ହାଇଦ୍ରାବାଦ: କୋଭାକ୍ସିନର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟର ସଫଳ ଟ୍ରାଏଲ ପରେ ଏବେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ପାଇଁ ହାଇଦ୍ରାବାଦର ଭାରତ ବାୟୋଟେକକୁ ମିଳିଛି ମଞ୍ଜୁରୀ । ଭାରତ ବାୟୋଟେକ ପକ୍ଷରୁ ଶୁକ୍ରବାର ଏକ ବିବୃତ୍ତିରେ କୁହାଯାଇଛି ଯେ ଦେଶର 25ଟି କେନ୍ଦ୍ରରେ 26,000 ଅଂଶଗ୍ରହଣକାରୀଙ୍କ ମଧ୍ୟରେ କୋଭାକ୍ସିନର ପର୍ଯ୍ୟାୟ 3 କ୍ଲିନିକାଲ ପରୀକ୍ଷା ପାଇଁ DCGI ପକ୍ଷରୁ ଅନୁମୋଦନ ପ୍ରଦାନ କରାଯାଇଛି ।
ଭ୍ୟାକ୍ସିନ ଟ୍ରାଏଲରେ ଅଂଶ ଗ୍ରହଣ କରିବାକୁ ଯାଉଥିବା 25 ହଜାର ଲୋକଙ୍କୁ 28 ଦିନ ବ୍ୟବଧାନରେ ଭ୍ୟାକ୍ସିନର 2ଟି ଡୋଜ୍ ଦିଆଯିବ । ପ୍ରାଥମିକ ଟ୍ରାଏଲରେ ଏହି ଭ୍ୟାକ୍ସିନ କୋରୋନାକୁ ପ୍ରତିହତ କରିବା ନେଇ ଆଶା ସଞ୍ଚାର କରିଛି । କୋଭାକ୍ସିନ ହେଉଛି ପ୍ରଥମ ସ୍ବଦେଶୀ କୋରୋନା ଟିକା, ଯାହାକୁ ଆଇସିଏମଆର ର ମିଳିତ ସହଯୋଗରେ ବିକଶତି କରାଯାଇଛି ।
ହାଇଦ୍ରାବାଦ ସ୍ଥିତ ଭ୍ୟାକ୍ସିନ ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକ ପର୍ଯ୍ୟାୟ 3 କ୍ଲିନିକାଲ ପରୀକ୍ଷା କରିବାକୁ ଅନୁମତି ମାଗି ଅକ୍ଟୋବର 2ରେ ଡିସିଜିଆଇରେରେ କରିଥିଲା ଆବେଦନ । ଭରତ ବାୟୋଟେକ ବ୍ୟତୀତ ଜିଡସ କ୍ୟାଡିଲା ଲିମିଟେଡର ଏକ ସ୍ବଦେଶୀ ବିକଶିତ ଟିକା ମାନବ କ୍ଲିନିକାଲ ପରୀକ୍ଷଣର ଦ୍ବିତୀୟ ପର୍ଯ୍ୟାୟରେ ଅଛି ।
ଅନ୍ୟପକ୍ଷେ ଅକ୍ସଫୋର୍ଡ କୋଭିଡ -19 ଟିକା ପାଇଁ ଆଷ୍ଟ୍ରା ଜେନେକା ସହ ମିଳିତ ଭାବରେ ଗବେଷଣା କରୁଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ମଧ୍ୟ ଦେଶରେ ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ମାନବ କ୍ଲିନିକାଲ ପରୀକ୍ଷଣ ଜାରି ରଖିଛି ।