବାରା ଘରୁ ଉତ୍ପାଦିତ ଆୟ ଉପରେ ଲାଇସେନ୍ସ ଶୁଳ୍କ ବର୍ଷକୁ 1 ଟଙ୍କାକୁ ହ୍ରାସ କରାଯିବା ଉଚିତ । ବର୍ତ୍ତମାନ ଫିକ୍ସଡ ଲାଇନ ବ୍ରଡବ୍ୟାଣ୍ଡ ସେବା ପାଇଁ ଆନୁମାନିକ ଲାଇସେନ୍ସ ଫି ଏକ ବର୍ଷରେ ପ୍ରାୟ 880 କୋଟି ଟଙ୍କା ହୋଇଥାଏ । ଯଦିଚ ଏହି ପ୍ରସ୍ତାବକୁ ଏଯାବତ୍ କ୍ୟାବିନେଟ ପକ୍ଷରୁ ଅନୁମୋଦନ ମିଳିନାହିଁ ।
ଯଦି ଏହି ପ୍ରସ୍ତାବକୁ ଗ୍ରୀନ ସିଗନାଲ ମିଳେ ତେବେ ଏହାଦ୍ବାରା ଜିଓ ଫାଇବର ସବୁଠାରୁ ଅଧିକ ଲାଭବାନ ହେବ । ଏହାର ଦାମ୍ କମ ହେବାପରେ ଜିଓ ଫାଇବର ମଧ୍ୟ ଦେଶରେ ଇଣ୍ଟରନେଟ ସେବାକୁ ବିସ୍ତାର କରିବ ।
ପ୍ରକାଶ ଥାଉ କି, କେବଳ ଗୋଟିଏ ବର୍ଷ ମଧ୍ୟରେ, ଜିଓ ଫାଇବରର ଗ୍ରାହକଙ୍କ ସଂଖ୍ୟା 8.4 ଲକ୍ଷକୁ ବୃଦ୍ଧି ପାଇଛି । ଗତ ମାସରେ ପ୍ରକାଶିତ ଟ୍ରାଇ ରିପୋର୍ଟରେ ଏହାର ସୂଚନା ଦିଆଯାଇଥିଲା । ରିପୋର୍ଟ ଅନୁଯାୟୀ, ବିଏସଏନଏଲରେ 82.3 ଲକ୍ଷ ବ୍ରଡବ୍ୟାଣ୍ଡ ଗ୍ରାହକ ଏବଂ ଏୟାରଟେଲ 24.3 ମିଲିୟନ ରହିଛି ।