ହାଇଦ୍ରାବାଦ: କୋରୋନା ବିତ୍ପାତ । ଏହାର ପ୍ରକୋପ ଯେ କେତେ ଭୟଙ୍କର ତାହା କାହାକୁ ଅଛପା ହୋଇ ରହିନାହିଁ । ବିଶ୍ବର ପ୍ରତିଟି ଖବରରେ ଏବେ କେବଳ କୋରୋନାର ପ୍ରଭାବ । ଏହି ବିତ୍ପାତ୍ତର ଏଯାବତ୍ କୌଣସି ପ୍ରତିଷେଧକ ମିଳିପାରିନଥିବା ବେଳେ ଏହାକୁ ନେଇ ଆଇଏଫଆରସି(ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ ରେଡକ୍ରସ) ଦେଇଛି ଏକ ବୟାନ । ଯାହା ସ୍ପଷ୍ଟ କରିଛି କି କୋରୋନାକୁ ନେଇ ପ୍ରତିଟି ପ୍ରତିକ୍ରିୟା ଅତି ମହତ୍ତ୍ବପୂର୍ଣ୍ଣ । ଏହା ଏତେ ଶକ୍ତିଶାଳୀ ଯେ ଏହା କୋରୋନାକୁ ରୋକିବାର କ୍ଷମତା ମଧ୍ୟ ରଖେ ।
ଆଇଏଫଆରସିର ସୂଚନା ମୁତାବକ ବର୍ତ୍ତମାନ ବିଶ୍ବ ଏହି ମହାମାରୀର କବଳରେ ଥିବା ବେଳେ 192ଟି ଦେଶ ସମେତ ସାମାଜିକ ଓ ବ୍ୟକ୍ତିଗତସ୍ତରରେ ସହାୟତାର ହାତ ବଢାଇଛି ରେଡ କ୍ରସ ସମ୍ପ୍ରଦାୟ । ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି ଆଇଏଫଆରସି ଲୋକଙ୍କୁ ଘରେ ଘରେ ଆପାତକାଳୀନ ସେବା ସୁବିଧା ଯୋଗାଇବା ସହ ମାନସିକ ସ୍ବାସ୍ଥ୍ୟ ଓ ସାମାଜିକ ପରିବେଶକୁ ସୁସ୍ଥ ରଖିବା ପାଇଁ ସହଯୋଗ ପ୍ରଦାନ କରୁଛି । କୋରୋନାକୁ ନେଇ ବର୍ତ୍ତମାନ ସ୍ଥିତି ଗମ୍ଭୀର ରୂପ ନେବାରେ ଲାଗିଥିବା ବେଳେ ଏହା ଲୋକଙ୍କୁ ମାନସିକ ଓ ସାମାଜିକସ୍ତରରେ ପ୍ରଭାବିତ କରୁଛି । ଯାହାର ସ୍ବତନ୍ତ୍ର ଧ୍ୟାନ ରଖାଯିବାର ଆବଶ୍ୟକତା ରହିଛି ।
ଆଇଏଫଆରସିର ସୂଚନା ମୁତାବକ ରୋଗ ଗୋଟିଏ ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟି ଓ ବିନାଶ ପାଇଥାଏ । ଆଜି ବିଶ୍ବବ୍ୟାପୀ 14 ମିଲିୟନ ରେଡ କ୍ରସ, ରେଡ କ୍ରିସେଣ୍ଟ ସ୍ବେଚ୍ଛାସେବୀ ଓ 1 ଲକ୍ଷ 65 ହଜାର ସ୍ଥାନୀୟ ଶାଖା ମହଜୁଦ ରଖି ଲୋକଙ୍କୁ ଆବଶ୍ୟକୀୟ ସମସ୍ତ ସହଯୋଗ ପ୍ରଦାନ କରୁଛି । ଏଥିରେ ପ୍ରତିଟି ସ୍ବେଚ୍ଛାସେବୀଙ୍କର ନିଜ ସମ୍ପ୍ରଦାୟ ସହ ଲୋକଙ୍କୁ ଯୋଡି ରଖିବାରେ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ଏହି ବ୍ୟକ୍ତିଗତ ପ୍ରୟାସ ଆଗକୁ ଯାଇ କୋରୋନାକୁ ପରାସ୍ତ କରିବାର ଏକ ଆଶା ସଞ୍ଚାର କରେ କହିଲେ ଅତ୍ୟୁକ୍ତି ନାହିଁ ।
ବର୍ତ୍ତମାନ କୋରୋନା ପରିସ୍ଥିତିର ମୁକାବିଲା ପାଇଁ ବିଶ୍ବବ୍ୟାପୀ ଅନ୍ତର୍ଜାତୀୟ ରେଡ କ୍ରସ ଓ ରେଡ କ୍ରିସେଣ୍ଟ ଆରମ୍ଭ କରିଥିବା ଆନ୍ଦୋଳନରେ ସାମିଲ ଆଇଏଫଆରସି, ଆଇସିଆରସି ଏବଂ ଜାତୀୟ ରେଡ କ୍ରସ ଓ ରେଡ କ୍ରିସେଣ୍ଟ ସମୁଦାୟ ସମାଜକୁ ଏକ ନୂତନ ଆଶା ଦେଉଛି । ସାମାଜିକସ୍ତରୀୟ ଚିକିତ୍ସା, ଆପାତକାଳୀନ ସେବା, ସ୍ଥାନୀୟ ସ୍ବେଚ୍ଛାସେବୀଙ୍କ ଏକତ୍ରିକରଣ, ଆବଶ୍ୟକସ୍ଥଳେ ଆର୍ଥିକ ସାହାଯ୍ୟ ଏବଂ ସାମାଜିକ ଓ ଆର୍ଥିକସ୍ତରରେ ମହାମାରୀର ପ୍ରଭାବକୁ ରୋକିବା ପାଇଁ ଏମାନେ ଅହରହ କାର୍ଯ୍ୟରତ ।
ସେପଟେ ଗବେଷଣାରୁ ଜଣାପଡିଛି କି ଏହି ମହାମାରୀ କିପରି ହିଂସ୍ର ଜନ୍ତୁଙ୍କଠାରୁ ମଣିଷ ଦେହକୁ ଆସିଥାଏ । ତେବେ ଏହି ତଥ୍ୟକୁ ନେଇ ଆଇଏଫଆରସି କିଛିଟା ଦିଗକୁ ଆଲୋକିତ କରିବା ସହ ତଥ୍ୟକୁ ଅଧିକ ସ୍ପଷ୍ଟ କରିବାକୁ ଚେଷ୍ଟା କରିଛି । ମଣିଷ ଦେହରେ ସଂକ୍ରମଣ ହେବାର ସମୟ, ସଂକ୍ରମଣର ଲକ୍ଷଣ ପରିପ୍ରକାରଶ ପାଇବାର ସମୟ, ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଏହି ସଂକ୍ରମଣ ସଂପ୍ରସାରିତ ହେବାର ସମୟ ଆଦି ଦିଗରେ ଆଲୋକପାତି କରିଛି ଆଇଏଫଆରସି ।
ଉପରୋକ୍ତ ଦିଗଗୁଡିକ ଖୁବ କମ ସମୟ ନେଇଥିବା କୋରୋନା ମହାମାରୀ କ୍ଷେତ୍ରରେ ସ୍ପଷ୍ଟ ଜଣା ପଡେ । ଫଳସ୍ବରୂପ ମାତ୍ର ତିନି ମାସ ମଧ୍ୟରେ ଏହା ବିଶ୍ବର 192ଟି ଦେଶକୁ ଗ୍ରାସ କରିପାରିଛି । ଫଳରେ ଗତ ବର୍ଷ ବିଶ୍ବର ଆବଶ୍ୟକତା ପୂରଣ କରିବା ପାଇଁ 77 ହଜାର ନୂଆ ଭେଣ୍ଟିଲେଟର ଯଥେଷ୍ଟ ପ୍ରତୀତ ହେଉଥିବା ବେଳେ ଏବେ ଏହି ସଂଖ୍ୟା ବିଶ୍ବକୁ ଅଣ୍ଟୁନାହିଁ । କେବଳ ନ୍ୟୁୟର୍କରେ ବର୍ତ୍ତମାନ 33 ହଜାର ଭେଣ୍ଟିଲେଟରର ଆବଶ୍ୟକତା ଦେଖାଦେଇଛି । ଯାହା କୋରୋନା ବିରୋଧରେ ଲଢେଇକୁ ଅଧିକ ସଂଘର୍ଷମୟ କରିଛି ।
ସୂଚନା ମୁତାବକ ବର୍ତ୍ତମାନ ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1 ମିଲିୟନ ଡେଇଁଥିବା ବେଳେ ମୃତ୍ୟୁ ସଂଖ୍ୟା 52 ହଜାର ଅତିକ୍ରମ କରିଛି । ଯେଉଁଥିରେ କେବଳ ଇଟାଲୀରେ 13 ହଜାର 900 ମୃତ୍ୟୁ ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛି ସ୍ପେନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ