ନୂଆଦିଲ୍ଲୀ: ମହିଳାଙ୍କ ବିରୋଧରେ ଲଗାତାର ବୃଦ୍ଧି ପାଉଥିବା ହିଂସାକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ସେମାନଙ୍କର ସୁରକ୍ଷା ପାଇଁ ଏଣିକି ଦେଶର ସମସ୍ତ ଥାନାରେ ମହିଳା ସହାୟତା ଡେସ୍କ ଗଠନ କରାଯିବ। ଏନେଇ ଗୃହ ମନ୍ତ୍ରଣାଳୟ ନିର୍ଭୟା ପାଣ୍ଠିରୁ ୧୦୦ କୋଟି ଟଙ୍କା ଆବଣ୍ଟିତ କରିଛି । ଏହି ଯୋଜନା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ ହେବ ।
ଗୃହ ମନ୍ତ୍ରଣାଳୟ ପୋଲିସ ଷ୍ଟେସନରେ ମହିଳା ସହାୟତା ଡେସ୍କ ଗଠନ ଯୋଜନାକୁ ମଞ୍ଜୁର କରିବା ସହ ଏଥିପାଇଁ ନିର୍ଭୟା ପାଣ୍ଠିରୁ 100 କୋଟି ଅନୁକମ୍ପା ରାଶୀ ମଞ୍ଜୁର କରିଛି । ଏହା ଦ୍ବାରା ପୋଲିସ ଷ୍ଟେସନରେ ମହିଳାଙ୍କୁ ଅନୁକୂଳ ସୁବିଧା ମିଳିପାରିବ । ଯେକୌଣସି ମହିଳା, ନିଜର ଅଭିଯୋଗ ମହିଳା ଡେସ୍କରେ କରିପାରିବେ । ଏହି ଡେସ୍କରେ କେବଳ ମହିଳା ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯିବ ।
ଏହି ମହିଳା ଡେସ୍କର ଅଧିକାରୀଙ୍କୁ ମହିଳାଙ୍କ ପ୍ରତି ସମ୍ବେଦନଶୀଳ ହେବା ପାଇଁ ପ୍ରଶିକ୍ଷଣ ଦିଆଯିବ । ମହିଳାଙ୍କୁ ଆଇନଗତ ସହାୟତା, ପରାମର୍ଶ, ଆଶ୍ରୟ, ପୁନର୍ବାସ ଏବଂ ପ୍ରଶିକ୍ଷଣ ଆଦି ସୁବିଧା ଯୋଗାଇ ଦେବା ପାଇଁ ଆଇନଜୀବି, ମନୋବୈଜ୍ଞାନିକ, ବେସରକାରୀ ସଙ୍ଗଠନ ଏବଂ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରିବାରେ ସହାୟକ ହେବ ନୂତନ ଭାବେ ପ୍ରତିଷ୍ଠା ହେବାକୁ ଥିବା ମହିଳା ଡେସ୍କ।