ମୁମ୍ବାଇ: ଏନଡିଏରେ ବିଜେପିର ସହଯୋଗୀ ଦଳ ରହିଥିବା ଶିବସେନା ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବଡ଼ ମନ୍ତବ୍ୟ ରଖିଛି । ମହାରାଷ୍ଟ୍ରରେ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ମିଳିଲେ ଯାଇ ଦଳ କେନ୍ଦ୍ରରେ ବିଜେପିକୁ ସମର୍ଥନ ଦେବ ବୋଲି ଦଳୀୟ ସାଂସଦ ସଞ୍ଜୟ ରାଉତ ପରୋକ୍ଷରେ କହିଛନ୍ତି ।
ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେବା ଅବସରରେ ରାଉତ କହିଛନ୍ତି ଯେ ଯଦି 2019ରେ ଏନଡିଏ କେନ୍ଦ୍ରରେ ସରକାର ଗଢୁ଼ଛି ତେବେ ସହଯୋଗୀ ଦଳଙ୍କର ମୁଖ୍ୟ ଭୂମିକା ରହିବ । ଏ କ୍ଷେତ୍ରରେ ଶିବସେନା, ଅକାଳୀ ଦଳ ଏବଂ ଅନ୍ୟ ପ୍ରମୁଖ ଦଳ ମାନଙ୍କର ଉଦାହରଣ ସେ ରଖିଛନ୍ତି । ଏହାସହ ଏସବୁ ସହଯୋଗୀ ଦଳ ନିଜ ନିଜ ରାଜ୍ୟରେ ଶକ୍ତିଶାଳୀ ଥିବା ସେ କହିଛନ୍ତି । ଏଣୁ କେନ୍ଦ୍ରରେ ବିଜେପି ସହଯୋଗ ଚାହୁଁଥିଲେ ରାଜ୍ୟ ମାନଙ୍କରେ ସହଯୋଗୀ ଦଳର ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ରୋକଠୋକ ଜଣାଇଛନ୍ତି ସଞ୍ଜୟ ରାଉତ ।
ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ ବିଜେପିକୁ ଡରାଇବା ଆରମ୍ଭ କରିଦେଲାଣି ଶିବସେନା । ବର୍ତ୍ତମାନ ଏନଡିଏରେ ଦଳର 18 ଜଣ ସାଂସଦ ରହିଛନ୍ତି । ଏପଟେ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ ବିଧାନସଭା ନିର୍ବାଚନୀ ଫଳାଫଳରୁ ଯାହା ପ୍ରମାଣିତ ହୋଇଛି ବିଜେପିକୁ ଆଉ ଥରେ କେନ୍ଦ୍ରରେ ସରକାର ଗଢ଼ିବାକୁ ହେଲେ ଶିବସେନାର ସାହାଯ୍ୟ ନିହାତି ଦରକାର । ତେଣୁ ଏ ପରିସ୍ଥିତିରେ ସଞ୍ଜୟ ରାଉତଙ୍କ ବୟାନ ବହୁତ ମହତ୍ତ୍ବ ରଖୁଛି ।