ନୂଆଦିଲ୍ଲୀ: କୋଇଲା ମାଫିଆଙ୍କ ଉପରେ ସିବିଆଇ ଆକ୍ରମଣ । ଗୋଟିଏ ଦିନରେ ପ୍ରାୟ ୪୫ଟି ସ୍ଥାନରେ ଚଢାଉ କରିଛି ସିବିଆଇ । ଇଷ୍ଟର୍ଣ୍ଣ କୋଲଫିଲ୍ଡ୍ ଲିମିଟେଡ ମାଇନ୍ସରେ କୋଲ ମାଫିଆମାନଙ୍କ ବେଆଇନ ଖନନ ଏବଂ କୋଇଲା ଚୋରି ଅଭିଯୋଗ ହୋଇଥିଲା । ତେବେ ଏହାକୁ ଆଧାର କରି ସିବିଆଇ ଇଷ୍ଟର୍ଣ୍ଣ କୋଲଫିଲଡ୍ ମୁଖ୍ୟ ଅଧିକାରୀଙ୍କ, ଦୁଇ ଜଣ ମ୍ୟାନେଜର ଏବଂ ଅନୁପ ମାଝୀ ନାମକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହା ସହିତ ସେମାନଙ୍କୁ ସହଯୋଗ କରୁଥିବା କେନ୍ଦ୍ରୀୟ ଉଦ୍ୟୋଗିତ ସୁରକ୍ଷା ବଳ ଏବଂ ଭାରତୀୟ ରେଳ ବିଭାଗର କିଛି କର୍ମଚାରୀଙ୍କୁ ମଧ୍ୟ ଏଥିରେ ଦୋଷୀ ସାବ୍ୟସ୍ତ କରାଯାଇଛି ।
ତେବେ ଏନେଇ ପଶ୍ଚିମବଙ୍ଗ, ଝାରଖଣ୍ଡ, ବିହାର ଏବଂ ଉତ୍ତରପ୍ରଦେଶ ସମେତ ସିବିଆଇ ମୋଟ 45 ଟି ସ୍ଥାନ ଉପରେ ଚଢାଉ କରିଥିବା ସୂଚନା ମିଳିଛି । ଏହି ଚଢାଉ ସମୟରେ ସିବିଆଇ ନଗଦ ଟଙ୍କା, ଅଳଙ୍କାର ଏବଂ ଗୁରୁତ୍ବପୂର୍ଣ୍ଣ ଦଲିଲ ଜବତ କରିଛି। ସିବିଆଇ ସୂତ୍ର ଅନୁଯାୟୀ, ଏହି ମାମଲାର ତଦନ୍ତ ବେଳେ ସରକାରୀ କର୍ମଚାରୀଙ୍କ ସହ କୋଇଲା ମାଫିଆଙ୍କ ସମ୍ପୃକ୍ତି ନେଇ ବଡ ରାକେଟର ଖୁଲାସା ହୋଇପାରେ।
ଏଥିସହ ଏହି ଘଟଣାରେ କିଛି ରାଜନେତାଙ୍କ ସମ୍ପୃକ୍ତି ଥିବା ସମ୍ଭାବନା ରହିଛି । ଯାହା ତଦନ୍ତ ସମୟରେ ଅଧିକ ସ୍ପଷ୍ଟ ହୋଇଯିବ। ବର୍ତ୍ତମାନ ସିବିଆଇ ଚଢାଉ ଜାରି ରହିଛି।