ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କେବଳ ଏନସିଟିର ବାସିନ୍ଦାମାନେ ଚିକିତ୍ସା ପାଇବେ । ଏନେଇ ଦିଲ୍ଲୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶାନାମା ଜାରି କରିଛନ୍ତି ।
ଗତ ରବିବାର ଏକ ନିର୍ଦ୍ଦେଶାନାମାରେ ଦିଲ୍ଲୀ ସରକାର କହିଛନ୍ତି,ଗତ କିଛି ଦିନ ହେବ ଦିଲ୍ଲୀରେ COVID-19 ପଜିଟିଭ ମାମଲା ବୃଦ୍ଧି ଘଟିଛି, ଯାହାଫଳରେ ଡାକ୍ତରଖାନା ଶଯ୍ୟା, ଉପଯୋଗୀ ସାମଗ୍ରୀ ଓ ଭିତ୍ତିଭୂମିର ଅତିରିକ୍ତ ଚାହିଦା ରହିଛି ।
ଦିଲ୍ଲୀର ମହାମାରୀ COVID-19, ରେଗୁଲେସନ ଅଧିନିୟମ 2020 ଦ୍ବାରା ମହାମାରୀ ରୋଗ ଅଧିନିୟମ, 1897 ଅନୁସାରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀର ଏନସିଟି ସରକାର ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ଡାକ୍ତରଖାନା, ଘରୋଇ ଡାକ୍ତରଖାନା ନିଶ୍ଚିତ କରିବ ଯେ କେବଳ ଦିଲ୍ଲୀ ଏନସିଟିର ବାସିନ୍ଦା ଏହି ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ତେବେ ପ୍ରତିରୋପଣ, ଅଙ୍କୋଲୋଜି, ନ୍ୟୁରୋ ସର୍ଜରୀ ସମ୍ବନ୍ଧୀୟ ଚିକିତ୍ସା କାର୍ଯ୍ୟ କ୍ଷେତ୍ରରେ ଏହାକୁ କୋହଳ କରାଯିବ ।
ଦିଲ୍ଲୀ ସରକାର ମଧ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ବିଭିନ୍ନ ପ୍ରମାଣପତ୍ରର ତାଲିକା ପ୍ରଦାନ କରିଛନ୍ତି । ଭୋଟର ଆଇଡି, ବ୍ୟାଙ୍କ/କିଷାନ/ପୋଷ୍ଟ ଅଫିସର ପାସବୁକ୍, ରୋଗୀଙ୍କ ରାସନ କାର୍ଡ/ପାସପୋର୍ଟ/ଡ୍ରାଇଭିଂ ଲାଇସେନ୍ସ ସହ ଜଳ/ ଟେଲିଫୋନ / ବିଦ୍ୟୁତ୍ / ଗ୍ୟାସ୍ ସଂଯୋଗ ବିଲ୍ ପ୍ରମାଣ ଭାବେ ଗ୍ରହଣ କରାଯିବ । ମନ୍ତ୍ରୀ ପରିଷଦର ଅନୁମୋଦନ କ୍ରମେ ଏହି ନିର୍ଦ୍ଦେଶ ଦିଆଯାଇଛି।
@ANI