ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱ ସାଂଘାତିକ କୋଭିଡ-19 ମହାମାରୀ ଦ୍ୱାରା ଆକ୍ରାନ୍ତ ହୋଇଥିବାବେଳେ, ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ରହୁଥିବା ଏକ ପରିବାର ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।ଗୋଟିଏ ପରିବାରରୁ ପିତା, ମାତା ଓ ଝିଅ ସମସ୍ତେ ଡାକ୍ତର ହୋଇଥିବାବେଳେ ଦେଶରେ ଘଡିସନ୍ଧି ମୂହୁର୍ତ୍ତରେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି । ଆଉ କୋରୋନା ଯୁଦ୍ଧରେ ନିଡର ହୋଇ ନିୟୋଜିତ ରହିବା ସହ ଆକ୍ରାନ୍ତଙ୍କ ଚିକିତ୍ସା କରିବାରେ ଲାଗିପଡିଛନ୍ତି ।
ଡାକ୍ତର ମେହବୁବ ଖାନ ସହରର ଏକ ଚେଷ୍ଟ ହସ୍ପିଟାଲର ଅଧୀକ୍ଷକ ଭାବରେ କାର୍ଯ୍ୟ କରୁଥିବାବେଳେ, ସେ ଶ୍ବାସକ୍ରିୟା ରୋଗର ବିଶେଷଜ୍ଞ ଅଟନ୍ତି। ଯିଏକି ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କୋଭିଡ-19ରେ ସଂକ୍ରମିତଙ୍କ ଚିକିତ୍ସାରେ ନିୟୋଜିତ । ତେବେ ତେଲେଙ୍ଗାନାରେ କୋରୋନା ଆକ୍ରାନ୍ତ ଥିବା 9 ଜଣ ଇଣ୍ଡୋନେସିଆ ନାଗରିକଙ୍କ ଚିକିତ୍ସାରେ ଖାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଡାକ୍ତର ମେହବୁବଙ୍କ ପତ୍ନୀ ମଧ୍ୟ ଜଣେ ଡାକ୍ତର, ସେ ସହରର ଗାନ୍ଧୀ ହସ୍ପିଟାଲରେ କାର୍ଯ୍ୟ କରନ୍ତି । ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଶାହାନା ଖାନ ବି ଏବେ କୋଭିଡ19 ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି ।
ଡାକ୍ତର ମେହବୁବ ଖାନ ଓ ଡାକ୍ତର ଶାହାନା ଖାନଙ୍କ ଏକମାତ୍ର ଝିଅ ଡାକ୍ତର ରଶିକା ଖାନ ମଧ୍ୟ ବର୍ତ୍ତମାନ କୋଭିଡ-19 ସଂକ୍ରମିତଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି। ପୁରା ପରିବାର କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା କରି ଭାରତର ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛନ୍ତି ନିଶ୍ଚେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ