ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ କ୍ରମାଗତ ଭାବେ ବଢିବାରେ ଲାଗିଛି । ଚୀନର ଚାଲ, ଷଡଯନ୍ତ୍ର, ବନ୍ଧୁତ୍ବରେ ବିଶ୍ବାସଘାତକତା କରିବା କାହାକୁ ଅଛପା ନାହିଁ । ଅନ୍ୟପଟେ ବିଶ୍ବରେ ଚୀନର ପର୍ଦ୍ଦାଫାଶ ଓ ବାସ୍ତବ ମୁଖା ଖୋଲିବାରେ ଅନେକ ରାଷ୍ଟ୍ର ବିଫଳ ରହିଛନ୍ତି । ମାତ୍ର ଥରେ ଅଟଳବିହାରୀ ବାଜପେୟୀ ଚୀନକୁ ନିଜ ମିଛ ଜାଲରେ ଫସାଇ ଚକିତ କରିବା ସହ ହଟହଟା କରିଦେଇଥିଲେ । 1965ରେ ଯୁବ ସାଂସଦ ଅଟଳ ଚୀନ ଦୂତାବାସରେ 800 ମେଣ୍ଢା ଭର୍ତ୍ତି କରି ଚୀନକୁ ପାନେ ଦେଇଥିଲେ ।
1967 ମସିହାରେ ଭାରତ ସହିତ ଯୁଦ୍ଧ ପାଇଁ ଚୀନ୍ ଯେଉଁ ସବୁ ବାହାନା ଓ କାରଣ ଦର୍ଶାଇଥିଲା ସେଥିମଧ୍ୟରୁ ଗୋଟିଏ ଥିଲା ଯେ, ଭାରତୀୟ ସୈନିକମାନେ ଏହାର ମେଣ୍ଢା ଓ ଚମରୀ ଗାଈ ଚୋରି କରିନେଇଛନ୍ତି । 1965 ଅଗଷ୍ଟ-ସେପ୍ଟେମ୍ବରରେ ଚୀନ ଏହା ଦାବି କରିଥିଲା ।
ଏହା ସେହି ସମୟ ରହିଥିଲା ଯେତେବେଳେ ଚୀନ ତାର ବିସ୍ତାରବାଦୀ ନୀତି ସ୍ବରୁପ ଭାରତର ପୃଷ୍ଠପୋଷକତାରେ ଥିବା ସିକିମ୍ ରାଜ୍ୟକୁ ଅକ୍ତିଆର କରିବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ଭାରତ ଗମ୍ଭୀର ଭାବେ କାଶ୍ମୀରରେ ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଅଟକଇବା ପାଇଁ ଅହରହ ପ୍ରଚେଷ୍ଟାରେ ବ୍ୟସ୍ତ ଥିଲା । ଏହାର ଫାଇଦା ନେବାକୁ ଚେଷ୍ଟା କରିଥିଲା ଡ୍ରାଗନ ।
ତିନି ବର୍ଷ ପୂର୍ବେ ଭାରତ ଚୀନ ଠାରୁ ଅପମାନଜନକ ଭାବେ ପରାଜୟର ସମ୍ମୁଖୀନ ହୋଇଥିଲା । ଏହା ନଜରରେ 1962 ପରି ଭାରତକୁ ଆଉ ଏକ ଶିକ୍ଷା ଦେବାକୁ ଚୀନ୍ ପୁଣି ଧମକ ଦେଉଥିଲା । ଏହାର ବାହାନ ଖୋଜିବା ଭିତରେ ଚୀନ ବିଭିନ୍ନ କାରଣ ଦର୍ଶାଇଥିଲା ।
ଏଥିମଧ୍ୟରୁ ଚିଠିରେ ଚୀନ ଭାରତ ସରକାରଙ୍କୁ ଲେଖିଥିଲା ଯେ, ଭାରତୀୟ ସେନା ଚୀନର 800 ମେଣ୍ଢା ଓ ଏବଂ 59 ଚମରି ଗାଈ ଚୋରି କରି ନେଇଛନ୍ତି । ଏହି ଅଭିଯୋଗକୁ ଭାରତ ସରକାର ଦୃଢ ଭାବରେ ଅସ୍ବୀକାର କରିଥିଲେ । ମାତ୍ର ସେତେବେଳେ ଜନ ସଂଗଠନର 42 ବର୍ଷିୟ ଯୁବ ନେତା ବାଜପେୟୀଙ୍କ ଚୀନକୁ ଉଚିତ୍ ଜବାବ ଦେଇଥିଲେ ।
ବାଜପେୟୀ ପ୍ରାୟ 800 ମେଣ୍ଢା ଦଳର ବ୍ୟବସ୍ଥା କରିଥିଲେ ଏହାପରେ ସେପ୍ଟେମ୍ବର ଶେଷ ସୁଦ୍ଧା ନୂଆଦିଲ୍ଲୀରେ ଥିବା ଚୀନ ଦୂତାବାସ ଭିତରେ ମେଣ୍ଢା ଭର୍ତ୍ତି କରିଦେଇଥିଲେ । ମେଣ୍ଢାଙ୍କ ବେକରେ ଏକ ପ୍ଲାକାର୍ଡ ଟଙ୍ଗା ଯାଇଥିଲା ଯେଉଁଥିଲେ ଲେଖିଥିଲା "ମୋତେ ଖାଅ କିନ୍ତୁ ଦୁନିଆକୁ ବଞ୍ଚାଅ" ।
ଏହା ଚୀନ୍କୁ ଏତେ ଉତ୍ତେଜିତ କରିଥିଲା ଯେ ଏହା ଲାଲ ବାହାଦୂର ଶାସ୍ତ୍ରୀ ସରକାରଙ୍କୁ ଆଉ ଏକ ଚିଠି ଲେଖିଥିଲା । ଏଥିରେ ଏଭଳି ବିରୋଧ ଚୀନ୍ ରାଷ୍ଟ୍ର ପ୍ରତି ଅପମାନ ବୋଲି ଲେଖାଯାଇଥିଲା । ଏହା ଶାସ୍ତ୍ରୀ ସରକାରଙ୍କ ସମର୍ଥନରେ ଘଟିଥିବାର ଅଭିଯୋଗ କରିଥିଲା ।
ଏହାର ପ୍ରତିକ୍ରିୟାରେ ଭାରତ ସରକାର କହିଥିଲେ ଯେ, ଏଥିରେ ସରକାରଙ୍କ କୌଣସି ସମ୍ପୃକ୍ତି ନାହିଁ । ଦିଲ୍ଲୀର କିଛି ନାଗରିକ ପ୍ରାୟ 800 ମେଣ୍ଢା ଦଳ ନେଇ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ପ୍ରଦର୍ଶନ ସହିତ ଭାରତ ସରକାରଙ୍କର କୌଣସି ସମ୍ପର୍କ ନାହିଁ ।
ବାଜପେୟୀଙ୍କର ଚୀନ୍ର ଗୁଣ୍ଡାଗର୍ଦ୍ଦିର ମଜାକ ଉଡାଇବାର ପୁରା ଘଟଣାକ୍ରମ ଓ ବାର୍ତ୍ତାଳାପ ଦୁଇ ସପ୍ତାହ ପରେ ସାରା ଦେଶରେ ଲୋକମାନଙ୍କ ମଧ୍ୟରେ ମଜାଳିଆ ପ୍ରସଙ୍ଗ ପାଲଟିଯାଇଥିଲା ।