ନୂଆଦିଲ୍ଲୀ: ବରିଷ୍ଠ ପ୍ରତିରକ୍ଷା ବିଶେଷଜ୍ଞ ଶନିବାର ଭାରତୀୟ ବାୟୁସେନା ମୁଖ୍ୟ ମାର୍ଶାଲ ଆରକେଏସ୍ ଭଦୋରିଆଙ୍କ ବିବୃତ୍ତିକୁ ସମର୍ଥନ କରିଛନ୍ତି । ବାୟୁସେନା ମୁଖ୍ୟ ଯାହା କହିଛନ୍ତି ମୁଁ ତାକୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି ବୋଲି କହିଛନ୍ତି ବାୟୁସେନା ଭାଇସ-ମାର୍ଶାଲ ମନମୋହନ ବାହାଦୁର ।
ବାୟୁସେନା ଭାରତ ସୀମାକୁ ସୁରକ୍ଷା ଦେବାରେ ସମର୍ଥ । ସମସ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଆଇଏଏଫ୍ ଦ୍ବାରା ନିଆଯାଇଛି। ସେମାନେ ଯେକୌଣସି ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ସକ୍ଷମ ବୋଲି ଏକ ଗଣମାଧ୍ୟମକୁ ଆରକେଏସ୍ ଭଦୋରିଆ କହଥିଲେ ।
ଏହା ପରେ ବାୟୁସେନା ଭାଇସ-ମାର୍ଶାଲ ମନମୋହନ ବାହାଦୂର କହିଛନ୍ତି, ଏୟାର ଷ୍ଟାଫ୍ ମୁଖ୍ୟ ଭାରତ ସରକାରଙ୍କ ସ୍ଥିତିକୁ ସ୍ପଷ୍ଟ ରୂପରେ ନିର୍ଦ୍ଧାରିତ କରିଛନ୍ତି । କୌଣସି ବି ସ୍ଥିତିରେ ସୀମାର ସୁରକ୍ଷା କରାଯିବ । ଏହା କୂଟନୈତିକ ସ୍ତରରେ ଘଟିବା ଉଚିତ। କାରଣ ଏହା ସମସ୍ତଙ୍କ ସ୍ବାର୍ଥରେ ରହିବ । ବିଶେଷ କରି ଚୀନ୍ ଏବଂ ଭାରତର ସ୍ୱାର୍ଥରେ ରହିବ ।
ପ୍ରକାଶ ଥାଉକି, ବାୟୁସେନା ମୁଖ୍ୟ ମାର୍ଶଲ ଆରକେଏସ୍ ଭଦୋରିଆ ଶନିବାର କହିଛନ୍ତି, ଲଦାଖର ଗଲୱାନ ଘାଟିରେ ଭାରତ ଚୀନ ମୁହାମୁହିଁ ଘଟଣାରେ 20 ଜଣ ଯବାନ ଶହୀଦ ହୋଇଛନ୍ତି । ଏହି ଘଟଣା ପରେ ଏଲଏସିରେ ବର୍ତ୍ତମାନର ପରିସ୍ଥିତି ସୁନିଶ୍ଚିତ କରିବାକୁ ଉଦ୍ୟମ ଜାରି ରହିଛି । ଏଥିସହ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି ହାଇଦ୍ରାବାଦର କମ୍ବାଇନ୍ଡ ଗ୍ରାଜୁଏସନ ପ୍ୟାରେଡରେ ବାୟୁସେନା ମୁଖ୍ୟ ମାର୍ଶଲ ଆରକେଏସ୍ ଭଦୋରିଆ କହିଛନ୍ତି ।