ଲକ୍ଷ୍ନୌ: ହାଥରସ ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶର ସ୍ଥିତି ମଧ୍ୟରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଯୋଗୀ ସରକାର । ଘଟଣାରେ ସରକାର ହାଥରସ ଏସପି, ଡିଏସପି, ଆରକ୍ଷୀ ଅଧିକ୍ଷକଙ୍କ ସମେତ ଅନ୍ୟ କିଛି ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ।
ଥାନାର ସମସ୍ତ ପୋଲିସକର୍ମୀଙ୍କ ନାର୍କୋ ପଲିଗ୍ରାଫ ଟେଷ୍ଟ କରାଯିବ । ପ୍ରାଥମିକ ଯାଞ୍ଚ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ହାଥରସ ଘଟଣାକୁ ନେଇ ପ୍ରଶ୍ନ ଘେରରେ ରହିଛି ଉତ୍ତରପ୍ରଦେଶ ପୋଲିସ ପ୍ରଶାସନ । ଅନ୍ୟପକ୍ଷେ ବିରୋଧୀ ଘଟଣାକୁ ନେଇ ଜୋରଦାର ପ୍ରଦର୍ଶନ ଜାରି ରଖିଥିବା ବେଳେ ଯୋଗୀ ସରକାରଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି ।
ଶୁକ୍ରବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଏକ ଟ୍ବିଟ କରିଥିଲେ, ଯେଉଁଥିରେ ଅପରାଧ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ମନର ଆକ୍ରୋଶ ସ୍ପଷ୍ଟ ବାରି ହେଉଥିଲା । ଯୋଗୀ ଟ୍ବିଟ କରି ଲେଖିଥିଲେ, ଉତ୍ତରପ୍ରଦେଶର ମା ଏବଂ ଭଉଣୀଙ୍କ ସମ୍ମାନ ଏବଂ ଆତ୍ମ ସମ୍ମାନକୁ କ୍ଷତି ପହଞ୍ଚାଇବାର ବିଚାର ରଖୁଥିବା ଲୋକଙ୍କ ସମୂଳ ବିନାଶ ସୁନିଶ୍ଚିତ । ସେମାନେ ଏପରି ଦଣ୍ଡ ପାଇବେ ଯାହା ଭବିଷ୍ୟତରେ ଏକ ଉଦାହରଣ ସୃଷ୍ଟି କରିବ ବୋଲି ସେ ଲେଖିଥିଲେ । ଏହା ଆମର ସଂକଳ୍ପ ଓ ବଚନ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।