ସିମଲା: ସୋମବାର ଠାରୁ ସିଏଏକୁ ନେଇ ଜଳୁଛି ଦିଲ୍ଲୀ । ସିଏଏକୁ ନେଇ ରାଜଧାନୀ ଦିଲ୍ଲୀରେ ହିଂସାକାଣ୍ଡ ସହ ଦଙ୍ଗା ଭଳି ମାହୋଲ ଉପୁଜିଛି । ଏଭଳି ସମ୍ବେଦନଶୀଳ ପରିସ୍ଥିତିରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ବିବାଦୀୟ ବୟାନ ଦେଇଛନ୍ତି । ଭାରତରେ ରହିବାକୁ ହେଲେ ‘ଭାରତ ମାତା କି ଜୟ’ କହିବାକୁ ପଡିବ ବୋଲି କହିଛନ୍ତି ।
ଦିଲ୍ଲୀ ହିଂସାକୁ ନେଇ ସିଏମ ଜୟରାମ କହିଛନ୍ତି ଯେ ସମଗ୍ର ଘଟଣା ଉପରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ନଜର ରହିଛି । ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଦିଲ୍ଲୀ ହିଂସାକୁ ନେଇ ସେ ଆହୁରି କହିଛନ୍ତି ଯେ, ଦେଶ ବିରୋଧୀ ବୟାନବାଜି ଓ ଦେଶର ଶାନ୍ତିରେ ବାଧା ସୃଷ୍ଟି କରୁଥିବାଙ୍କ ବିରୋଧରେ ଏବେ କଡା କାର୍ଯ୍ୟାନୁଷ୍ଠାନ ନେବା ସମୟ ଆସି ଯାଇଛି ।
ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଆହୁରି କହିଛନ୍ତି ଯେ, ଭାରତରେ ‘ଭାରତ ମାତା କି ଜୟ’ ସ୍ଲୋଗାନ ଦେଉଥିବାଙ୍କୁ ଦେଶରେ ରହିବା ପାଇଁ ଅନୁମତି ମିଳିବା ଆବଶ୍ୟକ । ଯେଉଁମାନ ଭାରତର ବିରୋଧ କରିବେ, ସମ୍ବିଧାନକୁ ବାରମ୍ବାର ଆଙ୍ଗୁଳି ନିର୍ଦ୍ଦେଶ କରିବେ ସେମାନଙ୍କ ବିରୋଧରେ ଏବେ ବିଚାର କରିବା ସମୟ ଆସିଛି ।
ଏଠାରେ ସୂଚନା ଯୋଗ୍ୟ ଯେ, ସୋମବାର ଠାରୁ ଉତ୍ତର ଦିଲ୍ଲୀରେ ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ହୋଇଥିବା ପଥରମାଡ଼ ଓ ପୋଡ଼ାଜଳା ପରେ ଏହା ଦଙ୍ଗାର ରୂପ ନେଇଥିଲା । ଏହି ହିଂସାକାଣ୍ଡରେ ଏଯାଏଁ 13 ଜଣ ପ୍ରାଣ ହରାଇଛନ୍ତି ।
ଦିଲ୍ଲୀ ପୋଲିସ ଡିସିପି ମନଦୀପ ସିଂହ ରାନ୍ଧୱା ଉତ୍ତରପୂର୍ବ ଦିଲ୍ଲୀରେ ହିଂସାକାଣ୍ଡରେ 56 ପୋଲିସ ଅଧିକାରୀ ଆହତ ହୋଇଥିବା ସୂଚନା ଦେଇଛନ୍ତି । ଏହାସହ ସେ ଲୋକଙ୍କୁ ଶାନ୍ତିଶୃଙ୍ଖଳା ପାଇଁ ଅପିଲ କରିଛନ୍ତି ।