ତୈଳ ଓ ପ୍ରାକୃତିକ ଗ୍ୟାସ୍ କମିଶନ (ONGC)ର ଗବେଷଣା ବିଭାଗ ଦ୍ବାରା ପୂର୍ବ ଲଦାଖର ପୁଗା ଉପତ୍ୟକା ଏବଂ ଚୁମଥାଙ୍ଗ ସମେତ ନଅଟି ସ୍ଥାନରୁ ସଂଗୃହୀତ ମୃତ୍ତିକା ଓ ପାଣି ନମୁନାର ପ୍ରାଥମିକ ପରୀକ୍ଷଣରୁ ଏ ଅଞ୍ଚଳରେ ୟୁରାନିଅମ୍, ଲାନ୍ଥାନମ୍, ଗାଡୋଲିନିଅମ୍ ସମେତ ଆହୁରି ଅନେକ ଅନୁରୂପ ଭାବରେ ମୂଲ୍ୟବାନ ଏବଂ ଉପଯୋଗୀ ଉପାଦାନ ଏବଂ ଧାତୁ ସମେତ ପ୍ରଚୁର ପରିମାଣର ବିଭିନ୍ନ ‘ବିରଳ ମୃତ୍ତିକା’ ଏବଂ ‘ଭାରି ଧାତବ ଦ୍ରବ୍ୟ’ ମହଜୁଦ ରହିଥିବା ସଂକେତ ମିଳିଛି ।
ଏ ଅଞ୍ଚଳରେ ପ୍ରଚୁର ପରିମାଣରେ ଅତି ମୂଲ୍ୟବାନ ଖଣିଜ ସଂପଦ ରହିଥିବା ସଂପର୍କରେ ମିଳିଥିବା ସୂଚନା ହିଁ ଭାରତ-ଚୀନ ସୀମା ବିବାଦର ଏକ ନୂତନ ଦିଗକୁ ସୂଚାଇବା ସହିତ ଏହି ଅଞ୍ଚଳକୁ ସହଜରେ ନ ଛାଡ଼ିବା ଲାଗି ଚୀନର ସେନା-ପିଏଲ୍ଏ କାହିଁକି ଅସ୍ବାଭାବିକ ଭାବରେ ଜିଦଖୋର ମନୋଭାବ ପ୍ରଦର୍ଶନ କରୁଛି ତାହା ମଧ୍ୟ ଜଣାପଡୁଛି ।
ନମୁନା ପରୀକ୍ଷଣ ସଂପର୍କିତ ରିପୋର୍ଟର ଏକ ନକଲ ଈଟିଭି ଭାରତର ହସ୍ତଗତ ହୋଇଥିଲେ ହେଁ ଏହି ପରୀକ୍ଷଣ ରିପୋର୍ଟରେ ଦର୍ଶାଯାଇଥିବା ସାଂଖ୍ୟିକ ଅଙ୍କଗୁଡ଼ିକୁ ପ୍ରକାଶ କରାଯାଉନାହିଁ । ବାସ୍ତବ ନିୟନ୍ତ୍ରଣ ରେଖାର ଯେଉଁ ସବୁ ସ୍ଥାନରେ ଭାରତ ଓ ଚୀନ ସାମରିକ ବାହିନୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଛି, ସେଠାରୁ ଏହି ସବୁ ନମୁନା ସଂଗୃହୀତ ହୋଇଥିବା ସ୍ଥାନଗୁଡ଼ିକ ବେଶୀ ଦୂର ନୁହେଁ । ଯଦିଓ ବର୍ତ୍ତମାନ ଉଭୟ ପକ୍ଷରୁ ‘ସେନା ଅପସାରଣ ଏବଂ ଉତ୍ତେଜନା ପ୍ରଶମନ’ ଦିଗରେ ଉଦ୍ୟମ ଅବ୍ୟାହତ ରହିଛି, ତେବେ ଉଭୟ ପକ୍ଷର ସେନାବାହିନୀ ସେଠାରେ ଶୀତ ଋତୁରେ ଦୀର୍ଘ ଦିନ ପାଇଁ ରହିବାକୁ ପ୍ରସ୍ତୁତି ଚଳାଇଥିବାର ସ୍ପଷ୍ଟ ସଂକେତ ମିଳିଛି ।
ସଂଗୃହୀତ ନମୁନାଗୁଡ଼ିକରୁ ସେଠାରେ ଅତି ମହତ୍ତ୍ବପୂର୍ଣ୍ଣ ସଂଖ୍ୟାସୂଚକ ‘ବିରଳ ମୃତ୍ତିକା’ ରହିଥିବା ଇଙ୍ଗିତ ମିଳିଛି । ଯାହାକି କମ୍ପ୍ୟୁଟର, ଲାପ୍ଟପ୍, ମୋବାଇଲ ଫୋନ୍, ଡିଜିଟାଲ କ୍ୟାମେରା, ସୌରଶକ୍ତି ପ୍ୟାନେଲ, ଇଲେକ୍ଟ୍ରିକ୍ କାର, ସାଟେଲାଇଟ୍, ଲେଜର ଏବଂ ଲଢୁଆ ବିମାନର ଇଞ୍ଜିନ ଭଳି ସାମରିକ ଉପକରଣ ସମେତ ସଂପ୍ରତି ପ୍ରଚଳିତ ଏବଂ ଭବିଷ୍ୟତରେ ଉପଯୋଗ ହେବାକୁ ଥିବା ଶକ୍ତି, ବୈଜ୍ଞାନିକ ଏବଂ ସାମରିକ ଜ୍ଞାନକୌଶଳ କ୍ଷେତ୍ର ନିମନ୍ତେ ଅପରିହାର୍ଯ୍ୟ ପ୍ରମାଣିତ ହେବ ।
“ଲଦାଖରେ ଦେଶର କେତେକ ଅତି ସମୃଦ୍ଧ ଭୂତାପଜ କ୍ଷେତ୍ର ରହିଛି” ବୋଲି ଭାରତର ଭୂତତ୍ତ୍ବ ସର୍ଭେ ସଂସ୍ଥା (GSI) ପକ୍ଷରୁ ପ୍ରକାଶିତ ବକ୍ତବ୍ୟରେ ଅନୁପ୍ରେରିତ ହୋଇ ଓଏନ୍ଜିସି ଦ୍ବାରା ସଂଗଠିତ ଏହି ଅନୁଧ୍ୟାନର ପ୍ରାରମ୍ଭିକ ପର୍ଯ୍ୟାୟ 2018ରେ ଆରମ୍ଭ ହୋଇଥିଲା । ଏ ଅଞ୍ଚଳରେ ପର୍ଯ୍ୟାପ୍ତ ହାଇଡ୍ରୋକାର୍ବନ ଭଣ୍ଡାର ରହିଥିବା ସମ୍ଭାବନା ସଂପର୍କରେ ଈଟିଭି ଭାରତରେ ପୂର୍ବରୁ ରିପୋର୍ଟ ପ୍ରକାଶିତ ହୋଇଥିଲା । ପ୍ରଥମେ କୋରୋନାଭାଇରସ୍ ବିଶ୍ବ ମହାମାରୀ ବ୍ୟାପିବା ଏବଂ ପରେ ଭାରତ-ଚୀନ ସାମରିକ ସଂଘର୍ଷ କାରଣରୁ 2020 ଫେବ୍ରୁଆରୀ ମାସରେ ଓଏନ୍ଜିସିର ଏହି ପ୍ରାରମ୍ଭିକ ପର୍ଯ୍ୟାୟ ଅନୁଧ୍ୟାନ ବନ୍ଦ କରିବାକୁ ପଡ଼ିଥିଲା ।
ଆଇସିପି-ଏମ୍ଏସ୍ ପଦ୍ଧତି (ଇଣ୍ଡକ୍ଟିଭ୍ଲି କପଲ୍ଡ ପ୍ଲାଜ୍ମା-ମାସ୍ ସ୍ପେକ୍ଟ୍ରୋମେଟ୍ରି) ଉପଯୋଗ କରି ଏଠାରେ ବୋରୋନ୍, ଲିଥିଅମ୍, ସେସିଅମ୍, ଭାନାଡିଅମ୍, ୟୁରାନିଅମ୍ ଏବଂ ଥୋରିଅମ୍ ସମେତ ଅନେକ ବିରଳ ମୃତ୍ତିକା ଉପାଦାନ ଏବଂ ଧାତୁ ନମୁନାର ପରିମାଣ ସଂପର୍କରେ ସୂଚନା ମିଳିବା ବ୍ୟତୀତ ଏଠାରେ ରହିଥିବା ଭୂତାପଜ ଉତ୍ସ ସଂପର୍କରେ ଅଧିକ ଜ୍ଞାନ ଆହରଣ କରିବା ଏହି ଅନୁଧ୍ୟାନର ଲକ୍ଷ୍ୟ ରହିଥିଲା ।
ଯଦିଓ ଏଗୁଡ଼ିକୁ ‘ବିରଳ’ ରୂପରେ ଚିହ୍ନଟ କରାଯାଇଛି, ତଥାପି ଏହି ଖଣିଜ ଦ୍ରବ୍ୟଗୁଡ଼ିକ ସବୁ କ୍ଷେତ୍ରରେ ବିରଳ ନୁହନ୍ତି । କିନ୍ତୁ ଏସବୁ କେନ୍ଦ୍ରୀଭୂତ ଅବସ୍ଥାରେ ପ୍ରଚୁର ମାତ୍ରାରେ ମହଜୁଦ ରହି ନଥିବାରୁ ଏହାର ଖନନ ବା ଉତ୍ତୋଳନ ସହଜରେ ସମ୍ଭବ ନୁହେଁ । ବିରଳ ମୃତ୍ତିକା ଏବଂ ଧାତୁ ଉତ୍ପାଦନ କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ଚୀନ ବିଶ୍ବର ଅଗ୍ରଣୀ ଦେଶ ହୋଇ ରହିଛି । ବିଭିନ୍ନ ଅନ୍ତର୍ଜାତୀୟ ରିପୋର୍ଟରେ ଦର୍ଶାଯାଇଛି ଯେ, ବାଣିଜ୍ୟିକ ମୂଲ୍ୟ ତୁଳନାରେ ଚୀନ ଏହାର ବିରଳ ମୃତ୍ତିକା ସମ୍ବଳକୁ ଭୂ-ରାଜନୈତିକ ଆଧିପତ୍ୟ ବିସ୍ତାର କରିବା ଉଦ୍ଦେଶ୍ୟରେ ଏବଂ ପାଶ୍ଚାତ୍ୟ ଦେଶ ବିରୋଧରେ ଉପଯୋଗ କରିବାରେ ଏହାର ସହାୟତାକୁ ଗୁରୁତ୍ବ ପ୍ରଦାନ କରିବା ଲାଗି ଇଚ୍ଛାପ୍ରକାଶ କରିଆସିଛି ।
2018ରେ ଚୀନ 120,000 ଟନ୍ ବିରଳ ମୃତ୍ତିକା ଉପାଦାନ ଉତ୍ପାଦନ କରିଥିଲା ଏବଂ ଅଷ୍ଟ୍ରେଲିଆ ଏବଂ ଆମେରିକା 15,000 ଟନ୍ ଉତ୍ପାଦନ କରି ଏହା ପଛକୁ ରହିଥିଲେ । ଆମେରିକାରେ ଉପଯୋଗ କରାଯାଉଥିବା ଏସବୁ ଉପାଦାନର 80 ପ୍ରତିଶତ ଚୀନରୁ ଆସିଥାଏ ଏବଂ ସାରା ବିଶ୍ବରେ ଏହି ଉପାଦାନଗୁଡ଼ିକର 90 ପ୍ରତିଶତ କାରବାରକୁ ଚୀନ ନିୟନ୍ତ୍ରଣ କରିଥାଏ ।
ସଞ୍ଜୀବ କୁମାର ବରୁଆ, ନୂଆଦିଲ୍ଲୀ