ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍(ସିଏଏ)କୁ ମୁସଲମାନ ବିରୋଧି ଦର୍ଶାଇ ଏହା ବିରୋଧରେ ପ୍ରଦର୍ଶନ କରୁଥିବା ଲୋକଙ୍କୁ ଜବାବ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସିଏଏ ଜରିଆରେ ଆମେ କାହାର ନାଗରିକତା ଛଡାଇ ନେଉନାହୁଁ ବରଂ ନାଗରିକତ୍ବ ପ୍ରଦାନ କରୁଛୁ ବୋଲି ସେ କହିଛନ୍ତି। 2014 ସୁଦ୍ଧା ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ପ୍ରାୟ 566 ମୁସଲମାନ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ବ ପ୍ରଦାନ କରାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଜଣାଇଛନ୍ତି।
ଚେନ୍ନାଇର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, 2016ରୁ 2018 ମଧ୍ୟରେ ଆଫଗାନିସ୍ତାନରୁ ଆସିଥିବା 391 ମୁସଲମାନ ଏବଂ ପାକିସ୍ତାନର 1595 ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇଛି। 2016ରେ ମଧ୍ୟ ଏହି ଅବଧି ସମୟରେ ଅଦନାନ ସ୍ବାମୀ ଏବଂ ତସଲୀମା ନସରୀନଙ୍କୁ ଭାରତୀୟ ନାଗରିକତ୍ବ ପ୍ରଦାନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଲଗାଯାଉଥିବା ସମସ୍ତ ଅଭିଯୋଗକୁ ଭୁଲ ସାବ୍ୟସ୍ତ କରିବା ପାଇଁ ଏହା ଏକ ବହୁତ ବଡ ଉଦାହରଣ ବୋଲି କହିଛନ୍ତି ସେ।
ଅର୍ଥମନ୍ତ୍ରୀ ସୀତାରମଣ ଆହୁରି ମଧ୍ୟ କହିଛନ୍ତି ଯେ, ବିଗତ 6 ବର୍ଷରେ 2838 ପାକିସ୍ତାନୀ, 914 ଆଫଗାନୀ ଏବଂ 172 ବାଂଲାଦେଶୀ ଶରଣାର୍ଥୀଙ୍କୁ ଭାରତର ନାଗରିକତ୍ବ ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ମୁସଲମାନ ମଧ୍ୟ ସାମିଲ ଅଛନ୍ତି। 1964 ମସିହାରୁ 2008 ପର୍ଯ୍ୟନ୍ତ ଶ୍ରୀଲଙ୍କାରୁ ଆସିଥିବା ପ୍ରାୟ 4,00,000 ତାମିଲଙ୍କୁ ମଧ୍ୟ ଭାରତର ନାଗରିକତ୍ବ ପ୍ରଦାନ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ଜଣାଇ ଦେଇଛନ୍ତି।