ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଜାରି ଉତ୍ତେଜନା ମଧ୍ୟରେ ଭାରତ ଓ ଚୀନ ମଧ୍ୟରେ ହୋଇଛି ସପ୍ତମ ପର୍ଯ୍ୟାୟ ସୈନ୍ୟ ଆଲୋଚନା । 13 ଘଣ୍ଟା ଧରି ଚାଲିଥିଲା ଏହି ବୈଠକ । ଏଲଏସିରେ ସୈନ୍ୟ ପ୍ରତ୍ୟାହାର ବିଷୟରେ ଭାରତ ଓ ଚୀନ ମଧ୍ୟରେ ଗମ୍ଭୀର, ବ୍ୟାପକ ଓ ରଚନାତ୍ମକ ଆଲୋଚନା ହୋଇଛି ।
ଭାରତୀୟ ସେନା କହିଛି ଯେ ସୈନ୍ୟ ବାର୍ତ୍ତାରେ ଭାରତ ଓ ଚୀନ ପରସ୍ପର ମଧ୍ୟରେ ଥିବା ମତଭେଦକୁ ବିବାଦରେ ପରିବର୍ତ୍ତିତ ହେବାକୁ ଦେବେ ନାହିଁ ବୋଲି ସହମତି ପ୍ରକାଶ କରିଛନ୍ତି । ଏହି ବିବୃତ୍ତିରେ କୁହାଯାଇଛି ଯେ ଭାରତ ଏବଂ ଚୀନ ସେମାନଙ୍କ ନେତାଙ୍କ ମଧ୍ୟରେ ଥିବା ଗୁରୁତ୍ବପୂର୍ଣ୍ଣ ବୁଝାମଣାକୁ ଗମ୍ଭୀରତାର ସହ କାର୍ଯ୍ୟକାରୀ କରିବାକୁ ସହମତ ହୋଇଛନ୍ତି ।
ସେନା କହିଛି ଯେ ଭାରତ-ଚୀନ ଆଲୋଚନାରେ ଯଥାଶୀଘ୍ର ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ପକ୍ଷ ଗ୍ରହଣୀୟ ସମାଧାନ ପାଇଁ ଆଲୋଚନା ଜାରି ରଖିବେ । ସାମରିକ ଏବଂ କୂଟନୈତିକ ସ୍ତରରେ କଥାବାର୍ତ୍ତା ଏବଂ ଆଲୋଚନା ଜାରି ରଖିବାକୁ ଭାରତ ଏବଂ ଚୀନ ରାଜି ହୋଇଥିବା ଜଣାପଡିଛି ।